ନବୀନଙ୍କ କ୍ୟାବିନେଟରେ ୧୦ ପୁରୁଣା ମୁହଁ

ଭୁବନେଶ୍ବର : କ୍ରମାଗତ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେଇଛନ୍ତି । ନବୀନଙ୍କ ସମେତ ୨୧ ଜଣିଆ କ୍ୟାବିନେଟ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । କିଛି ନୂଆ ଓ ପୁରୁଣା ମୁହଁକୁ ତାଙ୍କ କ୍ୟାବିନେଟରେ ସ୍ଥାନ  ମିଳିଛି। ମୋଟ ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ଜଣ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେମାନଙ୍କୁ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି।

ନବୀନଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ୧୦ ପୁରୁଣା ମୁହଁଙ୍କ ମଧ୍ୟରେ ଅଛନ୍ତି ପ୍ରଫୁଲ୍ଲ ମଲ୍ଲିକ, ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ କୁମାର ସାହୁ, ପ୍ରତାପ ଜେନା, ସୁଦାମ ମାର୍ଣ୍ଡି,ସୁଶାନ୍ତ ସିଂହ,ପଦ୍ମନାଭ ବେହେରା ଓ  ଅଶୋକ ଚନ୍ଦ୍ର ପଣ୍ଡା। ସେମାନଙ୍କ ମଧ୍ୟରୁ ୯ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅଶୋକ ପଣ୍ଡା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପ୍ରଫୁଲ୍ଲ ମଲ୍ଲିକ: କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ପୁନର୍ବାର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ହୋଇଛନ୍ତି। ପୂର୍ବରୁ ଶ୍ରୀ ମଲ୍ଲିକ ଖଣି ଓ ଇସ୍ପାତ ବିଭାଗ ଦାୟିତ୍ବରେ ଥିଲେ। ଶ୍ରୀ ମଲ୍ଲିକ ବିଜେପିର ଶତୃଘ୍ନ ଜେନାଙ୍କୁ ୧୬ହଜାରରୁ ଅଧିକ ଭୋଟରେ ହରାଇଥିଲେ।

ବିକ୍ରମ କେଶରୀ ଆରୁଖ: ଭଞ୍ଜନଗର ବିଧାନସଭା ଆସନରୁ ବିଧାୟକ ହୋଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ତୃତୀୟଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଶ୍ରୀ ଆରୁଖ ନବୀନଙ୍କ ଚତୁର୍ଥ ପାଳିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ଚଳିତଥର ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ୯ହଜାର ଭୋଟ ବ୍ୟବଧାନରେ ହରାଇଥିଲେ।

ନିରଞ୍ଜନ ପୂଜାରୀ: ସୁବର୍ଣ୍ଣପୁର ବିଧାନସଭା ଆସନରୁ ଜିତିଥିବା ନିରଞ୍ଜନ ପୂଜାରୀଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଶ୍ରୀ ପୂଜାରୀ ପୂର୍ବରୁ ନଗର ଉନ୍ନୟନ ଓ ଜଳସମ୍ପଦ ମନ୍ତ୍ରୀ ଏବଂ ବାଚସ୍ପତି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିବାର୍ହ କରିଛନ୍ତି। ​ସେ ବିଜେପିର ଅଶୋକ କୁମାର ପୂଜାରୀଙ୍କୁ ୨୫ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ରଣେନ୍ଦ୍ର ପ୍ରତାପ ସ୍ବାଇଁ: ଆଠଗଡ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପଞ୍ଚମ ପାଳରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ନବୀନଙ୍କ ପ୍ରଥମ ପାଳି ମନ୍ତ୍ରିମଣ୍ଡଳରେ ସେ କ୍ରୀଡାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ସେ ବିଜେପିର ବ୍ରଜେନ୍ଦ୍ର କୁମାର ରାୟଙ୍କୁ ୫୭ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଅରୁଣ କୁମାର ସାହୁ : ନୟାଗଡ ବିଧାନସଭା ଆସନରୁ ଅରୁଣ କୁମାର ସାହୁଙ୍କୁ ପୁନର୍ବାର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଶ୍ରୀ ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଇରାନୀ ରାୟଙ୍କୁ ୧୪ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଶ୍ରୀ ସାହୁ ପୁର୍ବରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ।

ପ୍ରତାପ ଜେନା: ମାହାଙ୍ଗା ବିଧାନସଭା ଆସନରୁ ବିଜୟଲାଭ କରିଥିବା ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଶ୍ରୀ ଜେନା ଚତୁର୍ଥପାଳିରେ ସ୍ବାସ୍ଥ୍ୟ, ଆଇନ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ବ ନିର୍ବାହ କରିଥିଲେ। ଶ୍ରୀ ଜେନା ଚଳିତଥର ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସାରଦା ପ୍ରସାଦ ପ୍ରଧାନଙ୍କୁ ୨୯ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥଲେ।

ସୁଦାମ ମାର୍ଣ୍ଡି: ବାଙ୍ଗିରିପୋଷି ବିଧାନସଭା ଆସନରୁ ଜିତିଥିବା ସୁଦାମ ମାର୍ଣ୍ଡିକୁ ଦ୍ବିତୀୟଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଶ୍ରୀ ମାର୍ଣ୍ଡି ପୂର୍ବରୁ କ୍ରୀଡାମନ୍ତ୍ରୀ ଥିଲେ। ଏଥର ସେ ବିଜେପିର ସୁଗଦା ମୁର୍ମୁଙ୍କୁ ୧୧ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ଥିଲେ।

ପଦ୍ମନାଭ ବେହେରା: ବୀରମହାରାଜପୁର ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ପଦ୍ମନାଭ ବେହେରାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେ ପୂର୍ବରୁ ଖଣିମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଶ୍ରୀ ବେହେରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରଘୁନାଥ ଜଗଦଳାଙ୍କୁ ୧୩ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ସୁଶାନ୍ତ ସିଂହ: ଭଟଲି ବିଧାନସଭା ଆସନରୁ ଜିତିଥିବା ସୁଶାନ୍ତ ସିଂଙ୍କୁ ପୁନର୍ବାର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଶ୍ରୀ ସିଂ ପୂର୍ବରୁ ଶ୍ରମ ଓ ଶକ୍ତି ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ସେ ଚଳିତଥର ନିର୍ବାଚନରେ ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କୁ ୨୩ହଜାରରୁ ଅଧିକ ଭେଟାରେ ପରାସ୍ତ କରିଛନ୍ତି।

ଅଶୋକ ଚନ୍ଦ୍ର ପଣ୍ଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ପୂର୍ବରୁ ଥିବା ୯ଜଣ ମନ୍ତ୍ରୀଙ୍କୁ ପୁନର୍ବାର ସୁଯୋଗ ମିଳିଛି। ​‌ଏକାମ୍ର ବିଧାନସଭା କ୍ଷେତ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସ୍ଥାପ୍ରକଟ କରିଛନ୍ତି। ଶ୍ରୀ ପଣ୍ଡା ଚତୁର୍ଥପାଳିରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀଥିଲେ । ଅନ୍ୟମାନେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅଶୋକ ପଣ୍ଡା ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Comments are closed.