ଅଙ୍ଗଦାନ ପାଇଁ ସାଂସଦ ଅନୁଭବଙ୍କ ଘୋଷଣା

କଟକ : ଅଙ୍ଗଦାନ ମହତ୍ କାମ। ଅଙ୍ଗଦାନ ଦ୍ବାରା ଆମ ଶରୀର ଯଦି ଅନ୍ୟର ଉପକାରରେ ଲାଗିପାରିଲା ତାହା ହିଁ ସବୁଠାରୁ ମହତ୍ କାମ। ଜଣେ ବ୍ୟକ୍ତିର ଅଙ୍ଗଦାନ ଦ୍ବାରା ୮ଟି ଜୀବନ ବଞ୍ଚାଯାଇପାରେ ବୋଲି ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନରେ କୋଭିଡ୍ କଟକଣା ଅନୁପାଳନ କରି ଶୁକ୍ରବାର ଅପରାହ୍ଣରେ ଅନୁଷ୍ଠିତ ଏକାଦଶ ରାଷ୍ଟ୍ରୀୟ ଅଙ୍ଗଦାନ ଦିବସ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।
ଲୋକସେବକ ମଣ୍ଡଳ ଏବଂ ଭାରତ ଶରୀର ଓ ଅଙ୍ଗଦାନ ସମିତି ଆନୁକୂଲ୍ୟରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଅଙ୍ଗଦାନ ନିମନ୍ତେ ସ୍ବାକ୍ଷର କରି କହିଲେ, ଭଲ ମଣିଷ ସିଏ ଯିଏ ଅନ୍ୟ ମୁହଁରେ ହସ ଫୁଟାଇପାରେ। ନିଜେ ଯଦି ଅଙ୍ଗଦାନ କରିନାହିଁ ଅନ୍ୟକୁ ଏ ବିଷୟରେ କହିପାରିବି ନାହିଁ। ତେଣୁ ଆଜି ପ୍ରଥମେ ଅଙ୍ଗଦାନ ସତ୍ୟପାଠ ସ୍ବାକ୍ଷର କଲି। ମଣିଷର ଶରୀର ଓ ଅଙ୍ଗ ଯଦି କାହାର ଜୀବନ ବଞ୍ଚାଇ ପାରିଲା ତାହାଠୁ ଖୁସି ଆଉ କିଛି ନାହିଁ। ମୃତ୍ୟୁ ବିଷୟରେ କେହି କହିପାରିବେ ନାହିଁ। ଜଣେ ମରିଗଲେ ଅଙ୍ଗଦାନ ଦ୍ବାରା ସେ ଅନ୍ୟ ଶରୀରରେ ବଞ୍ଚି ରହେ। ମଣିଷ ଶରୀରର କିଞ୍ଚିତ୍ ଦାନରେ ଅନ୍ୟ କେହି ବଞ୍ଚିପାରିଲେ ଜୀବନ ଧନ୍ୟ ହେବ। ସରକାର ଅଭିଜ୍ଞ ଡାକ୍ତର ଓ ଅଙ୍ଗଦାନ କାର୍ଯ୍ୟକ୍ରମ‌େର ସାମିଲ ଅନୁଷ୍ଠାନ ସହ ଆଲୋଚନା କରି ଏହାକୁ ଆଗେଇନେବା ପାଇଁ ପଦକ୍ଷେପ ନେବା ଉଚିତ। ଅଙ୍ଗଦାନର କଥା ପ୍ରତି ଘରେ ଘରେ ପ୍ରଚାର ହେବା ଦରକାର। ବିଭିନ୍ନ ଗଣମାଧ୍ୟମ ସମେତ ସାମାଜିକ ଗଣମାଧ୍ୟମରେ ଏନେଇ ସଚେତନତା ବାର୍ତ୍ତା ଜୋରଦାର ପ୍ରଚାର ହେଉ ବୋଲି ସାଂସଦ ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ବିଶିଷ୍ଟ କିଡ୍‌ନୀ ରୋଗ ବିଶେଷଜ୍ଞ ଡା. ନିଶୀଥ୍ ମହାନ୍ତି କହିଲେ, ଅଙ୍ଗ ପ୍ରତିରୋପଣର ମୁଖ୍ୟ ଉତ୍ସ ହେଉଛି ମୃତ ଶରୀର। ଏ​‌େ​‌ବ ପରିବାର ଛୋଟ ହୋଇଯିବା କାରଣରୁ କୌଣସି ଲୋକର ନିଜ ପରିବାରରୁ ଅଙ୍ଗ ପ୍ରତିରୋପଣ ସବୁବେଳେ ସମ୍ଭବ ନୁହେଁ। ୟୁରୋପୀୟ ଦେଶରେ ୯୫% ଅଙ୍ଗ ପ୍ରତିରୋପଣ ମୃତଶରୀରରୁ ଆସେ। ମାତ୍ର ଆମ ଦେଶରେ ମାତ୍ର ୧% ଲୋକ ଅଙ୍ଗଦାନ ପାଇଁ ସତ୍ୟପାଠ କରିଛନ୍ତିି। ଆମ ଦେଶର ଆବଶ୍ୟକତାଠାରୁ ଅଙ୍ଗଦାନର ଉପଲବ୍ଧତା ନଗଣ୍ୟ। ତେଣୁ ଏ ଦିଗରେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ଡା. ମହାନ୍ତି ମତ ଦେଇଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଏସ୍‌ସିବି ମେଡିକାଲ ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ତଥା କରୋନାର ନୋଡାଲ ଅଫିସର ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଲେ, ଅଙ୍ଗଦାନ ନିମନ୍ତେ ସକାରାତ୍ମକ ଚିନ୍ତାଧାରା ସହ ସଚେତନତା ସୃଷ୍ଟି ଆବଶ୍ୟକ। ଅଙ୍ଗଦାନ ଦ୍ବାରା ଆମ ଆଖିରେ ଜଣେ ଦେଖିପାରୁଛି, ଆମ ବୃକକ୍‌ରେ ଜଣେ ରକ୍ତ ଛାଣି ପାରୁଛି। ଈଶ୍ବରଙ୍କ ଇଚ୍ଛାରେ ଆମ ଶରୀରର ଅଙ୍ଗ ଅନ୍ୟ କାମରେ ଆସିପାରିଲେ ତାହା ହିଁ ସବୁଠୁ ମହାନ୍ କାର୍ଯ୍ୟ। ଏବେ କୋଭିଡ୍ ସମୟରେ ଫୁସ୍‌ଫୁସ୍ ପ୍ରତିରୋପଣର ଆବଶ୍ୟକତା ବି ରହିଛି। ଅଙ୍ଗଦାନ ନିମନ୍ତେ ଧର୍ମ, ଜାତି, ଗୋତ୍ର, ବୟସର ଭେଦଭାବ ନାହିଁ। କେବଳ ଉତ୍ସର୍ଗିକୃତ ମନୋଭାବ ନେଇ ଆଗେଇ ଆସିବାକୁ ଡା. ପଣ୍ଡା ଆହ୍ବାନ ଦେଇଥିଲେ।
ସଭାପତି ‘ସମାଜ’ର ପ୍ରକାଶକ ତଥା ମୁଦ୍ରାକର ଶ୍ରୀ ରଥ ସମାଜର ସବୁ ଲୋକଙ୍କ ମଧ୍ୟରେ ଶରୀର ଦାନ ପାଇଁ ଭାବ ସୃଷ୍ଟି ହେବା ଦରକାର ବୋଲି କହିଲେ। ’ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ଭାରତ ଶରୀର ଓ ଅଙ୍ଗଦାନ ସମିତିର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟ ସରକାର ଅଙ୍ଗ ଉଦ୍ଧାର ଓ ପ୍ରତିରୋପଣର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡ. ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ। ଏହି ଅବସରରେ ବାବୁଲି ସେଠୀଙ୍କ ସ୍ବର୍ଗତ ପୁତ୍ର ସୁରଜ ସେଠୀଙ୍କ ଅଙ୍ଗଦାନ ଦ୍ବାରା ୬ଟି ଜୀବନ ବଞ୍ଚାଯାଇଥିବାରୁ ତାଙ୍କ ଉଦେଶ୍ୟରେ ରାଷ୍ଟ୍ରୀୟ ଦଧୀଚି ସମ୍ମାନ ସମର୍ପଣ କରାଯାଇଥିଲା। ଏଥିସହ ନୂତନ ଭାବେ ଅଙ୍ଗଦାନ ପାଇଁ ସତ୍ୟପାଠରେ ସ୍ବାକ୍ଷର କରିଥିବା ସାଂସଦ ଅନୁଭବ ମହାନ୍ତି, ୯୧ ବର୍ଷୀୟ ଦିବାକର ନାୟକ, ସମାଜର ସହସମ୍ପାଦକ ମନୋଜ କୁମାର ମେହେର, ସେବିକା ପ୍ରତିମା ପାତ୍ର, ସସ୍ମିତା ପଟ୍ଟନାୟକଙ୍କ ସମେତ ଦେବାଶିଷ ସାହୁ, ରାଜୀବ କୁମାର ପରିଡ଼ା, ସୂରଜ ମାଝି, ବୀରେନ୍ଦ୍ର କୁମାର ବେହୁରା, ଅଞ୍ଜଳି ଶର୍ମାଙ୍କୁ ଅଙ୍ଗଦାନର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଯାଜପୁରର ନୂଆ ଆଲୋକ ଅନୁଷ୍ଠାନ ପକ୍ଷରୁ ୫୦ ଜଣଙ୍କର ଅଙ୍ଗଦାନ ସତ୍ୟପାଠ ଦସ୍ତାବିଜ୍ ମୁଖ୍ୟ ଅତିଥିଙ୍କୁ ପ୍ରଦାନ କରାଯାଇଥିଲା। ସତ୍ୟନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଦିବଂଗତ ପ୍ରଫେସର ଡା. ଚିତ୍ତରଞ୍ଜନ କରଙ୍କ ଉ​‌େ​‌ଦ୍ଦଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

Comments are closed.