ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ବିକାଶ ନେଇ ଗୁରୁତ୍ବ : ୨୦ ହଜାର କୋଟିର ସହାୟତା ଦାବି

ଭୁବନେଶ୍ବର : ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ରାଜ୍ୟ ସରକାର। ଅମ୍ପନ୍ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍ ସହିତ ଲୋକସେବା ଭବନରେ ଆଲୋଚନା ବେଳେ ବିପର୍ଯ୍ୟୟ ମୁକାବିଲାର ଦୀର୍ଘସୂତ୍ରୀ ସମାଧାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଥିଲା। ଅପରପକ୍ଷେ ବିପର୍ଯ୍ୟୟ ପରିଚାଳନା ଦକ୍ଷତା, ପ୍ରସ୍ତୁତି ଓ ପ୍ରଶମନ ପାଇଁ ଓଡ଼ିଶାର ପଦକ୍ଷେପକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛି। ଅମ୍ପନ୍ ଜନିତ କ୍ଷୟକ୍ଷତି ଭରଣା ସହିତ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ କେନ୍ଦ୍ର ନିକଟରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପାଣ୍ଠି ପାଇଁ ରାଜ୍ୟ ସରକାର ଦାବି ଉପସ୍ଥାପନ କରିଛନ୍ତି। ଅମ୍ପନ୍ ପରେ ମେ’ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଆଜି କେନ୍ଦ୍ରୀୟ ଟିମ୍ ପାଖରେ ରାଜ୍ୟ ସରକାର ସମାନ ଦାବି ଉପସ୍ଥାପନ କରାଯାଇଛି।
ବିପର୍ଯ୍ୟୟ ପ୍ରତିରୋଧୀ କୋଠା ଘର ନିର୍ମାଣ, ଭୂତଳ ବିଦ୍ୟୁତ କେବୁଲ୍ ବ୍ୟବସ୍ଥା, ଲୁଣା ବନ୍ଧଗୁଡ଼ିର ଉଚ୍ଚତାକୁ ୬.୫ ମିଟର ବୃଦ୍ଧି କରିବା, ୧.୬୬ ଲକ୍ଷ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା, ରିମୋର୍ଟ ନିୟନ୍ତ୍ରିତ ଜିଆଇଏସ୍‌ ଗ୍ରିଡ୍ ଏବଂ ଗ୍ରାମାଞ୍ଚଳରେ ବାତ୍ୟା ପ୍ରତିରୋଧି ବିଦ୍ୟୁତ ସରବରାହ ତଥା ବିତରଣ ଭିତ୍ତିଭୂମି ବ୍ୟବସ୍ଥା ସଶକ୍ତ କରିବା ଆଦି ଦାବି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ସମ୍ବେଦନଶୀଳ ସ୍ଥାନରେ ଆଗୁଆ ମାନବ ସମ୍ବଳ ତଥା ସରଞ୍ଜାମ ମୁତୟନ କରିବା, ସଠିକ୍ ସମୟରେ ତଳିଆ ଅଞ୍ଚଳରୁ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ପ୍ରତିଷେଧମୂଳକ ପଦକ୍ଷେପ, ନାଗରିକ ସମାଜର ସମ୍ପୃକ୍ତି ଯୋଗୁଁ ବିପର୍ଯ୍ୟୟ ପରିଚାଳନା ସଫଳ ହୋଇଛି ବୋଲି କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ମତପ୍ରକାଶ କରିଥିଲେ। ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ଭୌ​‌େ​‌ଗାଳିକ ଦୃଷ୍ଟିକୋଣ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଗ୍ରୀଷ୍ମ, ବର୍ଷା ଓ ମୌସୁମି ପରବର୍ତ୍ତୀ ସମୟରେ ରାଜ୍ୟରେ ନିୟମିତ ଭାବେ ଘୂର୍ଣ୍ଣିଝଡ଼ ଦେଖାଦେଉଛି। ତେଣୁ ବାତ୍ୟା ପରେ ତୁରନ୍ତ ପୁନରୁଦ୍ଧାର ଓ ପୁନଃଥଇଥାନ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରିବା ବଦଳରେ ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ପାଇଁ ସହାୟତା ଦେବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ ବୋଲି ଶ୍ରୀ ତ୍ରୀପାଠୀ କହିଥିଲେ।

Comments are closed.