ଦେଶରେ ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ : ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା

ଦେଶରେ ଆଜିଠାରୁ ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେଉଛନ୍ତି। କେନ୍ଦ୍ର ସରକାର ମୋଟ୍‍ ଟିକା ଉତ୍ପାଦନର ଶତକଡ଼ା ୭୫ଭାଗ କିଣି ରାଜ୍ୟ ମାନଙ୍କୁ ମାଗଣାରେ ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୭ ତାରିଖ ଦିନ ଘୋଷଣା କରି ଥିଲେ। ଟିକା କିଣିବା ବାବଦରେ ରାଜ୍ୟ ସରକାର ମାନଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ବାକି ଶତକଡ଼ା ୨୫ ଭାଗ ଟିକା ବେସରକାରୀ ହସ୍ପିଟାଲ ଗୁଡ଼ିକ ଦ୍ୱାରା ଆଗଭଳି ସିଧାସଳଖ କିଣିବା ଜାରି ରହିବ। ନିର୍ଦ୍ଧାରିତ ମୂଲ୍ୟ ଉପରେ ବେସରକାରୀ ହସ୍ପିଟାଲଗୁଡ଼ିକ ଟିକା ପ୍ରତି ଦେଢ଼ଶହ ଟଙ୍କା ସେବା ଚାର୍ଜ ନେବା ସଂକ୍ରାନ୍ତରେ ରାଜ୍ୟସରକାରମାନେ ତଦାରଖ କରିବେ ବୋଲି କୁହାଯାଇଥିଲା।
ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ ଓ ବ୍ୟାପକ କରିବା ଲକ୍ଷ୍ୟରେ ଆଜିଠାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦ୍ୱାରା ପୂର୍ବାପେକ୍ଷା କେନ୍ଦ୍ର ସରକାରଙ୍କୁ ଅଧିକ ୧୫ ହଜାର କୋଟି ଟଙ୍କା ଟିକାକରଣ ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ। ଚଳିତ ଆର୍ଥିକ ବର୍ଷରେ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ କରାଯାଇଥିଲା। ଯେତେ ଟିକା କିଣାଯିବ ତା’ ଉପରେ କେନ୍ଦ୍ର ସରକାର ଶତକଡ଼ା ୫ ଭାଗ ଜିଏସଟି ବହନ କରିବେ। ବର୍ତ୍ତମାନ ସୁଦ୍ଧା ଦେଶର କୋଟି କୋଟି ନାଗରିକଙ୍କୁ ମାଗଣା ଟିକାଦାନ କରା ଯାଇଛି। ଆଜିଠାରୁ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ସବୁ ସରକାରୀ ଟିକାଦାନ କେନ୍ଦ୍ରଗୁଡ଼ିକରେ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହୋଇଛି।

Comments are closed.