ଜାତୀୟ ସବ୍‌ଜୁନିୟର ବାଳକ ହକି : ମଧ୍ୟପ୍ରଦେଶ ଏକାଡେମୀକୁ ହରାଇ ଓଡ଼ିଶା ସେମିରେ

କଟକ : ଛତିଶଗଡ଼ ରାଜଧାନୀ ରାୟପୁରରେ ଚାଲିଥିବା ୯ମ ହକି ଇଣ୍ଡିଆ ସବ୍‌ଜୁନିୟର ବାଳକ ଜାତୀୟ ହକି ଚମ୍ପିଆନ୍‌ସିପରେ ଓଡ଼ିଶା ଦଳ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଖେଳା ଯାଇଥିବା କ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୩-୨ ଗୋଲ୍‌ରେ ମଧ୍ୟପ୍ରଦେଶ ହକି ଏକାଡେମୀକୁ ପରାସ୍ତ କରିଛି।
ମ୍ୟାଚ୍‌ ୨-୨ ଗୋଲ୍ ସ୍ଥିତିରେ ଥିବା ବେଳେ ୬୦ତମ ମିନିଟରେ ଓଡ଼ିଶାର ରାଜ୍‌ମନ ତେଲି ଗୋଲ୍‌ଦେଇ ଓଡ଼ିଶାକୁ ବିଜୟୀ କରାଇଥିଲେ। ରବିବାର ଖେଳା ଯାଇଥିବା ଓଡ଼ିଶା ପାଇଁ ୨ୟ ମିନିଟରେ ପାଓଲସ୍ ଲାକ୍ରା ଗୋଲ୍‌ଦେଇ ଦଳକୁ ଆଗୁଆ କରିଥିଲେ। ୧୯ ମିନିଟରେ ମଧ୍ୟପ୍ରଦେଶ ହକି ଏକାଡେମୀର ଶ୍ରେୟାସ ଧୁପେ ଏହି ଗୋଲ୍‌ ସୁଝାଇ ଦେଇଥିଲେ। ପ୍ରଥମାର୍ଦ୍ଧରେ ସ୍କୋର୍ ୧-୧ ରହିଥିଲା। ୩୮ ମିନିଟରେ ପାଓଲସ୍ ଲାକ୍ରା ଓଡ଼ିଶା ପାଇଁ ୨ୟ ଗୋଲ୍‌ଦେଇ ଦଳକୁ ପୁଣିଥରେ ଆଗୁଆ କରିଥିଲେ। ୪୯ ମିନିଟରେ ଶ୍ରେୟାସ ଧୁପେ ମଧ୍ୟପ୍ରଦେଶ ଏକାଡେମୀ ପାଇଁ ତଥା ବ୍ୟକ୍ତିଗତ ୨ୟ ଗୋଲ୍‌ଦେବାରୁ ସ୍କୋର୍ ୨-୨ ହୋଇ ଯାଇଥିଲା।
ମ୍ୟାଚ୍ ଡ୍ର ହେବାକୁ ଯାଉଥିବା ବେଳେ ୬୦ ମିନିଟରେ ଓଡ଼ିଶାକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ରାଜ୍‌ମନ ତେଲି ଗୋଲ୍‌ ସ୍କୋର୍‌କରି ଓଡ଼ିଶାକୁ ସେମିଫାଇନାଲରେ ପହଞ୍ଚାଇଥିଲେ। ମଙ୍ଗଳବାର ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଦଳ ବିପକ୍ଷରେ ଓଡ଼ିଶା ସେମିଫାଇନାଲ ମ୍ୟାଚ୍ ଖେଳିବ।

Comments are closed.