ଚଳିତ ବର୍ଷ ସ୍ୱାଭାବିକ ବର୍ଷା

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସୋମବାର ମୌସୁମୀକୁ ନେଇ ଚଳିତ ବର୍ଷର ପ୍ରଥମ ଅନୁମାନ ଜାରି କରିଛି। ପାଣିପାଗ ବିଭାଗ ଅନୁସାରେ ଚଳିତ ବର୍ଷ ମୌସୁମୀ ଋତୁରେ (ଜୁନ- ସେପ୍ଟେମ୍ବର)ରେ ସ୍ୱାଭାବିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଏଲନିନୋ ଯୋଗୁଁ ଚଳିତ ବର୍ଷ ମୌସୁମୀ ସାମାନ୍ୟ ଦୁର୍ବଳ ରହିବାର ଆଶଙ୍କା ରହିଛି। ଦିନ ଗଡ଼ିବା ସହ ମୌସୁମୀ ଅଧିକ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଦୀର୍ଘ କାଳୀନ ହାର (ଏଲପିଏ) ଅନୁସାରେ ୯୬% (୫% କମ୍‍ କିମ୍ବା ଅଧିକ) ବର୍ଷା ହେବ। ଚଳିତ ବର୍ଷ ସ୍ୱାଭାବିକଠାରୁ ବହୁ ଅଧିକ (୧୧୦%ରୁ ଅଧିକ) ବର୍ଷା ହେବାର ମାତ୍ର ୨% ସମ୍ଭାବନା ରହିଛି। ସ୍ୱାଭାବିକଠାରୁ ଅଧିକ (୧୦୪ରୁ ୧୧୦% ପର୍ଯ୍ୟନ୍ତ) ବର୍ଷା ହେବାର ୧୦% ସମ୍ଭାବନା ରହିଛି। ଜୁନ୍‍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୀର୍ଘ କାଳୀନ ହାର (ଏଲପିଏ)ରେ ୯୬ରୁ ୧୦୪% ପର୍ଯ୍ୟନ୍ତ ବର୍ଷା ହେବାର ୩୯% ସମ୍ଭାବନା ରହିଛି। ଅର୍ଥାତ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ୫୦% ସମ୍ଭାବନା ରହିଛି। ସ୍ୱାଭାବିକଠାରୁ କମ ଅର୍ଥାତ (୯୦ରୁ ୯୬%) ବର୍ଷାର ୩୨% ସମ୍ଭାବନା ରହିଥିବାବେଳେ ୯୦%ରୁ କମ ବର୍ଷାର ୧୬% ସମ୍ଭାବନା ରହିଛି। ମୌସୁମୀ ଋତୁରେ ୯୦%ରୁ କମ ବର୍ଷା ହୋଇଥିବା ଅଞ୍ଚଳକୁ ମରୁଡ଼ିଗ୍ରସ୍ତ ବୋଲି ଘୋଷଣା କରାଯାଇଥାଏ। ଅର୍ଥାତ ଚଳିତ ବର୍ଷ ମରୁଡ଼ି ହେବାର ୧୬% ଆଶଙ୍କା ରହିଛି।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍‍ ଚଳିତ ବର୍ଷ ମୌସୁମୀ ଋତୁରେ ସ୍ୱାଭାବିକଠାରୁ କମ ବର୍ଷା ହେବ ବୋଲି ଅନୁମାନ କରିଥିଲା। ସ୍କାଏମେଟ ଚଳିତ ବର୍ଷ ଦୀର୍ଘକାଳୀନ ହାର (ଏଲପିଏ)ରେ ୯୩% (୫% କମ କିମ୍ବା ଅଧିକ) ବର୍ଷା ହେବ ବୋଲି ଅନୁମାନ କରିଥିଲା।

Comments are closed.