ବଢିଲା ନୌସେନାର ଶକ୍ତି, ଆଇଏନଏସ ବିକ୍ରମାଦିତ୍ୟରେ ସଫଳ ଅବତରଣ କଲା ତେଜସ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ବିମାନ ବାହକ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ସଫଳ ଅବତରଣ କରିଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ। ଆଇଏନଏସ ବିକ୍ରମାଦିତ୍ୟରେ ତେଜସର ସଫଳ ଅବତରଣ କରିବା ପରେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନର ଅଧିକାରୀ ଆଶା କରିଛନ୍ତି ତେଜସ ଖୁବ୍ ଶିଘ୍ର ଆଇଏନଏସ ବିକ୍ରମାଦିତ୍ୟରୁ ସଫଳ ଉଡାଣ ଭରିବ।

ତେଜସରର ସଫଳ ଅବତରଣ ପରେ ଭାରତୀୟ ନୌସେନା ଇତିହାସ ରଚିଛି। ଭାରତୀୟ ନୌସେନା ଏହି ସୂଚନା ଦେଇ କହିଛି ଯେ  ପ୍ରଥମ ଥର ପାଇଁ ବିମାନ ବାହକ ଯୁଦ୍ଧ ଜାହାଜରେ କୌଣସି ସ୍ଵଦେଶୀ ଲଢ଼ୁଆ ବିମାନ ଅବତରଣ କରିଛି। ଶନିବାର ସକାଳ ୧୦ଟା ୨ ମିନିଟରେ ଏହାର ଅବତରଣ ହୋଇଛି। କମାଣ୍ଡର ଜୟଦୀପ ମାଓ୍ଵଲଙ୍କର ଏହି ଅବତରଣ କରାଇଛନ୍ତି। ଏହି ସଫଳ ଅବତରଣ ପରେ ରୁଷ, ଆମେରିକା, ଫ୍ରାନ୍ସ, ବ୍ରିଟେନ୍ ଓ ଚୀନ ପରେ ଭାରତ ବିମାନ ବାହକ ଯୁଦ୍ଧ ବିମାନରେ ଅବତରଣ କରାଇବାରେ ଷଷ୍ଠ ଦେଶରେ ପରିଣତ ହୋଇଛି।

ସୂଚନାଯୋଗ୍ୟ ଚୀନ ଓ ପାକିସ୍ତାନ ନୌସମରାଭ୍ୟାସ କରୁଥିବା ସମୟରେ ଭାରତ ବଡ ପଦକ୍ଷେପ ନେଇଛି। ଚୀନ ଓ ପାକିସ୍ତାନ ଉପରେ ନଜର ରଖିବା ପାଇଁ ଆରବ ସାଗରରେ ଭାରତ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରମାଦିତ୍ୟକୁ ମୁତୟନ କରିଛି। ଚୀନ ଓ ପାକିସ୍ତାନ ମଧ୍ୟରେ ହେଉଥିବା ୯ ଦିନିଆ ନୌସମରାଭ୍ୟାସ ସମୟରେଆଇଏନଏସ ବିକ୍ରମାଦିତ୍ୟକୁ ଆରବ ସାଗରରେ ମୁତୟନ କରି ଭାରତ ନିଜର ଉପସ୍ଥିତିକୁ ଜାହିର କରିଛି। ଆଇଏନଏସ ବିକ୍ରମାଦିତ୍ୟ ଆରବ ସାଗରରେ ଚୀନ ଓ ପାକିସ୍ତାନ ଉପରେ କଡା ନଜର ରଖିଛି।

Comments are closed.