ବିକାଶ ଓ ଶାନ୍ତି ପାଇଁ ନକ୍ସଲ୍‍ଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

0

ମାଲକାନଗିରି/କଟକ/ଭୁବନେଶ୍ୱର: ନକ୍ସଲ୍‍ମାନେ ହିଂସା ବଦଳରେ ରାଜ୍ୟର ଶାନ୍ତି ଓ ପ୍ରଗତିରେ ଭାଗୀଦାର ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଗୁୁରୁପ୍ରିୟା ସେତୁ ଉଦ୍‍ଘାଟନ ପରେ ଟ୍ୱିଟ୍‍ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ। ତେଣୁ ହିଂସା ପରିତ୍ୟାଗ କରନ୍ତୁ। ଆସନ୍ତୁ ରାଜ୍ୟର ବିକାଶ, ଶାନ୍ତି ଓ ପ୍ରଗତି ପଥରେ ସାମିଲ୍‍ ହୁଅନ୍ତୁ।’

ବିଚ୍ଛିନ୍ନାଞ୍ଚଳ ଏବେ ସ୍ୱାଭିମାନ ଅଞ୍ଚଳ

ଗୁୁରୁପ୍ରିୟା ସେତୁକୁ ଶାନ୍ତି, ପ୍ରଗତି ଓ ଗର୍ବର ପ୍ରତୀକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଦୀର୍ଘ ୭ ଦଶନ୍ଧି ଧରି ୧୫୧ଟି ଗାଁରେ ଲୋକେ ବିଚ୍ଛିନ୍ନାଞ୍ଚଳରେ ରହିଥିଲେ। ଗୁରୁପ୍ର୍ରିୟା ସେତୁ ଉଦ୍‍ଘାଟନ ପରେ ଏବେ ବିଚ୍ଛିନ୍ନାଞ୍ଚଳ ଇତିହାସ ପାଲଟି ଯାଇଛି। ବିଚ୍ଛିନ୍ନାଞ୍ଚଳ ଏବେ ସ୍ୱାଭିମାନ ଅଞ୍ଚଳ ଭାବେ ନୂଆ ପରିଚୟ ପାଇଛି। କେବଳ ଓଡ଼ିଶା ପାଇଁ ନୁହେଁ ସମଗ୍ର ଦେଶ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ। ୨୦୧୪ରେ ଏହି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ମାତ୍ର ୪ ବର୍ଷ ଭିତରେ ସମାପ୍ତ ହୋଇଛି। ଏହା ମଧ୍ୟରେ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଛି। କିନ୍ତୁ ସେ ସବୁ ସତ୍ତେ୍ୱ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହା ଓଡ଼ିଶାର ଦୃଢ଼ ଇଚ୍ଛାଶକ୍ତି ଓ ସ୍ୱାଭିମାନର ପରିଚାୟକ। ରାଜ୍ୟର ସବୁ ଅଞ୍ଚଳକୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଇଥିଲେ। ଆଜି ସେହି ସ୍ୱପ୍ନ ସାକାର ହୋଇଛି। ଗୁରୁପ୍ରିୟା ସେତୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ। ଏହି ସେତୁ ଶାନ୍ତି, ସହଯୋଗ ଓ ବିକାଶର ପ୍ରତୀକ ହେବ। ଓଡ଼ିଶାବାସୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ।
ଗୁରୁପ୍ରିୟା ସେତୁ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ଅବଦାନ ଏବଂ ଓଡ଼ିଶା ଓ କେନ୍ଦ୍ର ପୁଲିସ ବାହିନୀର ତ୍ୟାଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ସହିଦମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ମାଲକାନଗିରି ପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‍

ଗୁରୁପ୍ରିୟା ସେତୁ ଉଦ୍‍ଘାଟନ ପରେ ମାଲକାନଗିରି ପାଇଁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ମାଲକାନଗିରି ଜିଲାର ଗମନାଗମନ, ବିଦ୍ୟୁତକରଣ, ସ୍ୱାସ୍ଥ୍ୟ, କୃଷି, ମତ୍ସ୍ୟଚାଷ, ପାନୀୟ ଜଳଯୋଗାଣ ବିକାଶ ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ। ସେ ନିଜେ ଏହି କାର୍ଯ୍ୟର ତଦାରଖ କରିବେ ବୋଲି କହିଛନ୍ତି। ମାଲକାନଗିରି ତାଙ୍କ ପାଇଁ ସବୁବେଳେ ସ୍ୱତନ୍ତ୍ର ହୋଇ ରହିଛି ଓ ରହିବ। ଆଜି ମାଲକାନଗିରିରେ ଯେଉଁ ବିରାଟ ହସ୍ପିଟାଲ୍‍ ଉଦ୍‍ଘାଟିତ ହୋଇଛି ତାହା ବିକାଶର ଅଗ୍ରଗତିର ପ୍ରତୀକ ବୋଲି ସେ କହିଛନ୍ତି।

ଉଦ୍‍ଘାଟିତ ହେଲା ହସ୍ପିଟାଲ୍‍

ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ମିତ ହସ୍ପିଟାଲ୍‍ ଉଦ୍‍ଘାଟନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଜିଲା କ୍ରୀଡ଼ା କମ୍ପେ୍ଲକ୍ସଠାରେ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାର ସୁବିଧା ପ୍ରଦାନ କରିଥିଲେ।

Comments
Loading...