ନବୀନ ନିବାସରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ରହିଥିବା ଓଡ଼ିଆ ଭାଇଭଉଣୀମାନେ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା, ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ସନ୍ଧ୍ୟା ୫.୩୦ ମିନିଟ୍‌ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିଧାୟକ ବୃନ୍ଦ, ଲୋକସେବା ଭବନ ଓ ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଓ ସଂସ୍ଥା ଦ୍ୱାରା ସାମାଜିକ ଦୂରତ୍ୱ ରକ୍ଷାପୂର୍ବକ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୂତପୂର୍ବ ଉତ୍ସାହ ସହ କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବାରୁ ଓଡ଼ିଶାବାସୀ ଏବଂ ସାରା ବିଶ୍ୱର କୋଣ-ଅନୁକୋଣରେ ଥିବା ଓଡ଼ିଆମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସାଧାରଣ ପରିସ୍ଥିତିରେ ଓଡ଼ିଆ ଜାତି ଏକଜୁଟ ହୋଇ କରୋନା ଯୋଦ୍ଧାଙ୍କୁ ସାହସ ଯୋଗାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.