MEllora 950×100

ହକି ବିଶ୍ୱକପ ଟ୍ରଫି ପରିକ୍ରମାର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ବର: ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଟ୍ରଫି ପରିକ୍ରମା ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଏହାର ଶୁଭାରମ୍ଭ କରିଛନ୍ତି । ଏଥିସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି। ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବ। ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ପରିକ୍ରମା କରିବ ଏହି ଟ୍ରଫି। ଡିସେମ୍ବର ୨୫ରେ ଟ୍ରଫି ଦେଶ ଭ୍ରମଣ କରିବା ପରେ ଓଡ଼ିଶା ଫେରିବ। ଏହାପରେ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ। ସୁନ୍ଦରଗଡ଼ର ୧୭ଟି ବ୍ଲକ୍ ପରିକ୍ରମା କରିବ ଟ୍ରଫି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ମୁଁ ଆଶା କରୁଛି ପୁରୁଷ ହକି ବିଶ୍ୱକପ ଟ୍ରଫି ପରିକ୍ରମା ସମଗ୍ର ଭାରତରେ ବିଶ୍ୱକପ ପାଇଁ ଉତ୍ସାହ ସୃଷ୍ଟି କରିବ। ଆମେ ୧୬ଟି ଦଳ ଆୟୋଜନ କରିବୁ। ଭୁବନେଶ୍ୱର ଏବଂ ରାଉରକେଲାରେ ମ୍ୟାଚ୍ ଖେଳାଯିବ। ମୁଁ ନିଶ୍ଚିତ ଯେ, ଏହା ଦଳ ଏବଂ ପ୍ରଶଂସକମାନଙ୍କ ପାଇଁ ଏକ ସ୍ମରଣୀୟ ବିଶ୍ୱକପ ହେବ’’।

ଟ୍ରଫି ହସ୍ତାନ୍ତର ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂ, କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.କେ. ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ । ଜାନୁଆରୀ ୧୩ରୁ ହକି ବିଶ୍ବକପ ଆରମ୍ଭ ହେବ। ଜାନୁଆରୀ ୨୩ରେ କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ ଫାଇନାଲ ମ୍ୟାଚ୍।

 

 

 

Comments are closed.