ଆଜି ଜାତୀୟ ବିଜ୍ଞାନ ଦିବସ

୧୯୨୮ ମସିହାର କଥା। ଦିନଟି ଥିଲା ଫେବୃଆରୀ ମାସ ୨୮ ତାରିଖ। ବିଜ୍ଞାନ ଜଗତର ସମ୍ରାଟ ବୋଲାଉଥିବା ପାଶ୍ଚାତ୍ୟ ରାଷ୍ଟ୍ର ଆମେରିକା, ରୁଷିଆ, ଜର୍ମାନ, ବ୍ରିଟେନ, ଫ୍ରାନ୍ସ ଭଳି ଦେଶଗୁଡ଼ିକର ପ୍ରଖ୍ୟାତ ବୈଜ୍ଞାନିକଗଣ ଏକ ଅଲୌକିକ ତଥ୍ୟର ଆବିଷ୍କାର ହୋଇଛି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ପୁଣି ଆବିଷ୍କାରକର୍ତ୍ତା ହେଉଛନ୍ତି ଜଣେ ଭାରତୀୟ। ଗୋଟିଏ ଦର୍ପଣ, ଗୋଟିଏ ଲେନ୍ସ, ଗୋଟିଏ ରଙ୍ଗଛଣା କାଚ, ଏକ କାଚ ଫ୍ଲାସ୍କ କିଛି ବେଞ୍ଜିନ ରସାୟନ ଏବଂ ଏକ ଛୋଟ ଦୂରବୀକ୍ଷଣ ଯନ୍ତ୍ର ଦ୍ବାରା ସେ ଆବିଷ୍କାର କରିଛନ୍ତି ଆଲୋକ ବିଭିନ୍ନ ପଦାର୍ଥ ଉପରେ ପଡ଼ିଲେ ତା’ର ପ୍ରତିକ୍ରିୟାରେ ପଦାର୍ଥ ମଧ୍ୟରେ କିପରି ରଙ୍ଗର ପରିବର୍ତ୍ତନ ଘଟୁଛି। ଆଉ ସେହି ବୈଜ୍ଞାନିକଙ୍କ ନାମ ହେଉଛି ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟରମଣ।
ଠିକ୍‌ ଏହା ପରେ ଏହି ତଥ୍ୟ ଉପରେ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା। ମାତ୍ର ଏହା ନିର୍ଭୁଲ ବୋଲି ପ୍ରମାଣିତ ହେବା ପରେ ସେହି ଆବିଷ୍କାର ‘ରମଣ ଇଫେକ୍ଟ’ ବା ‘ରମଣ ପ୍ରଭାବ’ ଭାବରେ ପରିଚିତ ଲାଭ କଲା। ଫେବୃଆରୀ ୨୮ ତାରିଖରେ ରମଣ ପ୍ରଭାବ ଜନ୍ମ ନେଇଥିବାରୁ ପ୍ରତିବର୍ଷ ଏହି ଦିବସକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଛି। ସୁଖର ବିଷୟ ଯେ ଡକ୍ଟର ରମଣଙ୍କ ଏହି ଆବିଷ୍କାର ପାଇଁ ୧୯୩୦ ମସିହାରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ୧୯୪୯ରେ ଭାରତ ସରକାର ତାଙ୍କୁ ପଦାର୍ଥ ବିଜ୍ଞାନରେ ଜାତୀୟ ଅଧ୍ୟାପକ ରୂପେ ସମ୍ମାନିତ କରିବା ସଙ୍ଗେସଙ୍ଗେ, ୧୯୪୫ ମସିହାରେ ପ୍ରଥମ ‘ଭାରତ ରତ୍ନ’ ଉପାଧିରେ ମଧ୍ୟ ଭୂଷିତ କରିଥିଲେ। ୧୯୫୮ ମସିହାରେ ରୁଷିଆର ସର୍ବଶ୍ରେଷ୍ଠ ଲେନିନ୍‌ ଶାନ୍ତି ପୁରସ୍କାର ତାଙ୍କୁ ମିଳିଥିଲା। ବିଜ୍ଞାନ ପାଇଁ ତାଙ୍କର ତ୍ୟାଗ ଓ ସାଧନା ଆନ୍ତର୍ଜାତିକସ୍ତରରେ ତାଙ୍କୁ ପ୍ରତିଷ୍ଠା ଓ ସମ୍ମାନ ଆଣି ଦେଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଏହା ଏକ ବିସ୍ମୟ ଭାବରେ ରହି ଯାଇଛି।
ଏକବିଂଶ ଶତାବ୍ଦୀରେ ବିଜ୍ଞାନର ଜୟଯାତ୍ରା ଶୀର୍ଷରେ ପହଞ୍ଚିଲାଣି। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉତ୍କର୍ଷ ସମାଜସେବାରେ ନିୟୋଜିତ ହେଉଥିଲା ବେଳେ ଜାତୀୟ ବିଜ୍ଞାନ ଦିବସ ପାଳନ ସମସ୍ତଙ୍କ ମନରେ ବିଜ୍ଞାନ ପ୍ରତି ଅନୁରକ୍ତି ଜନ୍ମାଉ, ଏହା ହିଁ ହେଉ ଆଜି ଆହ୍ବାନ।

Comments
Loading...