ସମ୍ବାଦପତ୍ରର ପ୍ରକୃତ ଭୂମିକା

ସମ୍ବାଦପତ୍ରର ଭୂମିକା ଏବେ ମଧ୍ୟ ଖୁବ୍‌ ଗୁରୁତ୍ବ ବହନ କରେ

ପ୍ରତିବର୍ଷ ନଭେମ୍ବର ୧୬ ତାରିଖଟି ଭାରତରେ ଜାତୀୟ ପ୍ରେସ୍‍ ଦିବସ ଭାବେ ପାଳିତ ହୋଇ ଆସୁଛି। ଭାରତର ପ୍ରେସ କାଉନସିଲ ୧୯୬୬ ମସିହାରେ ଏହି ଦିବସରୁ ପ୍ରତିଷ୍ଠା ଲାଭ କରିଥିଲା। ତେଣୁ ଜାତୀୟ ସ୍ତରରେ ଏହି ଦିବସଟିକୁ ସମ୍ବାଦପତ୍ର ଓ ଗଣମାଧ୍ୟମ ପକ୍ଷରୁ ଏକ ମୁକ୍ତ ଓ ଦାୟିତ୍ୱସଂପନ୍ନ ସମ୍ବାଦପତ୍ର, ସମ୍ବାଦ ସରବରାହ ସଂସ୍ଥା ଓ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଉଛି। ଏ କ୍ଷେତ୍ରରେ ସମ୍ବାଦପତ୍ରର ପ୍ରକୃତ ଭୂମିକା ସଂପର୍କରେ ସାମାନ୍ୟ ସୂଚନା ଦେବା ସହିତ ସମ୍ବାଦପତ୍ର ବା ଗଣମାଧ୍ୟମ ସହିତ ସଂପୃକ୍ତ କାର୍ଯ୍ୟରତ ସାମ୍ବାଦିକଙ୍କର କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ କରିବା ଏ ଲେଖାର ଉଦ୍ଦେଶ୍ୟ। ସ୍ୱାଧୀନତା ପୂର୍ବରୁ ସମ୍ବାଦପତ୍ରର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଇଂରାଜୀ ଭାଷାର ସମ୍ବାଦପତ୍ର ହେଉ ବା ରାଷ୍ଟ୍ରଭାଷା ହିନ୍ଦୀ ବା ଆଞ୍ଚଳିକ ଭାଷାର ସମ୍ବାଦପତ୍ର ହେଉ, ଜନସାଧାରଣଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଓ ଜନଆନ୍ଦୋଳନ ପାଇଁ ପ୍ରସ୍ତୁତ କରି ସରକାରଙ୍କୁ ଚେତାବନୀ ଦେବା, ଏ ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ବାଦପତ୍ରକୁ ହିଁ ସମ୍ଭାଳିବାକୁ ପଡୁଥିଲା। ରେଡିଓ ଯଦିଓ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା, ତାହା ବ୍ୟୟବହୁଳ ହୋଇଥିବାରୁ ଜନସାଧାରଣଙ୍କ ଦ୍ୱାରା ଏହାର ବିଶେଷ ବ୍ୟବହାର ନଥିଲା। ସ୍ୱାଧୀନତା ହାସଲ କରିବା ପରେ ସମ୍ବାଦପତ୍ର ବହୁ ସଂଖ୍ୟାରେ ଭାରତରେ ବୃଦ୍ଧି ପାଇଥିଲେ ମଧ୍ୟ ସ୍ୱାଧୀନତା ପୂର୍ବର ସମ୍ବାଦପତ୍ର ପରି ଆଉ ବଳିଷ୍ଠ ଭୂମିକାରେ ଅବତୀର୍ଣ୍ଣ ହୋଇ ପାରି ନଥିଲା। ଅବଶ୍ୟ ଜନମତ ସୃଷ୍ଟି କରିବା କ୍ଷେତ୍ରରେ ସମ୍ବାଦପତ୍ର ଗୁୁରୁତ୍ୱପୂର୍ଣ୍ଣ ଭୂମିିକା ଗ୍ରହଣ କରିଥିଲା। ତୁରନ୍ତ ଖବର ପ୍ରଦାନ କରି ଟେଲିଭିଜନର ସରକାରୀ ଓ ବେସରକାରୀ ଚାନେଲ ସମେତ ସରକାରୀ ଚାନେଲ, ରେଡିଓ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରୁଥିଲା। ଫଳରେ ସମ୍ବାଦପତ୍ର ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଛି। ଏପରିକି ଏବେ ସୋସିଆଲ୍‌ ମିଡିଆ ବା ସାମାଜିକ ଗଣମାଧ୍ୟମ ଅନ୍ୟସବୁ ଗଣମାଧ୍ୟମକୁ ପଛରେ ପକାଇ ଦେଇଥିବା ପରି କୁହାଯାଉଛି; କାରଣ ନିତ୍ୟ ବ୍ୟବହାର୍ଯ୍ୟ ମୋବାଇଲ ଫୋନ ଯୋଗୁଁ ୱେବ ଚାନେଲ ଏବେ ଲୋକପ୍ରିୟ ହୋଇପାରିଛି। କରୋନା ମହାମାରୀ ସମୟରେ ସଂକ୍ରମଣ ଭୟରେ ସମ୍ବାଦପତ୍ରର ପାଠକ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲେ ହେଁ, ସମ୍ବାଦପତ୍ରର ଇ-ପେପର ମୋବାଇଲ ମାଧ୍ୟମରେ ପାଠକମାନଙ୍କ ପାଖରେ ପହଞ୍ଚିପାରିଛି। ଫଳରେ ଆଉ ସମ୍ବାଦପତ୍ରକୁ କିଣିବାକୁ ବା ଖୋଜିବାକୁ ପଡ଼ୁନାହିଁ।
ଆଞ୍ଚଳିକ ଭାଷାରେ ବା ଛୋଟ ବଡ ସହରମାନଙ୍କରେ ଯେଉଁମାନେ ଛୋଟଛୋଟ ସମ୍ବାଦପତ୍ର ପ୍ରସ୍ତୁତ କରି ଜୀବିକାର୍ଜନ କରି ଆସୁଥିଲେ, କେନ୍ଦ୍ର ବା ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ସେମାନଙ୍କ ସପକ୍ଷରେ ନଯିବାରୁ ସେମାନେ ଏବେ ଦୁର୍ଦଶାର ସମ୍ମୁଖୀନ ହୋଇଥିବା କହୁଛନ୍ତି। ବଡ଼ବଡ଼ ସମ୍ବାଦପତ୍ର, ବିଶେଷ କରି ଆଞ୍ଚଳିକ ଭାଷାର ସମ୍ବାଦପତ୍ରମାନଙ୍କର ଅବସ୍ଥା ମଧ୍ୟ ସେହିପରି। ଏହାର ସାମ୍ବାଦିକ ଓ କର୍ମଚାରୀମାନେ, ଏହି କରୋନା ମହାମାରୀ ସମୟରେ ସେମାନଙ୍କ ମାସିକ ବେତନ ଠିିକ ଭାବେ ପାଇ ପାରୁନାହାନ୍ତି। ପାଇଲେ ବି ତାହାର ପରିମାଣ ହ୍ରାସ ପାଉଛି। ଅବଶ୍ୟ ଯେଉଁ ସାମ୍ବାଦିକମାନେ କରୋନା ଯୋଦ୍ଧା ହୋଇ ପ୍ରାଣତ୍ୟାଗ କରିଛନ୍ତି, ଓଡ଼ିଶା ସରକାର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଇଛନ୍ତି। ‘ସମାଜ’ ପରି ଅନେକ ସମ୍ବାଦପତ୍ର ମଧ୍ୟ କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା ସାମ୍ବାଦିକ ଓ ଅଣସାମ୍ବାଦିକ ଚିକିତ୍ସା ସୁବିଧା ଦେଇ ଆସିଛନ୍ତି। ମାତ୍ର ଆହୁରି ଅନେକ ସାମ୍ବାଦିକଙ୍କୁ ଉପଯୁକ୍ତ ଭାବେ ଚିକିତ୍ସା ସୁବିଧା ମିଳିପାରିନାହିଁ। ଏ ସବୁପ୍ରତି ଦୃଷ୍ଟି ଦେବାକୁ ହେବ। ଜାତୀୟ ସ୍ତରରେ ଗଠିତ ସାମ୍ବାଦିକ କଲ୍ୟାଣ ବୋର୍ଡ ଯାହାର ଅଧ୍ୟକ୍ଷ ଦୀପକ ମାଲବ୍ୟଜୀ ରହିଛନ୍ତି, ୬୫ ବର୍ଷରୁ ଊର୍ଦ୍ଧ୍ବ ସାମ୍ବାଦିକମାନଙ୍କୁ ବାର୍ଷିକ ସାମାନ୍ୟ ପେନସନ ଦେବାର ବ୍ୟବସ୍ଥା ଏହି ସଂସ୍ଥା କରିଛି। ମାତ୍ର ସରକାରୀ ସ୍ତରରେ ସାମ୍ବାଦିକମାନଙ୍କୁ ପେନସନ ଦେଇ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ବିଧିବଦ୍ଧ ଭାବେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେବା ଉଚିତ ହେବ। ଅନୁଧ୍ୟାନରୁ ଜଣାଯାଇଛି ଯେ ଭାରତୀୟ ମଧ୍ୟମ ଓ କ୍ଷୁଦ୍ରଶିଳ୍ପ କ୍ଷେତ୍ରରେ ମୁଦ୍ରଣ ଗଣମାଧ୍ୟମ ଦ୍ୱିତୀୟ ବୃହତ୍ତମ ଅଂଶୀଦାର ହୋଇପାରିଛି। ସାମ୍ବାଦିକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଆବଶ୍ୟକ। ସ୍ୱାଧୀନତା ପୂର୍ବରୁ ଜାତିର ପିତା ଗାନ୍ଧିଜୀ ବ୍ରିଟିଶ ଶାସକଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ନିଜେ ସାମ୍ବାଦିକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ନିଜେ ‘ହରିଜନ’ ପତ୍ରିକା ଇଂରାଜୀ ଭାଷାରେ ପ୍ରକାଶ କରିଆସୁଥିଲେ। ସ୍ୱାଧୀନତା ପରବର୍ତ୍ତୀ କାଳରେ ସମ୍ବାଦପତ୍ର ଆଉ ମିସନ (ପ୍ରବୃତ୍ତି) ନ ହୋଇ ସାମ୍ବାଦିକମାନଙ୍କ ପାଇଁ ପ୍ରଫେସନ (ବୃତ୍ତି)ରେ ପରିଣତ ହୋଇଛି। ଏବେ ତ ସମ୍ବାଦପତ୍ର ଶିଳ୍ପ ସଙ୍କଟରେ। ସମ୍ବାଦପତ୍ର ମାଲିକ ଓ ଶ୍ରମିକଙ୍କ ମଧ୍ୟରେ କେତେକ ସ୍ଥଳରେ ବିବାଦ ଉପୁୁଜୁଛି; ମାତ୍ର ଏପରି ବିବାଦ ସମ୍ବାଦପତ୍ର ଶିଳ୍ପର ଭବିଷ୍ୟତକୁ ଆଦୌ ଉଳ କରିବ ନାହିଁ। ଆପୋଷ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ବିବାଦର ସମାଧାନ ହେଲେ ଭଲ। ନଚେତ ସେ ବିପକ୍ଷରେ କୋର୍ଟକଚେରିରେ ମାମଲା ପହଞ୍ଚିଲେ ତା’ର ଆଶୁ ସମାଧାନ ସମ୍ଭବ ନୁହେଁ; କାରଣ ତାହା ଏକ ବିଷମ ପ୍ରକ୍ରିୟା। ଇଲେକ୍ଟ୍ରାନିକ ବା ଡିଜିଟାଲ ଗଣମାଧ୍ୟମ ବେଳେବେଳେ ସୀମା ଲଙ୍ଘନ କରି ଆସୁଥିଲେ ମଧ୍ୟ ସେମାନଙ୍କପାଇଁ କୌଣସି ନିୟନ୍ତ୍ରଣ ରେଖା ବା କଟକଣା ନଥିଲା। ଏବେ ସରକାର ସେଥିପାଇଁ ଆଇନ ପ୍ରଣୟନ କରିବେ ବୋଲି କୁହାଯାଉଛି। ସେ ଯାହାହେଉ, ସ୍ୱାଧୀନ ଭାରତରେ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସମ୍ବାଦପତ୍ର ତାହାର ପ୍ରକୃତ ଭୂମିକା ନିର୍ବାହ କରିବା ଉଚିତ।

ସନତ ମିଶ୍ର 

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ବର

 

Comments
Loading...