୩୦୦ କୋଟି ମାଗିଲେ ନବୀନ

ଭୁବନେଶ୍ବର: କୋଭିଡ ପରିଚାଳନା ପାଇଁ କେନ୍ଦ୍ରକୁ ଅଧିକ ୩୦୦ କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶରେ କରୋନାର ଦ୍ବିତୀୟ ଲହରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି। କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା କେନ୍ଦ୍ର ସରକାରଙ୍କୁ ୪୦୦ କୋଟି ଟଙ୍କା ମାଗିଥିଲା। କିନ୍ତୁ ରାଜ୍ୟକୁ ମାତ୍ର ୧୪୬ କୋଟି ଟଙ୍କା ମିଳିଥିଲା। କରୋନା ପରିଚାଳନା ପାଇଁ ଅତିକମରେ ଆଉ ୩୦୦ କୋଟି ଟଙ୍କା ଦିଆଯାଉ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କହିଛନ୍ତି। ସେହିପରି ଟିକା ନଷ୍ଟ କ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ପଛରେ ରହିଛି। କିନ୍ତୁ ଟିକା ଅଭାବରୁ ରାଜ୍ୟରେ ଟିକାକରଣ କାର୍ୟ୍ୟକ୍ରମ ବାଧାପ୍ରାପ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ଦୈନିକ ଅଢ଼େଇ ଲକ୍ଷ ଟିକାକରଣ କରାଯାଉଛି ଏବଂ ଟିକାକରଣ ବୃଦ୍ଧି କରିବାର କ୍ଷମତା ଆମର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ଅତିକମରେ ୧୦ଦିନ ପାଇଁ ଅଧିକ ଟିକା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ଏସଡିଆରଏଫ ପାଣ୍ଠିର ୫୦% ଖର୍ଚ୍ଚ କରିବାକୁ ଅନୁମତି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଚଳିତ ବର୍ଷ ପାଇଁ ଏହି ଅନୁମତି ମିଳୁ ବୋଲି କହିଛନ୍ତି।

Comments are closed.