ଏକାଠି ହୋଇପାରେ ସଂସଦର ଶୀତ ଓ ଆସନ୍ତା ବର୍ଷର ବଜେଟ୍ ଅଧିବେଶନ

ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦୃତତର ହୋଇଛି । ଏପରିକି କରୋନାର ତୃତୀୟ ତରଙ୍ଗ ଦିଲ୍ଲୀରେ ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ଏହି ସ୍ଥିତିରେ କେନ୍ଦ୍ର ସରକାର ସଂସଦର ଶୀତ ଓ ବଜେଟ୍ ଅଧିବେଶନ ଏକାଠି କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି । ଦୁଇଟି ଅଧିବେଶନର ମିଳିତ ହେବାକୁ ବିସ୍ତାରିତ ଅଧିବେଶନ ବୋଲି କୁହାଯାଏ । ଅତି ଜରୁରୀ ସ୍ଥିତିରେ ଏପରି ଅଧିବେଶନ ଡ଼କାଯିବାର ପ୍ରାବଧାନ ରହିଛି । ତେଣୁ କରୋନା ମହାମାରୀର ପ୍ରକୋପ ଓ ଦିଲ୍ଲୀର ସ୍ଥିତିକୁ ଦେଖି ଦୁଇ ଅଧିବେଶନକୁ ଏକତ୍ର କରାଯାଇ ଗୋଟିଏ ବିସ୍ତାରିତ ଅଧିବେଶନ କରାଯିବାକୁ ଯୋଜନା ହୋଇଛି ।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁଇ ଅଧିବେଶନକୁ ଏକାଠି କରିବା ଉପରେ ଆଲୋଚନା ପ୍ରାଥମିକ ପର୍ଯ୍ୟାୟରେ ଅଛି ଏବଂ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ । ତଥାପି ଉଭୟ ଅଧିବେଶନର ଅବଧି ପାଇଁ ଏକ ବର୍ଦ୍ଧିତ ଅଧିବେଶନ ଡକାଯିବାକୁ ପରାମର୍ଶ ଦିଆଯାଇଛି | ସାଧାରଣତଃ ସଂସଦର ଶୀତ ଅଧିବେଶନ ନଭେମ୍ବରରେ ଆରମ୍ଭ ହୋଇ ଡିସେମ୍ବରରେ ଶେଷ ହୋଇଥାଏ ଏବଂ ଜାନୁଆରୀ ଶେଷ ସପ୍ତାହରେ ବଜେଟ ଅଧିବେଶନ ଆରମ୍ଭ ହୁଏ ଓ ଫେବ୍ରୁଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ କରାଯାଇଥାଏ । ତେଣୁ ଚଳିତ ଥର ଦୁଇ ଅଧିବେଶନକୁ ମିଶ୍ରଣ କରାଗଲେ ଶୀତ ଅଧିବେଶନ ବିଳମ୍ବିତ ଓ ବଜେଟ୍ ଅଧିବେଶନ ଆଗୁଆ ହେବାର ସଂଭାବନା ରହିଛି ।

ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ ତାରିଖରେ କରୋନା ସଂକ୍ରମଣ ମଧ୍ୟରେ ଅନୁଷ୍ଠିତ ହୋଇ ୨୪ ତାରିଖରେ ଶେଷ ହୋଇଥିଲା । ସେତେବେଳେ କରୋନା ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଲୋକସଭା ଓ ରାଜ୍ୟସଭାରେ ଶାରୀରିକ ଦୂରତ୍ବ ଅବଲମ୍ବନ କରାଯାଇଥିଲା । ସେତେବେଳେ ଦିଲ୍ଲୀର ସ୍ଥିତି ଯାହା ଥିଲା, ଏବେ ତାହାଠାରୁ ଖରାପ ହୋଇଥିବା କୁହାଯାଉଛି । କରୋନା ଟୀକା ଏ ପର୍ଯ୍ୟନ୍ତ ବାହାରି ନାହିଁ କିମ୍ବା ସ୍ଥିତିରେ ସୁଧାର ହୋଇନାହିଁ। ତେଣୁ ସରକାର ଏପରି ପଦକ୍ଷେପ ଗ୍ରହଣ କରିବାକୁ ଚିନ୍ତା କରୁଥିବା ଚର୍ଚା ଚାଲିଛି ।

ଏ ସମ୍ପର୍କରେ ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ପି.ଡ଼ି.ଟି ଆଚାର୍ଯ୍ୟ କରିଛନ୍ତି ଯେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩ଟି ଅଧିବେଶନ କରାଯିବା ନେଇ ନିର୍ଦିଷ୍ଟ ଭାବରେ କିଛି ନିୟମ ନାହିଁ । ମାତ୍ର ଦୁଇ ଅଧିବେଶନ ମଧ୍ୟରେ ସର୍ବାଧିକ ୬ ମାସଠାରୁ ଅଧିକ ବ୍ୟବଧାନ ରହିବ ନାହିଁ ଏ ସଂକ୍ରାନ୍ତରେ ନିୟମ ରହିଛି ।

Comments are closed.