ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ

ସମ୍ବଲପୁର – ମାସିକ ମହିଳା ଓ ପାରିବାରିକ ପତ୍ରିକା ‘ସିନ୍ଧୁଜା’ ଅନୁଷ୍ଠାନ ପକ୍ଷରୁ ଜାତୀୟ ନିରାପଦ ମାୃତତ୍ୱ ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସମାରୋହ ୨୦୨୨ ପାଳିତ ହୋଇଯାଇଛି । ମହିଳା ମାନେ ସଶକ୍ତ ହେଲେ ସମାଜରେ ଘଟୁଥିବା ଅନ୍ୟାନ୍ୟ ଅନୀତିକୁ ରୋକାଯିବା ସହିତ ବିକାଶଧାରା ଅଧିକ ପ୍ରଖର ହେବ । ତେଣୁ ମହିଳା ମାନେ ଘରର କୋଣରେ ବସି ଆଗକୁ ଆସିବା ସହିତ ନିଜର ଅଧିକାର ଜାହିର କରିବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ସମାଜସେବୀ ଅନୁରାଧା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖିକା ଛନ୍ଦା ମିଶ୍ର ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଜୟଦେବ ମେହେର ଉପସ୍ଥତି ରହି ‘ମହାମାରୀ କରୋନା ପରବର୍ତ୍ତୀ ସମୟରେ ମାତୃତ୍ୱରେ ସୁରକ୍ଷା’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ।

କରୋନା ପରବର୍ତ୍ତୀ ସମୟରେ ଗର୍ଭବତୀ ମହିଳା ମାନଙ୍କର ଯତ୍ନ ନେବାର ନିହାତି ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ । ଏହି ଅବସରରେ ରେଢ଼ାଖୋଲ ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପ ମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ପ୍ରଦୀପ କୁମାର ସାହୁ, ଶିକ୍ଷାବିତ ଉତ୍ତମ କୁମାର ପ୍ରଧାନ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବକ୍ତବ୍ୟ ରଖି ଜାତୀୟ ନିରାପଦ ମହିଳା ଦିବସ ଉପରେ କହିଥିଲେ । ଏହି ଅବସରରେ ଡା. ଜୟଦେବ ମେହେର, ଛନ୍ଦା ମିଶ୍ର, ଗାଳ୍ପିକା ଲିପସା ପଟେଲ ଓ ସାମ୍ବାଦିକ ସଞ୍ଜୟ କୁମାର ଜେନା ଙ୍କୁ ସିନ୍ଧୁଜା ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟୁତପ୍ରଭା ମିଶ୍ର ପରିଚାଳନା କରିଥିଲେ ।

Comments are closed.