ଓଡ଼ିଶା ହେବ ମାନୁଫାକ୍‍ଚରିଂ ହବ୍‌: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଓଡ଼ିଶା ପୂର୍ବ ଭାରତର ମାନୁଫାକ୍‍ଚରିଂ ହବ୍‍ ଭାବେ ଉଭା ହୋଇଛି। ଓଡ଼ିଶାକୁ ଦକ୍ଷିଣ ଏସିଆର ମାନୁଫାକ୍‍ଚରିଂ ହବରେ ପରିଣତ କରିବା ପାଇଁ କାମ ଆଗେଇ ଚାଲିଛି। ମୋ ସରକାର ତିନିଟି ଟି ଟ୍ରାନ୍ସପରେନ୍ସ(ସ୍ୱଚ୍ଛତା), ଟେକ୍ନୋଲୋଜି(ପ୍ରଯୁକ୍ତି) ଓ ଟିମ୍‍ ୱାର୍କ (ଦଳଗତ ପ୍ରଚେଷ୍ଟା) ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରଗତିଶୀଳ ନୀତି ଘୋଷଣା କରାଯାଇଛି। ଶିଳ୍ପ ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ଯୋଗାଇବାକୁ ରାଜ୍ୟସ୍ତରୀୟ ଭିତ୍ତିଭୂମି ସୃଷ୍ଟି ହୋଇଛି। ପୂର୍ବ ଉପକୂଳକୁ ଅର୍ଥନୈତିକ କରିଡ଼ର ସହିତ ତିନିଟି ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସଚିବାଳୟଠାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି ୧୦ଟି କ୍ଷେତ୍ରରେ ୨,୯୦୧କୋଟି ଟଙ୍କାର ପୁଞ୍ଜିନିବେଶକୁ ଲକ୍ଷ୍ୟରେ ରଖି ୨ଟି ପ୍ରକଳ୍ପ ଉଦଘାଟନ କରିବା ସହିତ ୧୩ଟି ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ଏସବୁ ପ୍ରକଳ୍ପ ପ୍ରତିଷ୍ଠା ଜରିଆରେ ରାଜ୍ୟର ୩,୦୯୧ଜଣଙ୍କୁ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ପ୍ରକଳ୍ପ ଉଦଘାଟନ ଓ ଭୂମିପୂଜନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୬ରେ ଅନୁଷ୍ଠିତ ମେକ୍‍ ଇନ୍‍ ଓଡ଼ିଶାର ନିବେଶକ ସମ୍ମିଳନୀ ସଫଳ ହୋଇଥିଲା। ଏଥିରେ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ନିବେଶକାରୀମାନେ ଆଗ୍ରହ ପ୍ରକାଶ କରିଥିଲେ। ମୋ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଥିବାବେଳେ ଏ ପର୍ଯ୍ୟନ୍ତ ୬୫ ପ୍ରତିଶତ ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟକାରିତା ପର୍ଯ୍ୟାୟରେ ରହିଛି। ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ଯେପରି ଠିକଣା ଭାବେ ଆୟୋଜିତ ହେବ ସେ ଦିଗରେ ସମ୍ପୃକ୍ତ ସମସ୍ତ ବିଭାଗ ସଫଳତାର ସହ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏହି ସମ୍ମିଳନୀ ପାଇଁ ଜାପାନ ଅଂଶୀଦାର ରାଷ୍ଟ୍ର ହେବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାଦ୍ୱାରା ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ମିଳିବ। ଆଜିର ଉଦଘାଟନ ଓ ଭୂମିପୂଜନ ଦ୍ୱାରା ରାଜ୍ୟର ସହସ୍ରାଧିକ ଲୋକ ନିଯୁକ୍ତି ପାଇବେ। ନୂଆ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ସେ ସମସ୍ତ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ।
ଆଜି ଉଦ୍‍ଘାଟିତ ହୋଇଥିବା ଦୁଇଟି ପ୍ରକଳ୍ପ ମଧ୍ୟରେ ରହିଛି ବଲାଙ୍ଗିରର ପାଟଣାଗଡ଼ଠାରେ ନିର୍ମିତ ୧୦ ମେଗାୱାଟ ବିଶିଷ୍ଟ ସୋଲାର ଶକ୍ତି ପ୍ରକଳ୍ପ। ଏଥିରେ ୫୭.୧୭କୋଟି ଟଙ୍କା ବିନିଯୋଗ ହେବ ଏବଂ ୧୫ଜଣଙ୍କୁ ନିଯୁକ୍ତି ମିଳିବ। ଜ୍ୟୋତି ସୋଲାର ସଲ୍ୟୁସନ୍ସ ଏହି ପ୍ରକଳ୍ପ ନିର୍ମାଣ କରିବ। ସେହିପରି ଗଞ୍ଜାମ ଜିଲାର ଜୟଶ୍ରୀଠାରେ ୩୩ହଜାର ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ କଷ୍ଟିକ ସୋଡ଼ା ପ୍ରକଳ୍ପ ନିର୍ମାଣ କରାଯିବ। ଗ୍ରାସିମ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଏଥିରେ ୧୧୦କୋଟି ଟଙ୍କା ବିନିଯୋଗ ହେବ ଏବଂ ୧୦୩ଜଣ ନିଯୁକ୍ତି ପାଇବେ। ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ରାଜଗାଙ୍ଗପୁରରେ ତୃତୀୟ ସମନ୍ବିତ ଡାଲମିଆ ସିମେଣ୍ଟ କାରଖାନା, ଘରୋଇ ରେଳ ସାଇଡ଼ିଂ, ସିମେଣ୍ଟ ଗ୍ରାଇଣ୍ଡିଂ, କପ୍‍ ଉତ୍ପାଦନ, ଓୟାର ଡ୍ରଇଁ ଆଲୁମିନିୟମ, ଇନସୁଲେଟେଡ଼ ୱେର କେବୁଲ୍ସ, କୁକୁଡ଼ା ଖାଦ୍ୟ ଓ କୁକୁଡ଼ା ମାଂସ ଶୀତଳୀକରଣ ଭଣ୍ଡାର, ଲଜିଷ୍ଟିକ୍‍ ଆଣ୍ଡ ୱେରହାଉସିଂ, ପିଭିସି ପାଇପ ଫିଟିଂ, ପ୍ଲାଷ୍ଟିକ ପାର୍କ ଓଭେନ୍‍, ସଫ୍ଟୱେର ଡ଼େଭଲପମେଣ୍ଟ, ପେପର ପ୍ୟାକ୍‍ ପ୍ରକଳ୍ପ। ସେହିଭଳି ପୂର୍ବ ଭାରତରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍‌ର ପ୍ରମୁଖ କମ୍ପାନୀ ଓସିଏଲ୍‌ ଇଣ୍ଡିଆ ପକ୍ଷରୁ ଆଜି ରାଜଗାଙ୍ଗପୁରରେ ତୃତୀୟ ସମନ୍ବିତ ସିମେଣ୍ଟ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶା ପ୍ରତି ରହିଥିବା ପ୍ରତିଶ୍ରୁତିବଦ୍ଧତା ପଦକ୍ଷେପକୁ ଆଉ ପାଦେ ଆଗକୁ ବଢ଼ାଇଛି। ଏହି ନୂତନ ଉତ୍ପାଦନ କାରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମହେନ୍ଦ୍ର ସିଂଘି, ଗ୍ରୁପ୍‌ ସିଇଓ, ଡାଲମିଆ ଭାରତ ସିମେଣ୍ଟ, ଅମନ ଦୀପ, ପୂର୍ଣ୍ଣକାଳୀନ ନିର୍ଦେଶକ, ଓସିଏଲ୍‌ ଇଣ୍ଡିଆ ଲିମିଟେଡ ଓ ଜୟରାମ ମିଶ୍ର, ମୁଖ୍ୟ କର୍ପୋରେଟ୍‌ ବ୍ୟାପାର (ପୂର୍ବ), ଡିସିବିଏଲ୍‌ ଉପସ୍ଥିତ ରହିଥିଲେ।
ଭୂମି ପୂଜନ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ କହିଥିଲେ ଯେ ୨୦୧୬ ମେକ ଇନ ଓଡ଼ିଶା କନକ୍ଲେଭର ସଫଳତା ପରେ ଓଡ଼ିଶା ସମଗ୍ର ଭାରତବର୍ଷରେ ପୁଞ୍ଜିନିବେଶରେ ଅଗ୍ରଣୀ ରାଜ୍ୟ ପାଲଟିଛି। ନିକଟରେ ତାଇୱାନ ଓ ଚୀନର ଫୁଜିଆନ ଶିଳ୍ପ ପ୍ରତିନିଧି ଓଡ଼ିଶା ଗସ୍ତ କରି ଆଗାମୀ ଦିନରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆସନ୍ତା ୨୬ରେ ଆମ ରାଜ୍ୟର ଏକ ପ୍ରତିନିଧି ଦଳ ଜାପାନ, ଦକ୍ଷିଣ କୋରିଆ ଓ ଚୀନ ଗସ୍ତ କରି ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଶିଳ୍ପ ସଂସ୍ଥା ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply