ଚାଷୀଙ୍କ କାମରେ ଆସୁନି ଉଠା ଜଳସେଚ ପ୍ରକଳ୍ପ

ନାଉଗାଁ : ଉଠା ଜଳସେଚନ ମାଧ୍ୟମରେ ଚାଷୀଙ୍କୁ ଜଳ ଯୋଗାଇ ଦେବାକୁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା କାରଣରୁ ସେଗୁଡିକ କେଉଁଠି ଅଚଳ ଅବସ୍ଥାରେ ପଡିରହିଛି ତ ଆଉ କେଉଁଠି କାର୍ଯ୍ୟରେ ଆସୁନାହିଁ। ଚଳିତ ବର୍ଷ ସ୍ୱଳ୍ପ ବର୍ଷା କାରଣରୁ ନାଉଗାଁ ବ୍ଲକରେ ଅଦ୍ୟାବଧି ଚାଷକାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ବ୍ଲକର ୧୬ଟି ପଞ୍ଚାୟତର ୨୫ହଜାର ହେକ୍ଟର ଚାଷଜମି ମଧ୍ୟରୁ ପ୍ରାୟ ୧୫ହଜାର ଚାଷଜମିରେ ଧାନଚାଷ କରାଯାଏ। ସରକାରୀ କାଗଜପତ୍ରରେ କେନାଲ, ଚେକ୍‍ଡ୍ୟାମ୍‍ ଦ୍ୱାରା ଏହି ବ୍ଲକରେ ୩୪ଭାଗ ଚାଷଜମି ସରକାରଙ୍କ ଦ୍ୱାରା ଜଳସେଚିତ ହେଉଥିବା ଦର୍ଶାଯାଇଛି ା ବାସ୍ତବ କ୍ଷେତ୍ରରେ ମାତ୍ର ୧୫ଭାଗ ଚାଷଜମିରେ ଜଳସେଚନର ବ୍ୟବସ୍ଥା ରହିଥିବା ଦେଖିବାକୁ ମିଳୁଛି। ଚେକ୍‍ଡ୍ୟାମ୍‍ ଗୁଡିକରୁ ଅନେକ ଯାଗାରେ ଭାଙ୍ଗିଯାଇଥିବା ବେଳେ କେନାଲରେ ଠିକ୍‍ ସମୟରେ ପାଣି ଆସୁନାହିଁ। ତେଣୁ ଏଠାକାର ଚାଷୀମାନେ ଧାନଚାଷ ପାଇଁଁ ଉଠାଜଳସେଚ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ବେଳେ ଏହି ବ୍ଲକରେ ଥିବା ପ୍ରାୟ ଅଧିକାଂଶ ଉଠାଜଳସେଚ ପ୍ରକଳ୍ପ ଗୁଡିକ ଏବେ ଅଚଳ ଅବସ୍ଥାରେ ପଡିରହିଛି। ବିଭାଗୀୟ କର୍ତ୍ତୃପକ୍ଷ ପ୍ରକଳ୍ପ ଗୁଡିକୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଛି।

Comments are closed.