ଘରୋଇ କ୍ରିକେଟରୁ ଅବସରନେଲେ ନଟରାଜ ବେହେରା

କଟକ : ଓଡ଼ିଶା ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ହଳଧର ଦାସଙ୍କ ପରେପରେ ଆଉ ଜଣେ ପୂର୍ବତନ ରଣଜୀ ଅଧିନାୟକ ନଟରାଜ ବେହେରା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ସମ୍ପାଦକ ସଞ୍ଜୟ ବେହେରାଙ୍କୁ ନଟରାଜ ପତ୍ର ଦେଇ ଏହା ଜଣାଇ ଦେଇଛନ୍ତି। ମାତ୍ର ୩୧ ବର୍ଷ ବୟସରେ ନଟରାଜ କ୍ରିକେଟ ଛାଡ଼ିବା ଅନେକଙ୍କୁ ଚକିତ କରିଛି। ୨୦୧୭ରେ ଇନ୍ଦୋରରେ ମଧ୍ୟପ୍ରଦେଶ ବିପକ୍ଷରେ ନଟରାଜ ଅନ୍ତିମ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ। ଗତ ବର୍ଷ ତାଙ୍କୁ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।
ରାଉରକେଲାର ନଟରାଜଙ୍କୁ ଓଡ଼ିଶା ପାଇଁ ଖେଳିଥିବା ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ଭାବେ ଗଣନା କରାଯାଏ। ଜଣେ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଭା​‌େ​‌ବ ନଟରାଜ ଚମତ୍କାର ପ୍ରଦର୍ଶନ କରିଥିଲେ। ସ୍ବର୍ଗତଃ ହରମୋହନ ପ୍ରହରାଜଙ୍କଠାରୁ ପ୍ରଶିକ୍ଷଣ ପାଇ ନଟରାଜ ଜୁନିୟର ସ୍ତରରୁ ଓଡ଼ିଶା ପାଇଁ ଭଲ ପ୍ରଦର୍ଶନ କରି ଆସୁଥିଲେ। ୨୦୧୧ରେ ବିସିସିଆଇ ପକ୍ଷରୁ ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ୨୨ ବର୍ଷରୁ କମ୍ କ୍ରିକେଟର ପୁରସ୍କାର ମିଳିଥିଲା। ୨୦୦୮ରେ ଭୁବନେଶ୍ବରରେ ଗୁଜରାଟ ବିପକ୍ଷରେ ଖେଳି ନଟରାଜ ତାଙ୍କ ରଣଜୀ ଜୀବନ ଆରମ୍ଭ କରିଥିଲେ। ଏହାପରେ ନିୟମିତ ଭାବେ ସେ ଭଲ ପ୍ରଦର୍ଶନ କରି ଚାଲିଥିଲେ। ଓଡ଼ିଶା ବାହାରେ ସର୍ବାଧିକ ସ୍କୋର୍ କରିବାର ରେକର୍ଡ ନଟରାଜଙ୍କ ନାମରେ ରହିଛି। ୨୦୧୫-୧୬ରେ ଲାହ୍‌ଲିରେ ହରିୟାଣା ବିପକ୍ଷରେ ନଟରାଜ ଅପରାଜିତ ୨୫୫ ରନ୍ କରିଥିଲେ। ଏହାର ୪ ବର୍ଷ ତଳେ ବାରବାଟୀ ଷ୍ଟାଡିୟମ୍‌ରେ ସୌରାଷ୍ଟ୍ର ବିପକ୍ଷରେ ନଟରାଜ ଦ୍ବିଶତକ ମାରିଥିଲେ। ନଟରାଜ ଓଡ଼ିଶା ଦଳର ନେତୃତ୍ବ ମଧ୍ୟ ନେଇଥିଲେ। ୨୦୧୨ରେ ନଟରାଜଙ୍କ ନେତୃତ୍ବରେ ପୂର୍ବାଞ୍ଚଳ ପ୍ରଥମଥର ପାଇଁ ଦୁଲୀପ ଟ୍ରଫି ଚମ୍ପିଆନ୍ ହୋଇଥିଲା ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବାଞ୍ଚଳ ପାଇଁ ନଟରାଜ ସର୍ବାଧିକ ରନ୍ କରିଥିଲେ। ପୁଣି ତାଙ୍କ ନେତୃତ୍ବରେ ୱେଷ୍ଟର୍ଣ୍ଣ ସମୁରାଇଜ୍ ପ୍ରଥମ ଓପିଏଲ୍‌ ଟାଇଟଲ ଜିତିଥିଲା। ନଟରାଜ ୫୪ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୩୪.୪୪ ଆଭ୍‌ରେଜରେ ୮ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସହ ୩୦୩୧ ରନ୍ କରିଛନ୍ତି। ଲିଷ୍ଟ ‘ଏ’ ମ୍ୟାଚ୍‌ରେ ନଟରାଜ ୩୭ ମ୍ୟାଚ୍‌ରୁ ୭ଟି ଅର୍ଦ୍ଧଶତକ ସହ ୯୭୬ ରନ୍ କରିଥିଲେ। ୧୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ନଟରାଜ ୨୬୧ ରନ୍ କରିଛନ୍ତି। ଅବସର ପରେ ଏବେ ସେ ପ୍ରଶିକ୍ଷଣ ଉପରେ ଧ୍ୟାନଦେବେ ଏବଂ ଓସିଏ ତାଙ୍କୁ ଯେଉଁ ଦାୟିତ୍ବ ଦେବ; ତାହା ସେ ନିର୍ବାହ କରିବେ ବୋଲି କହିଛନ୍ତି।

Comments are closed.