୨୦୧୯-୨୦ ପର୍ଯ୍ୟନ୍ତ ଜାରି ରହିବ ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ ଯୋଜନା

0

ନୂଆଦିଲ୍ଳୀ : ୨୦୧୯-୨୦ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ ଯୋଜନା ଜାରି ରଖିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଇଏଫସିର ଅନୁମୋଦନ ଅନୁରୂପ ଏଥିପାଇଁ ୧୧୬୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି।
ଯୋଜନାର ବିଶେଷତ୍ୱ : ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା କାଳରେ ଅର୍ଥ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗଙ୍କ ପରାମର୍ଶକ୍ରମେ ଯୋଜନାକୁ ଯୁକ୍ତିସଂଗତ କରିବାର ପ୍ରକ୍ରିୟା ସମ୍ପାଦନ କରାଯାଇଥିଲା। ଏହାର ଅନ୍ତର୍ଗତ ୮ଟି ଯୋଜନାକୁ ଉପଯୋଜନା ରୂପରେ ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଅଧୀନକୁ ଅଣାଯାଇଥିଲା। ଏହି କାରଣରୁ ଯୋଜନାଗୁଡ଼ିକ ମଧ୍ୟରେ ଉନ୍ନତ ତାଳମେଳ ପ୍ରତିଷ୍ଠା କରିବାରେ ସହାୟତା ମିଳିପାରିଥିଲା। ଏହାବ୍ୟତୀତ ଯୋଜନାଗୁଡ଼ିକର କୁଶଳତାରେ ସୁଧାର ଆସିଥିଲା ଏବଂ ଉପଲବ୍ଧ ସମ୍ବଳ ଆଧାରରେ ଉନ୍ନତ ଫଳାଫଳ ପ୍ରାପ୍ତ ହୋଇଥିଲା। ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ୧୫-୨୯ ବର୍ଷ ବୟସ ବର୍ଗର ଯୁବକମାନେ ସାମିଲ ହୋଇଛନ୍ତି ଯେଉଁମାନେ ରାଷ୍ଟ୍ରୀୟ ଯୁବ ନୀତି, ୨୦୧୪ରେ “ଯୁବ’ର ପରିଭାଷା ଅନୁରୂପ ଅଟେ। ବିଶେଷ କରି କିଶୋରମାନଙ୍କ ସହ ଜଡ଼ିତ କାର୍ଯ୍ୟକ୍ରମର ଉପାଦାନ କ୍ଷେତ୍ରରେ ବୟସ ସମୂହ ୧୦-୧୯ ବର୍ଷ ଅଟେ। ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ନିମ୍ନଲିଖିତ ୮ଟି ଉପଯୋଜନା ରହିଛି।
୧. ନେହରୁ ଯୁବ କେନ୍ଦ୍ର ସଂଗଠନ(ଏନୱାଇକେଏସ)
୨. ରାଷ୍ଟ୍ରୀୟ ଯୁବ ବାହିନୀ (ଏନୱାଇସି)
୩. ରାଷ୍ଟ୍ରୀୟ ଯୁବ ଏବଂ କିଶୋର ବିକାଶ କାର୍ଯ୍ୟକ୍ରମ(ଏନପିୱାଇଏଡି)
୪. ଅନ୍ତର୍ଜାତୀୟ ସହଯୋଗ
୫. ଯୁବ ଛାତ୍ରବାସ (ୱାଇଏଚ)
୬. ସ୍କାଉଟ ଏବଂ ଗାଇଡ ସଂଗଠନଗୁଡ଼ିକୁ ସହାୟତା
୭. ରାଷ୍ଟ୍ରୀୟ ଅନୁଶାସନ ଯୋଜନା (ଏନଡିଏସ)
୮. ରାଷ୍ଟ୍ରୀୟ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ। (ଏନୱାଇଏଲପି)

Leave A Reply