ସଶକ୍ତ ଓ ସମୃଦ୍ଧ ଓଡ଼ିଶା ସଙ୍କଳ୍ପର ୨୩ବର୍ଷ : ଆହ୍ବାନ ଅନେକ, ଯାତ୍ରା ଅବିଶ୍ରାନ୍ତ

ଭୁବନେଶ୍ୱର : ମହାବାତ୍ୟା ପ୍ରପୀଡ଼ିତ ବିପର୍ଯ୍ୟସ୍ତ ଓଡ଼ିଶା ପ୍ରକୃତିସ୍ଥ ହେବା ପାଇଁ ସଂଘର୍ଷ କରୁଥିବା ବେଳେ ଅନେକ ଆଶା, ଆଶଙ୍କା ଓ ରାଜ୍ୟ ପାଇଁ ଆହ୍ବାନ ମଧ୍ୟରେ ଶାସନର ଡୋରି ଧରିଥିଲେ ନବୀନ। ବିଜେଡି-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମସିହାରେ ନିଅଣ୍ଟିଆ ବିତ୍ତୀୟ ସ୍ଥିତିର ରାଜକୋଷକୁ ନେଇ ସେ ଦାୟିତ୍ବ ନେଇଥିଲେ। ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନର ସଙ୍କଳ୍ପ ନେଇ ସେ ଆରମ୍ଭ କରିଥିବା ରାଜନୈତିକ ଯାତ୍ରା ଏବେ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ୨୩ ବର୍ଷ ତଳେ ରାଜନୀତିରେ ନବାଗତ ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି। ରାଜନୀତିରେ କୁଶଳ ରଣନୀତି, ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା ତାଙ୍କୁ ଜାତୀୟସ୍ତରରେ ଜଣେ ପରିପକ୍ବ ରାଜନେତାର ମାନ୍ୟତା ଦେଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ଭାରତର ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦେବା ନେଇ ତାଙ୍କର ପରାମର୍ଶ ଓ ସଂସଦରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଜାତୀୟ ରାଜନୀତିରେ ନବୀନଙ୍କୁ ଅଧିକ ପ୍ରଭାବଶାଳୀ କରିପାରିଛି। ରାଜନୀତି ମାଧ୍ୟମରେ ଜନତା ହିଁ ଜନାର୍ଦ୍ଦନର ଉପଲବ୍ଧି ସହ ଆଧ୍ୟାତ୍ମିକତାର ପରିଭାଷା ଖୋଜି ପାଇବା ନେଇ ନିରନ୍ତର ପ୍ରୟାସ ନବୀନଙ୍କ ରାଜନୈତିକ ଜୀବନର ଏକ ଆହ୍ବାନ ପାଲଟିଛି।

୧୯୯୭ରେ ଜନପ୍ରିୟ ନେତା ବିଜୁବାବୁଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା। ରାଜ୍ୟ କଂଗ୍ରେସର ଗୋଷ୍ଠୀକନ୍ଦଳ ଓ ବିଜେପିର ଦୁର୍ବଳ ସ୍ଥିତି ବିଜୁବାବୁଙ୍କ ନାମରେ ବିଜେଡି ଭଳି ଏକ ଆଞ୍ଚଳିକ ଦଳ ଗଠନର ସୁଯୋଗ ସୃଷ୍ଟି କରିଥିଲା। ବିଜୁ ଆଦର୍ଶରେ ଅନୁପ୍ରାଣିତ ରାଜନେତାମାନେ ଦଳ ଗଠନ ନିଷ୍ପତ୍ତି ନେଇଥିଲେ। ବିଜୁଙ୍କ ବିଚାରଧାରା, ଭାବମୂର୍ତ୍ତି ଓ ଲୋକଙ୍କ ସଦ୍ଦିଚ୍ଛା ଏବଂ ଭଲପାଇବାକୁ ପାଥେୟ କରି ଦଳ ପ୍ରତ୍ୟକ୍ଷ ରାଜନୀତିରେ ଜନ ସମର୍ଥନ ହାସଲ ପାଇଁ ନିଷ୍ପତ୍ତି ନେଇଥିଲା। ଏହାର ନେତୃତ୍ବ ପାଇଁ ବିଜୁଙ୍କ ଦାୟାଦ ଭାବେ ନବୀନଙ୍କୁ ସେମାନେ ଦଳର ସଭାପତି ଆସନରେ ବସାଇଥିଲେ। ଏକ ଭିନ୍ନ ପରିସ୍ଥିତି କ୍ରମେ ବାଧ୍ୟ ବାଧକତାରେ ଲେଖକରୁ ରାଜନୀତିରେ ପାଦ ଥାପିଥିବା ନବୀନ ୧୯୯୭ ପରଠାରୁ ନିରବଚ୍ଛିନ୍ନ ଭାବେ ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ପିତା ବିଜୁ ପଟ୍ଟନାୟକଙ୍କ ରାଜନୈତିକ ବିଚାରଧାରାକୁ ବଜାୟ ରଖିଛନ୍ତି। ପିତାଙ୍କ ଦେହାନ୍ତ ପରେ ଆସ୍କା ଲୋକସଭା ଆସନରୁ ଉପ ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ଶାସନ କ୍ଷମତାର ଅଳିନ୍ଦରେ ପ୍ରବେଶ କରିଥିଲେ। ନବ ଗଠିତ ଆଞ୍ଚଳିକ ଦଳ ବିଜେଡିର ସଭାପତି ପଦ ସହ କେନ୍ଦ୍ରମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ନବୀନ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସମସ୍ତ ଆହ୍ବାନକୁ ଧୈର୍ଯ୍ୟର ସହ ମୁକାବିଲା କରି ପାରିବା ତାଙ୍କୁ ସଫଳତା ଆଣିଦେବାରେ ସହାୟକ ହୋଇଛି। ଗୋଟିଏ ପଟେ ଶାସନ ଭାର ଅନ୍ୟପଟେ ଦଳୀୟ ଦାୟିତ୍ବ ରାଜନୈତିକ ଅନଭିଜ୍ଞତାରୁ ପରିପକ୍ବତା ପ୍ରଦାନ କରିଛି। ତାଙ୍କର କାର୍ଯ୍ୟଶୈଳୀ, ନିଷ୍ପତ୍ତି ଓ ଯୋଜନା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ମାର୍ଜିତ ବ୍ୟବହାର, କଥା କମ କାମରେ ବିଶ୍ବାସ ଓ ପ୍ରଶାସନରେ କଠୋର ଆଭିମୁଖ୍ୟ ତାଙ୍କୁ ଅଧିକ ଲୋକପ୍ରିୟ କରିଛି। ପଞ୍ଚମଥର ପାଇଁ ରାଜ୍ୟର ଶାସନ ଭାର ସମ୍ଭାଳିବା ସହ ରାଜନୈତିକ ଯାତ୍ରା ପଥରେ ପ୍ରତିଥର ଅଭୂତପୂର୍ବ ଜନ ସମର୍ଥନ ସହ ସେ ଅପରାଜେୟ ରାଜନେତା ଭାବେ ନିଜକୁ ଅଧିକ ସଶକ୍ତ କରି ପାରିଛନ୍ତି।

ଚଳିତ ନିର୍ବାଚନରେ ‘ଆପଣ ମାନେ ଖୁସି ତ, ମୁଁ ବି ଖୁସି’ ନବୀନଙ୍କ ଏହି ସ୍ଲୋଗାନ ଏତେ ପ୍ରଭାବଶାଳୀ ଓ ହୃଦୟସ୍ପର୍ଶୀ ଥିଲା ଯେ ତାହା ଜନମାନସକୁ ଛୁଇଁ ପାରିଥିଲା। ଏଥିରେ ଥିଲା ଆତ୍ମୀୟତା ଓ ଆବେଗର ପ୍ରତ୍ୟକ୍ଷ ସମ୍ଭାଷଣ ଏବଂ ଲୋକଙ୍କ ସହ ଯୋଡ଼ି ହେବାର ଏକ ନିରଳସ ଓ ସରଳତମ ପ୍ରୟାସ। ବିରୋଧୀଙ୍କ ଶାଣିତ ପ୍ରହାର ସତ୍ତ୍ବେ ଲୋକଙ୍କ ଭରସା ଓ ଆସ୍ଥା ଜିଣିବାରେ ନବୀନ ପୁଣିଥରେ ସକ୍ଷମ ହୋଇଥିଲେ। ଗୋଟିଏ ପରେ ଗୋଟିଏ ସଫଳତାର ସୋପାନ ଅତିକ୍ରମ କରି ସେ ଆଜି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ଆଣି ପାରିଛନ୍ତି କିନ୍ତୁ ସଫଳତା ତାଙ୍କୁ ଅଧିକ ନମ୍ର, ସମ୍ବେଦନଶୀଳ ଓ ବ୍ୟାପକ ହେବାର ନିରନ୍ତର ପ୍ରେରଣା ଯୋଗାଇଛି। ସାରା ଓଡ଼ିଶା ମୋ ପରିବାର, ଗଣତନ୍ତ୍ରରେ ଜନତା ହିଁ ମାଲିକ, ଜନପ୍ରତିନିଧି ସେବକ ମାତ୍ର, ମୋ ସରକାରରେ ନାଗରିକକୁ ମର୍ଯ୍ୟାଦା ସହ ସେବା ପ୍ରଦାନ ଆଦିର ପରିକଳ୍ପନା ତାଙ୍କ ବ୍ୟକ୍ତିତ୍ବକୁ ଅଧିକ ବଳିଷ୍ଠ ଓ ରୁଦ୍ଧିମନ୍ତ କରିଛି। ଲୋକଙ୍କୁ ଭଲ ପାଅ, ଲୋକଙ୍କ ସହ ଯୋଡ଼ି ହୁଅ, ଜନତାଙ୍କ ସେବା ଓ ଆତ୍ମସନ୍ତୋଷ ମୋ ସରକାରର ଲକ୍ଷ୍ୟ ଆଦି ଅଭିବ୍ୟକ୍ତି ତାଙ୍କ ରାଜନୈତିକ ଜୀବନ ଦର୍ଶନରେ ପ୍ରତିଛବି ପାଲଟିଛି। ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ବଳିଷ୍ଠ ଉଦ୍ୟମ ତାଙ୍କ ସଫଳତାର ମୂଳମନ୍ତ୍ର ବୋଲିି ରାଜନୀତିକ ବିଶାରଦମାନେ ମତ ଦିଅନ୍ତି।

ଅନ୍ୟପକ୍ଷରେ ବ୍ୟକ୍ତିଗତ ଜୀବନରେ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ନବୀନଙ୍କୁ ଜନତାଙ୍କ ଆସ୍ଥା ଭାଜନ ହେବା କ୍ଷେତ୍ରରେ ସହାୟକ ହୋଇପାରିଛି। ଯାହାର ପ୍ରତିଫଳନ ଲଗାତାର ପାଞ୍ଚ ପାଞ୍ଚଟି ନିର୍ବାଚନରେ ପ୍ରତିଫଳିତ ହୋଇଛି।

ଦେଶବ୍ୟାପୀ ମୋଦୀ ଲହର ବହୁଥିବାବେଳେ ନବୀନଙ୍କ ନେତୃତ୍ବରେ ବିଜେଡି ବିଧାନସଭାରେ ତିନି ଚତୁର୍ଥାଂଶ ଆସନ ହାସଲ କରି ପଞ୍ଚମ ଥର କ୍ଷମତାକୁ ଫେରିବା ରାଜନୀତି ବିଜ୍ଞାନୀଙ୍କ ପାଇଁ ଏକ ଗବେଷଣାର ସନ୍ଦର୍ଭ ହୋଇଛି। ଅନେକଙ୍କ ମତରେ ସାଧାରଣ ଜନତା ବିଶେଷ କରି ମହିଳା ଓ ଯୁବ ବର୍ଗ ନବୀନଙ୍କ ପ୍ରତି ଅଧିକ ଆସ୍ଥା ପ୍ରକଟ କରିଛନ୍ତି। ଟଙ୍କିକିଆ ଚାଉଳ, ମିଶନ ଶକ୍ତି, କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଉନ୍ନତମାନର ସଡ଼କ ଓ ସେତୁ ନିର୍ମା ଣ, ଅପହଞ୍ଚ ଇଲାକାକୁ ମୁଖ୍ୟ ସଡ଼କ ପଥ ସହ ସଂଯୋଗ, ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ, ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ଶିଳ୍ପ ନୀତି, ମେକ୍ ଇନ ଓଡ଼ିଶା, ଆହାର, ସ୍ବାସ୍ଥ୍ୟ ସେବାରେ ଉନ୍ନତିକରଣ, ଶ୍ରୀମନ୍ଦିର ସମେତ ବିଭିନ୍ନ ମନ୍ଦିର ଓ ସଂଖ୍ୟାଲଘୁଙ୍କ ଧର୍ମାନୁଷ୍ଠାନର ବିକାଶ ପାଇଁ ପଦକ୍ଷେପ, ପଛୁଆ ବର୍ଗ କମିଶନ ଗଠନ ଓ ମୋ ସରକାର ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା ତାଙ୍କ ନେତୃତ୍ବକୁ ସମୃଦ୍ଧ କରିଛି।

ନବୀନଙ୍କ ସମ୍ପର୍କରେ ତାଙ୍କର ସହପାଠୀ ଓ ସାମ୍ବାଦିକ ବନ୍ଧୁ ଭୀର୍ ସାଙ୍ଗଭି କହନ୍ତି, ତାଙ୍କ ସରଳତା ଓ ନିରାଡ଼ମ୍ବର ଜୀବନ​‌ଶୈଳୀ କ୍ଷମତା ଏବଂ ପ୍ରାଚୁର୍ଯ୍ୟ ସତ୍ତ୍ବେ ନବୀନଙ୍କ ଉପରେ ​କୌଣସି ପ୍ରଭାବ ପକାଇ ପାରିନାହିଁ। ଆସକ୍ତ ଓ ନିରାସକ୍ତ ଭାବର ବିରଳ ସମନ୍ବୟ ତାଙ୍କ ବ୍ୟକ୍ତିତ୍ବକୁ ଅଧିକ ବଳିଷ୍ଠ କରିଛି। ସାଧାରଣରେ ସରଳ ଦିଶୁଥିବା ଏହି ମଣିଷ ଜଣେ ପ୍ରବୀଣ ଓ ଚତୁର ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଶୃଙ୍ଖଳା ଓ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ନିଷ୍ପତ୍ତି ନେବାରେ ସେ ସିଦ୍ଧହସ୍ତ ବୋଲି ନିଜକୁ ପ୍ରମାଣିତ କରିପାରିଛନ୍ତି। ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଆଳରେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ପରି ବହୁ ନେତାଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛେଇ ନାହାନ୍ତି। ବିରୋଧୀଙ୍କୁ ପ୍ରତ୍ୟେକ ଥର ବାଜିମାତ କରି ନିଜ ରାଜନୈତିକ ବିଚକ୍ଷଣତାର ପ୍ରମାଣ ଦେଇଛନ୍ତି। ସେହିପରି ବହୁ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ ସେ କଠୋର ପଦକ୍ଷେପ ନେଇଛନ୍ତି। ଅନ୍ୟ ଆଞ୍ଚଳିକ ଦଳ ଠାରୁ ଭିନ୍ନ ଭାବେ ରାଜ୍ୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ସମଦୂରତ୍ବ ନୀତି ଓ କେନ୍ଦ୍ର ସରକାରଙ୍କୁ ଦଳମତ ନିର୍ବିଶେଷରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ପ୍ରଦାନ କରି ଜାତୀୟ ରାଜନୀତିରେ ଦୁର୍ବୋଧ୍ୟ ପାଲଟିଛନ୍ତି।

ଏକ ଆଭିଜାତ୍ୟପୂର୍ଣ୍ଣ ଓ ଖ୍ୟାତିସମ୍ପନ୍ନ ପରିବେଶରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବ୍ୟକ୍ତିତ୍ବମାନଙ୍କ ସହ ନିବିଡ଼ତାର ଜୀବନରୁ ସରଳ ଓ ନିରାଡ଼ମ୍ବର ଜୀବନଶୈଳୀରେ ବ୍ରତୀ ହେବା ଅନେକଙ୍କୁ ବିସ୍ମିତ କରିଛି। ଲୋକଦେଖାଣିଆ ବିଳାସପୂର୍ଣ୍ଣ ହାବଭାବ ଠାରୁ ଦୂରରେ ରହିବା ସହ ସାଧାରଣ ବେଶଭୁଷା ଓ ମାର୍ଜିତ ବ୍ୟବହାର ତାଙ୍କ ବ୍ୟକ୍ତିତ୍ବକୁ ବଳିଷ୍ଠ କରିଛି।

Comments are closed.