ଜୈବ ବିବିଧତାର ସୁରକ୍ଷା ନେଇ ଜାତୀୟ ସେମିନାର

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଅନଲାଇନ ମାଧ୍ୟମରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜୈବ ବିବିଧତାର କ୍ଷୟ ପୃଥିବୀ ପାଇଁ ବିପଦ ଶୀର୍ଷକ ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ବତ୍ତର୍ମାନ ସମୟରେ ଜୈବ ବିବିଧତାର ସୁରକ୍ଷା ଦିଗରେ ସମସ୍ତେ ଧ୍ୟାନ ଦେବାକୁ ଆହ୍ୱାନ ଜଣାଇଥିଲେ। ଆଲୋଚନାଚକ୍ରର ସଂଯୋଜକ ତଥା ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରବୀର କୁମାର ଦାସ ମହାବିଦ୍ୟାଳୟ ଉଦ୍ଭିଦ ବିଭାଗର ବିଗତ ଦିନର ଗବେଷଣାଗତ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଜୈବ ବିବିଧତା ଆଲୋଚନାଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଏହି ଆଲୋଚନାଚକ୍ରରେ ୩ ଜଣ ଜାତୀୟ ସ୍ତରର ବୈଜ୍ଞାନିକ ଯୋଗଦାନ କରି ଜୈବ ବିବିଧତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରଥମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ତଥା ଓଡିଶାର ପ୍ରସିଦ୍ଧ ଉଦ୍ଭିଦ ବିଜ୍ଞାନୀ ଡ. ମଳୟ କୁମାର ମିଶ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳର ଜୈବ ବିବିଧତା ଓ ତାର କ୍ଷୟ ଉପରେ ଏକ ବିସ୍ତୃତ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିଥିଲେ। ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଳା ମହାଣପୁରଠାରେ ଥିବା ସରକାରୀ ସ୍ନାତକ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ଦ୍ୱାୟୀପାୱାନ ସିହ୍ନା ଶଙ୍କର ଜାତୀୟ ଶସ୍ୟ ଓ ଫଳଚାଷ କରିବା ଦ୍ୱାରା କିପରି ଆମର ପାରମ୍ପରିକ ପ୍ରଜାତି ଧିରେ ଧିରେ ଲୋପ ପାଇଯାଉଛି ସେ ବିଷୟରେ ଆଲୋଚନା କରିଥିଲେ। ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ମହୀଶୂର କର୍ଣ୍ଣାଟକର ବରିଷ୍ଠ ବୈଜ୍ଞାନିକ ଡ. ଆମ୍‍ ବିଜୟ ଏହି ଆଲୋଚନାଚକ୍ରରେ ଯୋଗଦାନ କରି କିପରି ଧିରେ ଧିରେ ପୃଥିବୀରୁ ଅନେକ ପ୍ରକାର ଜୀବଜନ୍ତୁ ଲୋପ ପାଉଛନ୍ତି ତାର କାରଣ ଏବଂ ନିରାକରଣ ଉପରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ।

ଏଥିରେ ଓଡ଼ିଶା, ଆସାମ, ମହାରାଷ୍ଟ୍ର, ଛତିଶଗଡ, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ ଇତ୍ୟାଦି ୧୨ ଟି ରାଜ୍ୟର ଶହେରୁ ଊର୍ଦ୍ଧ୍ବ ଜୀବ ବିଜ୍ଞାନୀ, ପ୍ରକୃତିପ୍ରେମୀ, ଅଧ୍ୟାପକ, ଶିକ୍ଷକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ଆଲୋଚନାଚକ୍ରରେ ଅଧ୍ୟାପିକା ଅମ୍ରିତା କୁମାରୀ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ନରେଶ ବେହେରା, କଲ୍ୟାଣ ମହାପାତ୍ର, ଟି.ଶଙ୍କର ଦୋରା ପ୍ରମୁଖ ସହଯୋଗ କରିଥିଲେ।

Comments are closed.