ଦୁର୍ଦିନରେ ସଫଳ ନେତୃତ୍ୱ, ୭୫ରେ ନବୀନ

କୋଭିଡ୍‌ ଦୃଷ୍ଟିରୁ ପାଳିବେନି ଜନ୍ମଦିନ

ଭୁବନେଶ୍ୱର : କୋଭିଡ ମହାମାରୀ ଯୋଗୁଁ ଦେଶ ଓ ରାଜ୍ୟ ସମେତ ସମଗ୍ର ବିଶ୍ୱ ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଏହି ଦୁର୍ଦିନ ମଧ୍ୟରେ ଦୀର୍ଘ ଆଠମାସ ଧରି ଓଡ଼ିଶାବାସୀ କରୋନା ମୁକାବିଲା ନେଇ ସଂଘର୍ଷ ଜାରି ରଖିଛନ୍ତି। ଏଭଳି କଠିନ ସମୟରେ ରାଜ୍ୟବାସୀଙ୍କୁ ସୁସ୍ଥ ଓ ନିରାପଦ ରଖିବାର ଗୁରୁଦାୟିତ୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆହ୍ୱାନ ପାଲଟିଛି। ଓଡ଼ିଶା ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଶୁକ୍ରବାର ନବୀନ ୭୫ବର୍ଷରେ ପଦାର୍ପଣ କରୁଛନ୍ତି। ନିରାଡ଼ମ୍ବର ଓ ସରଳ ଜୀବନଶୈଳୀରେ ବ୍ରତୀ ନବୀନ ଚଳିତବର୍ଷ କୋଭିଡ ମହାମାରୀ ପ୍ରଭାବରେ ରାଜ୍ୟବାସୀ ବହୁଳ ଭାବେ ପ୍ରଭାବିତ ହୋଇଥିବାରୁ ତାଙ୍କର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିକଟରେ ସେ ସବୁବେଳେ ଋଣୀ। କୋଭିଡ ସଂକ୍ରମଣକୁ ପ୍ରତିହତ କରି ଗରିବ ଲୋକଙ୍କୁ ସାହାଯ୍ୟ ସହ ରକ୍ତ ଏବଂ ପ୍ଲାଜମା ଦାନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ପୂର୍ବରୁ ଗତ ଦୁଇବର୍ଷ ଧରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ଜନସାଧାରଣ କ୍ଷତିଗ୍ରସ୍ତ ହୋଇଥିବା ହେତୁ ନବୀନ ଜନ୍ମଦିନ ପାଳନ କରିନଥିଲେ। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଜନ୍ମଦିନ ପାଳିବେ ନାହିଁ।
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। କୋଭିଡ ସଂକ୍ରମଣର କରାଳ ଛାୟା ମଧ୍ୟରେ ‘ଅମ୍ପନ’ର ସଫଳ ମୁକାବିଲା ପାଇଁ ଓଡ଼ିଶାକୁ ଜାତିସଂଘ ପ୍ରଶଂସା କରିଛି। ସେହିପରି କୋଭିଡ ପରିଚାଳନା ଜନିତ ପଦକ୍ଷେପ ପାଇଁ ନୀବନଙ୍କ ନେତୃତ୍ୱକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ରାଜ୍ୟରେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଆଗୁଆ ପଦକ୍ଷେପ ଅନେକଙ୍କୁ ବାଟ ଦେଖାଇଛି। କରୋନାର ପ୍ରଭାବ ରାଜ୍ୟରେ ପରିଲକ୍ଷିତ ହେବାର ବହୁ ପୂର୍ବରୁ ଏହାର ଭୟାବହତାକୁ ଉପଲବ୍ଧି କରି ଏହାକୁ ନବୀନ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। ଦେଶର ପ୍ରଥମ ରାଜ୍ୟ ଭାବେ ରୋଗ ଓ ମହାମାରୀ ଆଇନ-୧୮୯୭ରେ ପରିବର୍ତ୍ତନ ଆଣି କୋଭିଡ ଆଇନ-୨୦୨୦ କାର୍ଯ୍ୟକାରୀ କରିଛନ୍ତି। ଏପରିକି ସଂକ୍ରମଣ ରୋକିବା ପାଇଁ ଚଳିତବର୍ଷ ମାର୍ଚ୍ଚ ୨୧ ତାରିଖରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲକଡାଉନ ଘୋଷଣା ହୋଇଥିଲା।
ଜୀବନ ଓ ଜୀବିକାକୁ ପ୍ରାଥମିକତା ଦେଇ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା କ୍ଷେତ୍ରରେ ତାଙ୍କ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁ ଭଳି ଅତି ସଂକ୍ରମଣ ପ୍ରବଣ ରାଜ୍ୟରୁ ୯ଲକ୍ଷ ୪୭ ହଜାରରୁ ଊର୍ଦ୍ଧ୍ବ ଓଡ଼ିଆଙ୍କୁ ଫେରାଇ ସଂଗରୋଧ କେନ୍ଦ୍ରରେ ରଖି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏହାଦ୍ୱାରା ରାଜ୍ୟରେ ଏକ ବୃହତ ସଂକ୍ରମଣକୁ ଏଡ଼ାଯାଇ ପାରିଛି।
ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ସହ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ, ପୁଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଉତ୍ସାହିତ କରି କରୋନା ଲଢ଼େଇରେ ସାମିଲ କରାଇବାରେ ନବୀନଙ୍କ ଉଦ୍ୟମ ସାରା ଦେଶ ପାଇଁ ଏକ ନିଆରା ଉଦାହରଣ। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କର ନିରଳସ ଉଦ୍ୟମ ଯୋଗୁଁ ଓଡ଼ିଶାରେ କୋଭିଡ ମୃତ୍ୟୁହାରକୁ ମଧ୍ୟ ଯଥେଷ୍ଟ କମ କରାଯାଇପାରିଛି। ଦେଶରେ ମୃତ୍ୟୁ ହାର ୧.୩୩ ଥିବାବେଳେ ରାଜ୍ୟରେ ଏହା ୦.୪୧ ରହିଛି। ଏପରିକି କୋଭିଡ ଜନିତ ସର୍ବନିମ୍ନ ମୃତ୍ୟୁ ହାର ତାଲିକାରେ କେରଳ ପଛକୁ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି। କୋଭିଡ ପରିଚାଳନା ପାଇଁ ନବୀନଙ୍କ ପଦକ୍ଷେପକୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଂଘ ଭଳି ଆନ୍ତର୍ଜାତିକ ସଂଗଠନ ପ୍ରଶଂସା କରିବା ସହ ଅନ୍ୟ ଦେଶମାନଙ୍କ ପାଇଁ ଶିକ୍ଷଣୀୟ ବୋଲି ମନ୍ତବ୍ୟ ଦେଇଛନ୍ତି।
କୋଭିଡ ଯୋଗୁଁ ବିପର୍ଯ୍ୟସ୍ତ ଅର୍ଥନୀତି ପରିପ୍ରେକ୍ଷୀରେ ଜୀବନ ଓ ଜୀବିକା ମଧ୍ୟରେ ସଂଘର୍ଷ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି। ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ଜୀବିକା ଓ ଜୀବନରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା ନେଇ ସରକାର ତତ୍ପରତା ଦେଖାଇଛନ୍ତି। ଅର୍ଥନୈତିକି ସ୍ଥିତିରେ ସୁଧାର ଆଣିବା ନେଇ କୃଷି, ସ୍ୱାସ୍ଥ୍ୟ, କ୍ଷୁଦ୍ର ଶିଳ୍ପକୁ ନବୀନ ପ୍ରାଧାନ୍ୟ ଦେଇଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟ ନିଜ ପ୍ରତିଶ୍ରୁତିରୁ ବିଚ୍ୟୁତ ନହୋଇ ଅବିଚଳିତ ଭାବେ ନବୀନ ଶ୍ରୀକ୍ଷେତ୍ରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ, ଏକାମ୍ର କ୍ଷେତ୍ରର ବିକାଶ, କୋଣାର୍କର ରକ୍ଷଣାବେକ୍ଷଣ, ହଜାରେ କୋଟି ଟଙ୍କା ବ୍ୟୟରେ କଟକ ବଡ଼ ଡାକ୍ତରଖାନାକୁ ତିନି ହଜାର ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମାନ୍ୟତା ଦେବା ଆଦି ନିଜର ପ୍ରିୟ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରାଇବାରେ ପ୍ରୟାସ ଜାରି ରଖିଛନ୍ତି। ନବୀନଙ୍କର ୫-ଟି ମନ୍ତ୍ର ଏବେ ରାଜ୍ୟବାସୀଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଓ ସିଧାସଳଖ କାର୍ଯ୍ୟାନୁଷ୍ଠାନକୁ ଲୋକେ ଗ୍ରହଣ କରିଛନ୍ତି। ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଡିଜିଟାଇଜେସନକୁ ପାଥେୟ କରି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ନେଇ ନିରନ୍ତର ପ୍ରୟାସ ଜାରି ରହିଛି। ଥାନା, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ରାଜସ୍ୱ ବିଭାଗର ତହସିଲ କାର୍ଯ୍ୟାଳୟ ଭଳି ଜନଗହଳି ହେଉଥିବା କାର୍ଯ୍ୟାଳୟରେ ଅନଲାଇନ ସେବା ଯୋଗାଇ ଲୋକଙ୍କୁ ଦଲାଲମାନଙ୍କ ଶୋଷଣରୁ ମୁକ୍ତ କରାଯାଇଛି। ୫-ଟି ମାଧ୍ୟମରେ ନବୀନଙ୍କର ରୂପାନ୍ତରୀକରଣ ବ୍ୟବସ୍ଥାରେ ସଂସ୍ଥାଗତ ପରିବର୍ତ୍ତନ ନେଇ ପ୍ରୟାସର ସୁଫଳର ଆଭାସ ପରିଲକ୍ଷିତ ହୋଇଛି। ଏହି କ୍ରମରେ ସିଟିଜେନ ପୋର୍ଟାଲ ଓ ସହାୟତା ମୋବାଇଲ ଆପ ମାଧ୍ୟମରେ ନାଗରିକମାନଙ୍କୁ ୧୯ଟି ସେବା ଯୋଗାଇ ଦେବା ଯୁଗାନ୍ତକାରୀ ପଦକ୍ଷେପ। ରାଜ୍ୟ ପ୍ରଶାସନରେ ବ୍ୟାପକ ସଂସ୍କାର ଆଣି ଏକାଧିକ ବିଭାଗକୁ ‘ମୋ ସରକାର’ ଅଧୀନରେ ରଖି ୫-ଟି ଢ଼ାଞ୍ଚାରେ ଶାସନ ପଦ୍ଧତି ଆପଣେଇ ନବୀନ ନିଜକୁ ଜଣେ ରାଜନୈତିକ ସଂସ୍କାରକ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି।
ପଞ୍ଚମଥର ପାଇଁ ରାଜ୍ୟର ଶାସନ ଭାର ସମ୍ଭାଳିବା ସହ ରାଜନୀତିରେ ତାଙ୍କର ନିଜସ୍ୱ ଉପଲବ୍ଧି ଓ ବାସ୍ତବ ଅନୁଭୂତି ତାଙ୍କ ଜୀବନ ଦର୍ଶନକୁ ଅଧିକ ବଳିଷ୍ଠ କରିଛି। ଜନନୀ ଜଠରରୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ଲୋକାଭିମୁଖୀ ଯୋଜନା ପ୍ରଣୟନ କରି ସେ ରାଜ୍ୟରେ ଏକ ନୂଆ ସ୍ୱପ୍ନ ଓ ପ୍ରଗତିର ଏକ ନୂତନ ପରିଭାଷା ସୃଷ୍ଟି କରିପାରିଛନ୍ତି। ଏକ ପ୍ରଗତିଶୀଳ ଓ ସମୃଦ୍ଧ ଓଡ଼ିଶା ଗଠନର ପ୍ରତିଛବି ଆଙ୍କି ଜନସଚେତନତା ମାଧ୍ୟମରେ ସାମାଜିକ ପରିବର୍ତ୍ତନର ସେ ବାର୍ତ୍ତାବହ ହୋଇପାରିଛନ୍ତି ବୋଲି ଅନେକ ମତ ରଖନ୍ତି। ରାଜନୀତିରେ ଜନତା ହିଁ ଜନାର୍ଦ୍ଦନର ଉପଲବ୍ଧି ସହ ଜନତାଙ୍କ ସହ ଯୋଡ଼ି ହେବା ଓ ଭଲ ପାଇବାର ବିଚାରଧାରା ତାଙ୍କୁ ଜନାଦୃତି ଦେଇଛି। ଏଥିସହ ରାଜନୀତି ମଧ୍ୟରେ ଆଧ୍ୟାତ୍ମିକତାର ପରିଭାଷା ଖୋଜି ପାଇବାର ପ୍ରୟାସ ତାଙ୍କ ରାଜନୈତିକ ଜୀବନର ଆହ୍ୱାନ ପାଲଟିଛି।

Comments are closed.