ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ନବୀନ

ଭୁବନେଶ୍ଵର: ଆସନ୍ତା ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ପାଳି ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଭୁବନେଶ୍ଵର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ତେବେ ଏହି ଶପଥଗ୍ରହଣ ଉତ୍ସବକୁ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି।

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନବୀନ ମୋଦୀଙ୍କ ନିକଟକୁ ଏକ ସ୍ବତନ୍ତ୍ର ବାର୍ତ୍ତା ପଠାଇଛନ୍ତି। ତେବେ ନିର୍ବାଚନୀ ପ୍ରଚାର ସମୟରେ ନବୀନ ମୋଦୀଙ୍କୁ ଆମନ୍ତ୍ରଣ କରିବେ ବୋଲି କହିଥିବାରୁ ଏବେ ଏହା ଅଧିକ ଗୁରୁତ୍ଵ ବହନ କରୁଛି। ଏହା ସହିତ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଥିବା ହିନ୍ଦୁସ୍ତାନ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ନିର୍ବାଚନୀ ପ୍ରଚାର ସମୟରେ ମୋଦୀ ଓଡ଼ିଶା ଗସ୍ତରେ ଆସି ବିଜେପିର ଏକ ସଭାରେ ଯୋଗଦେବା ଅବସରରେ କହିଥିଲେ ଯେ, ସେ ପୁଣି ଥରେ ଓଡ଼ିଶା ଆସିବେ। କିନ୍ତୁ ସେତେବେଳେ ସେ ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ଆସିବେ। ଏହା ସହ ମେ ୨୩ ଫଳାଫଳ ପରେ ରାଜ୍ୟରେ ନବୀନ ସରକାର କ୍ଷମତାଚ୍ୟୁତ ହେବ ବୋଲି ମୋଦୀ କହିଥିଲେ। ଏହାର ଜବାବରେ ନବୀନ ବାଲେଶ୍ଵର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବସ୍ତାଠାରେ ଏକ ସଭାରେ କହିଥିଲେ, ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ବିଜେଡି ବହୁମତ ହାସଲ କରିସାରିଲାଣି। ଫଳାଫଳ ପ୍ରକାଶ ପରେ ବିଜେଡିର ନୂଆ ସରକାରର ଶପଥଗ୍ରହଣ ଉତ୍ସବକୁ ସେ ମୋଦୀଙ୍କୁ ଆମନ୍ତ୍ରଣ କରିବେ।

ଶପଥଗ୍ରହଣ ଉତ୍ସବରେ ଶିଳ୍ପଦ୍ୟୋଗୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସମେତ ପାଖାପାଖି ୫ ହଜାର ଲୋକ ଯୋଗଦେବେ। ଚଳିତ ନିର୍ବାଚନରେ ମୋଟ ୧୪୭ ଆସନ ମଧ୍ୟରୁ ୧୪୬ ଆସନରେ ଭୋଟଗ୍ରହଣ ହୋଇଥିଲା। ସେଥିରୁ ବିଜେଡି ୧୧୨ ଆସନରେ ଜିତିଥିବାବେଳେ ବିଜେପି ୨୩ ଏବଂ କଂଗ୍ରେସ ୯ ଆସନରେ ବିଜୟୀ ହୋଇଛି।

Comments
Loading...