ନବୀନ-ଧର୍ମେନ୍ଦ୍ର ଭେଟଘାଟ ; ଓଡ଼ିଶା ବିକାଶ ଲକ୍ଷ୍ୟ

ଓଡ଼ିଶାର ବିକାଶ ଓ ଯୁବକଙ୍କ ରୋଜଗାର ପ୍ରମୁଖ ବିଷୟ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବ ରାଜନୈତିକ ତିକ୍ତତାକୁ ଏଡ଼ାଇ ଯାଇ ଆଜି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ ଆଲୋଚନା କରିଛନ୍ତି । ସ୍ଥାନୀୟ ଓଡ଼ିଶା ଭବନରେ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାର ବିକାଶ ଏବଂ ରୋଜଗାର ସୃଷ୍ଟି ବିଷୟରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସହଯୋଗରେ ବିଶ୍ୱାସ କରୁଛନ୍ତି ବୋଲି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାକ୍ଷାତ ରାଜନୈତିକ ନୁହେଁ; ସୌଜନ୍ୟମୂଳକ ଥିଲା । ଓଡ଼ିଶାର ବିକାଶ ଏବଂ ସାଢ଼େ ଚାରି କୋଟି ଜନତାଙ୍କ କଲ୍ୟାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ମିଳିତ ଭାବେ ସମନ୍ୱୟ ରଖି କାମ କରିବେ ସେବିଷୟରେ ଆଲୋଚନା ହୋଇଥିଲା। ବାତ୍ୟା ‘ଫଣି’ କ୍ଷୟକ୍ଷତି ପରେ କେନ୍ଦ୍ରୀୟ ସହାୟତା ଏବଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଗତ ନିର୍ବାଚନରେ ଓଡ଼ିଶାର ଜନତା ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ଭରସା କରିଛନ୍ତି। ସବୁ ବେଳେ ରାଜନୀତି ଚର୍ଚ୍ଚା କରାଯାଏ ନାହିଁ, ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ଜୀବନରେ ପରିବର୍ତ୍ତନ ଓ ଯୁବକଙ୍କ ରୋଜଗାର ଏବେ ପ୍ରମୁଖ ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଇସ୍ପାତ କ୍ଷେତ୍ର ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନେଇ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଜାତୀୟ ଇସ୍ପାତ ନୀତିରେ ଓଡ଼ିଶାରେ ୧୦୦ ମିଲିୟନ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ବିଷୟରେ ଉଲ୍ଲେଖ ରହିଛି; ଏବେ ମୁଁ ଅନୁଧ୍ୟାନ କରୁଛି; ଖୁବ୍‍ଶୀଘ୍ର ଓଡ଼ିଶା ପାଇଁ କ’ଣ କରାଯାଇ ପାରିବ ଜଣାଇବି । ଏହି ଅବସରରେ ଭାରତୀୟ ଇସ୍ପାତ ପ୍ରାଧିକରଣ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନିକୋଟି ଟଙ୍କାର ଚେକ୍‍ ପ୍ରଦାନ କରାଯାଇଥିଲା ।
କ୍ରମାଗତ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ସ୍ଥାନୀୟ ଓଡ଼ିଶା ଭବନରେ ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନ ଗୁଡ଼ିକ ତରଫରୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରବାସୀ ଓଡ଼ିଆ ସଂଗଠନ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.