ସମଗ୍ର ଜାପାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ସଂକ୍ରମଣରେ ଗଲାଣି ୧୫୦ ଜୀବନ

ସମାଜ ପୋର୍ଟାଲ ଡେସ୍କ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ଦୃଷ୍ଟିରୁ ଟୋକିଓ ଏବଂ ଅନ୍ୟାନ୍ୟ ସହରାଞ୍ଚଳରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ସାରା ଦେଶରେ ଲାଗୁ କରିଛନ୍ତି। ଏହା ବ୍ୟତୀତ ଦେଶର ୧୨ କୋଟି ଜନତାଙ୍କୁ ଏକ ଲକ୍ଷ ୟେନ୍ ଲେଖାଏଁ (ପ୍ରାୟ ୭୧ ହଜାର ୫୦୦ ଟଙ୍କା) ଦେବାକୁ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ସମଗ୍ର ଦେଶରେ ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଗତିବିଧି ହ୍ରାସ କରିବା ଏବଂ ସାମାଜିକ ଦୂରତା ଲକ୍ଷ୍ୟ ହାସଲ ଦିଗରେ ୮୦ ପ୍ରତିଶତ ସଫଳତା ପାଇବା। ଏପ୍ରିଲ୍ ୭ରେ ଆବେ ସୀମିତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଯାହା ଟୋକିଓ ଏବଂ ଅନ୍ୟ ଛ’ଟି ସ୍ଥାନରେ ଲାଗୁ ହୋଇଥିଲା ସେହି ସବୁ ଅଂଚଳରେ ସଂକ୍ରମଣ ସର୍ବାଧିକ ସ୍ଥରରେ ଥିଲା।

ସୂଚନାଯୋଗ୍ୟ ଯେ କରୋନା ଜୀବାଣୁ ଉପରେ ଆବେଙ୍କ ପଦକ୍ଷେପକୁ ସମାଲୋଚନା କରାଯାଇଥିଲା ଏବଂ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଥିଲା। ସେଠାକାର ଅନେକ ନେତା ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ଦାବି କରିଥିଲେ।

Comments
Loading...