ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ: ଅନୁଗୁଳରେ ବିଶ୍ୱର ସର୍ବବୃହତ ଇସ୍ପାତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଚେୟାରମ୍ୟାନ ନବୀନ ଜିନ୍ଦଲ ଓଡ଼ିଶାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ଜେଏସପିଏଲ ଅନୁଗୁଳ ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରାଯିବାକୁ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଭି ଆର ଶର୍ମା, ଗ୍ରୁପ୍‍ ଆଡଭାଇଜର (ଲିଗାଲ, କର୍ପୋରେଟ ଆଫେୟାର୍ସ ଓ ସଷ୍ଟେନେବିଲିଟି) ମନୀଷ ଖରବନ୍ଦା, ଜେପିଏଲ ଅଧ୍ୟକ୍ଷ ଏ କେ ଝା ଏବଂ ଜେଏସପିଏଲର ଅନ୍ୟ ବରିଷ୍ଠ ଅଧିକାରୀଗଣ ଶ୍ରୀ ଜିନ୍ଦଲଙ୍କ ସହିତ ଏହି ବୈଠକରେ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ ଜେଏସପିଏଲ ଅନୁଗୁଳରେ ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିଛି । ଗତବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟର ଉଚ୍ଚସ୍ତରୀୟ ମଂଜୁରୀ ପ୍ରଦାନକାରୀ ବୈଠକରେ ଏହି କାରଖାନାର କ୍ଷମତା ୨୦୩୦ ସୁଦ୍ଧା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ଏହି ସମ୍ପ୍ରସାରଣ ପରେ ଜେଏସପିଏଲର ଅନୁଗୁଳ ଇସ୍ପାତ କାରଖାନା ବିଶ୍ୱର ସର୍ବବୃହତ ଇସ୍ପାତ ପ୍ରକଳ୍ପ ହେବ । ଏହି ସମ୍ପ୍ରସାରଣ ଦ୍ୱାରା ଓଡ଼ିଶାରେ ଜେଏସପିଏଲର ପୁଞ୍ଜିନିବେଶ ୪୫ ହଜାର କୋଟି ଟଙ୍କାରୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । ତାହାସହିତ ଏହାଦ୍ୱାରା ରାଜ୍ୟରେ ବିପୁଳ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

Comments are closed.