ଜାତୀୟ ଶିକ୍ଷାନୀତି ୨୦୨୦: ବିଦ୍ୟାଳୟ ଶିକ୍ଷାର ପୁନର୍ବିନ୍ୟାସ

ନୂତନ ଜାତୀୟ ଶିକ୍ଷାନୀତିରେ ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଉଦ୍ୟମ ହୋଇଛି। ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଅଧିକ ଦୃଷ୍ଟି ଦିଆଯାଇଛି। ଅଙ୍ଗନବାଡ଼ିଗୁଡ଼ିକରେ ଶିଶୁମାନଙ୍କୁ ଦିଆଯାଉଥିବା ଶିକ୍ଷା ଯଥେଷ୍ଟ ତଥା ଉପଯୁକ୍ତ ହେଉ ନଥିବା ଅନୁଭବ କରି ଏଥିରେ ବ୍ୟାପକ ପରିବର୍ତ୍ତନ ଅଣାଯିବାର ପ୍ରସ୍ତାବ ରହିଛି। ନୂତନ ବ୍ୟବସ୍ଥାରେ ତିନିବର୍ଷ ପୂର୍ତ୍ତି ପରେ ପିଲାମାନେ ଅଙ୍ଗନବାଡ଼ିରେ ନାମ ଲେଖାଇବେ ଏବଂ ସେଠାରେ ଦୁଇ ବର୍ଷ ପଢ଼ିଲା ପରେ ପ୍ରାଥମିକ ବିଦ୍ୟାଳୟକୁ ଯିବେ; କିନ୍ତୁ ପ୍ରଥମ ଶ୍ରେଣୀରେ ପଢ଼ିବା ପୂର୍ବରୁ ଗୋଟିଏ ବର୍ଷ ବାଲବାଟିକାରେ ପ୍ରସ୍ତୁତି ଶ୍ରେଣୀରେ ପଢ଼ିବେ। ଆଦ୍ୟ ଶୈଶବ ଶିକ୍ଷାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଅର୍ନ୍ତଭୁକ୍ତ ହେବ। ତେଣୁ ଶିକ୍ଷାର ଅବଧି ପାଞ୍ଚବର୍ଷ ହେବ ଏବଂ ୪ ବର୍ଷରୁ ୮ ବର୍ଷର ପିଲାମାନେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାଲାଭ କରିବେ।

ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ – ପ୍ରାଥମିକ ଶିକ୍ଷା ସ୍ତରରେ ମୂଳଭୂତ ଶିକ୍ଷାଲାଭ ପରେ ଅଧିକ ଜ୍ଞାନ ହାସଲ ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଯିବ। ୯ ବର୍ଷରୁ ୧୧ବର୍ଷର ପିଲାମାନେ ଏହି ସ୍ତରରେ ତିନି ବର୍ଷ ପଢ଼ିବେ। ସେହିପରି ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ତିନି ବର୍ଷ ସମୟକୁ ମଧ୍ୟ ବିଦ୍ୟାଳୟ ସ୍ତର କୁହାଯିବ। ୧୨ ବର୍ଷରୁ ୧୪ ବର୍ଷର ପିଲାମାନେ ଏହି ସ୍ତରରେ ରହିବେ। ୧୫ ବର୍ଷରୁ ୧୮ ବର୍ଷ ପିଲାମାନେ ମାଧ୍ୟମିକ ବିଦ୍ୟାଳୟରେ ୯ମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାରିବର୍ଷ ପଢ଼ିବେ। ଏହିପରି ଭାବେ ବିଦ୍ୟାଳୟ ଶିକ୍ଷାର ଅବଧି ୧୦ +୨ ପରିବର୍ତ୍ତେ ୫+୩+୩+୪ ହେବ।

ସ୍ବତନ୍ତ୍ର ଶିକ୍ଷା ଅଞ୍ଚଳ ସୃଷ୍ଟି କରି ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟକୁ ଆଣି ପାଠ ଶେଷ ପର୍ଯ୍ୟନ୍ତ କିପରି ରଖାଯାଇପାରିବ ସେ ବିଷୟରେ ନୂତନ ନୀତିରେ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ ତ୍ୟାଗ କରିଥିବା ଦୁଇ କୋଟି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିବ। ୨୦୩୫ ସୁଦ୍ଧା ବିଦ୍ୟାଳୟସ୍ତରରେ ଶତ ପ୍ରତିଶତ ମୋଟ ନାମାଙ୍କନ ଅନୁପାତ(ଗ୍ରସ୍‌ ଏନ୍‌ରୋଲମେଣ୍ଟ ରେସିଓ ) ହାସଲ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ନୂତନ ଶିକ୍ଷାନୀତିର ଏକ ଉଲ୍ଲେଖନୀୟ ଦିଗ ହେଉଛି ୨୦୩୦ ସୁଦ୍ଧା ପ୍ରାକ୍ ପ୍ରାଥମିକ ସ୍ତରରେ ସମସ୍ତଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା। ଏହି ସ୍ତରରେ ଅକ୍ଷର ଓ ସଂଖ୍ୟା ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବା ସଙ୍ଗେ ସଙ୍ଗେ ଚିତ୍ରାଙ୍କନ, ଗୀତ, ନାଚ, ଗପ, ଖେଳ ଇତ୍ୟାଦି ମାଧ୍ୟମରେ ପିଲାଙ୍କର ଅନ୍ତର୍ନିହିତ ଗୁଣକୁ ଚିହ୍ନିବା ଓ ତାଙ୍କର ଚରିତ୍ର ଗଠନ ପାଇଁ ଆବଶ୍ୟକ ଗୁଣାବଳୀର ବିକାଶ ପାଇଁ ଶିକ୍ଷକମାନେ ଧ୍ୟାନ ଦେବେ। ପରିଷ୍କାର ପରିଚ୍ଛନ୍ନତା, ଭାବର ଆଦାନପ୍ରଦାନ ଦକ୍ଷତା, ସାହାସିକତା, ନେତୃତ୍ବ ନେବାର ସାମର୍ଥ୍ୟ, ସାମୂହିକ କାର୍ଯ୍ୟ ନିର୍ବାହ କରିବା ପ୍ରଭୃତି ଜୀବନ କୌଶଳ ବିଷୟରେ ଶିକ୍ଷାଦେବା ସହିତ ମାନବୀୟ ଗୁଣାବଳୀ, ଯଥା- ଦୟା, କ୍ଷମା, ଅନୁକମ୍ପା, ସହନଶୀଳତା, ସତ୍ୟବାଦିତା, ବିନମ୍ରତା ଇତ୍ୟାଦିର ବିକାଶ ପାଇଁ ଉଦ୍ୟମ ହେବ। ଏକ ମୁକ୍ତ ଆନନ୍ଦମୟ ପରିବେଶରେ ପିଲାମାନଙ୍କୁ ଶିକ୍ଷାଦାନ କରି ତାଙ୍କର ସୃଜନଶୀଳ ଓ ବିଶ୍ଳେଷଣାତ୍ମକ ଚିନ୍ତନ ଶକ୍ତି, ଜିଜ୍ଞାସା ତଥା ବୈଜ୍ଞାନିକ ସ୍ବଭାବର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଏବଂ ପ୍ରୋସାହନ ଦିଆଯିବ।

ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପୂର୍ବରୁ ସେମାନଙ୍କୁ ଖେଳ, ହସଖୁସି, ଗପ, ଗୀତ, ନାଚ, ନାଟକ ତଥା ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଲିଖନ ଓ ପଠନ ସାମର୍ଥ୍ୟ ବୃଦ୍ଧି ସହିତ ପ୍ରାଥମିକ ବିଦ୍ୟାଳୟ ସଙ୍ଗେ ପରିଚିତ କରାଯିବ। ଏହି ସମୟରେ ସେମାନଙ୍କର ବୌଦ୍ଧିକ, ଆବେଗାତ୍ମକ ଓ ମନପ୍ରେରଣାତ୍ମକ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ଚେଷ୍ଟା କରାଯିବ। ସାଙ୍ଗମାନଙ୍କ ପାଖରୁ ଶିଖିବା ଏବଂ ନିଜ ଅଞ୍ଚଳର ଶିକ୍ଷିତ ବ୍ୟକ୍ତିମାନେ ସ୍ବେଚ୍ଛାକୃତ ଭାବେ ଜଣେ ଜଣେ ପିଲାଙ୍କୁ ମୂଳଭୂତ ଭାଷା ଓ ସଂଖ୍ୟାତ୍ମକ ଶିକ୍ଷା ପ୍ରଦାନ କରିବାପାଇଁ ପରାମର୍ଶ ଦିଆଯାଇଛି। ଆଦ୍ୟ ଶୈଶବ ଶିକ୍ଷାର ଗୁରୁ ଦାୟିତ୍ବ ଅଙ୍ଗନବାଡ଼ି ଉପରେ ନ୍ୟସ୍ତ କରାଯାଇଛି। ଅଙ୍ଗନବାଡ଼ିଗୁଡ଼ିକର ପୁନର୍ବିନ୍ୟାସ ନହେଲେ ମୂଳଭୂତ ଶିକ୍ଷାଲାଭର ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ।

ନୂତନ ଶିକ୍ଷାନୀତିରେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଧନ୍ଦାମୂଳକ ବିଷୟରେ ଶିକ୍ଷାଦାନ କରାଯିବ। ପିଲାମାନେ ଚାହିଁଲେ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କୁ ସେହି ଧନ୍ଦା ବିଷୟରେ ତାଲିମ ଦିଆଯିବ। ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ପଢ଼ାଯିବ। ୬ଷ୍ଠ ଶ୍ରେଣୀରୁ ପିଲାମାନେ ବିଭିନ୍ନ ଭାରତୀୟ ଭାଷା ବିଷୟରେ ଜାଣିବେ। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ତିନୋଟି ଭାଷା ପଢ଼ିବେ। ଏତଦ୍‌ ବ୍ୟତୀତ ଯେ କୌଣସି ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟ ଏକ ଇଚ୍ଛାଧୀନ ବିଷୟ ରୂପେ ପଢ଼ି ପାରିବେ। ସଂସ୍କୃତ ଭାଷା ଦୁଇ ବର୍ଷ ପର୍ଯ୍ୟନ୍ତ ପଢ଼ିବାକୁ ସୁଯୋଗ ଦିଆଯିବ। ବିଦ୍ୟାଳୟରେ ବିଦେଶୀ ଭାଷା ମଧ୍ୟ ପଢ଼ାଯିବ। ଅବଶ୍ୟ ଏହା ଅନଲାଇନରେ ଉପଲବ୍ଧ ହେବ। ଭାଷାଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତ ହେବା ଜରୁରୀ ଅଟେ।

ମାଧ୍ୟମିକ‌ ସ୍ତରରେ ଇଚ୍ଛାଧୀନ ବିଷୟ ଚୟନରେ କୌଣସି କଟକଣା ରହିବ ନାହିଁ। ବିଜ୍ଞାନ, କଳା ଓ ଧନ୍ଦାମୂଳକ ବିଷୟ ଏକାଠି ପଢ଼ିପାରିବେ, କିନ୍ତୁ ଏହି ନୀତି କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟରେ ଅଧିକ ସଂଖ୍ୟକ ଶିକ୍ଷକ ନିଯୁକ୍ତି, ବୈଷୟିକ ସୁବିଧା ସୁଯୋଗ ସୃଷ୍ଟି ସହିତ ବିଦ୍ୟାଳୟର ନିର୍ଘଣ୍ଟରେ ପରିବର୍ତ୍ତନ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷାନୀତିରେ ‘ବିଦ୍ୟାଳୟ ସଙ୍ଗମ’ ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବ ରହିଛି। ଗୋଟିଏ ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକୁ ନେଇ ଗୋଟିଏ ସଙ୍ଗମ ସୃଷ୍ଟି ହେବ। ସେହି ବିଦ୍ୟାଳୟଗୁଡ଼ିକ ନିଜ ଭିତରେ ଶିକ୍ଷକ, ଶିକ୍ଷାପୋକରଣ, ଖେଳପୋକରଣ, ପୁସ୍ତକ, ବିଜ୍ଞାନାଗାର ତଥା ବୈଷୟିକ ଉପକରଣ ଓ ଅନ୍ୟାନ୍ୟ ସାଧନ ବିନିମୟ ମାଧ୍ୟମରେ ଉପଯୋଗ କରିପାରିବେ।

ସାମାଜିକ ବନ୍ଧନକୁ ଦୃଢ଼ କରିବା ପାଇଁ ବିଭିନ୍ନ ସାମାଜିକ, ବୌଦ୍ଧିକ ଓ ସ୍ବେଚ୍ଛାକୃତ ସେବା କାର୍ଯ୍ୟ ପାଇଁ ବିଦ୍ୟାଳୟର କୋଠାବାଡ଼ି ଛୁଟି ଦିନମାନଙ୍କରେ ବ୍ୟବହାର ହେବ। ପ୍ରତ୍ୟେକ ବିଦ୍ୟାଳୟ ଗୋଟିଏ ଗୋଟିଏ ସାମାଜିକ ଚେତନା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ସ୍ଥାନୀୟ କଳା ଓ କାରିଗରୀ ବିଦ୍ୟା ଶିଖିବା ପାଇଁ ପିଲାମାନଙ୍କୁ ସୁଯୋଗ ମିଳିବ। ସେହି ସବୁ କ୍ଷେତ୍ରରେ ନିପୁଣତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ସ୍ବତନ୍ତ୍ର ଶିକ୍ଷକ ରୂପେ ଗ୍ରହଣ କରାଯିବ। ସେମାନେ ପିଲାମାନଙ୍କୁ ସ୍ଥାନୀୟ ଶିଳ୍ପକଳା ଶିକ୍ଷାଦେବେ। ନୂତନ ଶିକ୍ଷା ନୀତିରେ ଶିକ୍ଷାଦାନ ପ୍ରଣାଳୀ, ମୂଲ୍ୟାୟନ ଓ ପାଠ୍ୟକ୍ରମରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଚେଷ୍ଟା କରାଯାଇଛି। ପାଠ ଘୋଷାଇବା ପରିବର୍ତ୍ତେ ପାଠ ବୁଝି, ହୃଦୟଙ୍ଗମ କରି ସମସ୍ୟା ସମାଧାନ ପାଇଁ ତାକୁ ପ୍ରୟୋଗ କରିବାର କୌଶଳ ଶିକ୍ଷକମାନେ ଶିଖାଇବେ। ଶିକ୍ଷାଦାନର ମୁଖ୍ୟ ଉଦ୍ଦେଶ୍ୟ ହେବ ପିଲାମାନଙ୍କର ଶିଖିବା ସାମର୍ଥ୍ୟ ବଢ଼ାଇବା। ଥରେ ପିଲାମାନେ କିପରି ଶିଖିବାକୁ ହୁଏ ଜାଣିଗଲେ ସେମାନେ ନିଜେ ନିଜେ ଜ୍ଞାନ ଆହରଣ କରିପାରିବେ। ସେମାନଙ୍କର ଅଧିକ ଜାଣିବାର ଆଗ୍ରହ ବୃଦ୍ଧିପାଇବ, ବିଶ୍ଳେଷଣାତ୍ମକ ଚିନ୍ତନ ଶକ୍ତିର ବିକାଶ ହେବ ଓ କଳ୍ପନାଶକ୍ତି ବୃଦ୍ଧି ପାଇବ। ଶିକ୍ଷକମାନେ କେବଳ ମାର୍ଗଦର୍ଶକର ଭୂମିକା ନିର୍ବାହ କରିବେ। ଏହି ପଦ୍ଧତି ପିଲାମାନଙ୍କୁ ସବୁ ପରିସ୍ଥିତିରେ ଶିକ୍ଷାଲାଭ କରିବାରେ ସାମର୍ଥ୍ୟ ପ୍ରଦାନ ସହିତ ନୂତନ ଜ୍ଞାନ ସୃଷ୍ଟି କରିବାକୁ ସକ୍ଷମ କରିବ। ଏହି ଶିକ୍ଷଣ ପ୍ରଣାଳୀ ଅନୁସୃତ ହେଲେ ଶିକ୍ଷଣ ପ୍ରକ୍ରିୟା ଅଧିକ ବିଶ୍ଳେଷଣାତ୍ମକ ତଥା ଅନୁସନ୍ଧାନ, ଉଦ୍ଭାବନ ଓ ଆଲୋଚନାଭିତ୍ତିକ ହେବା ସଙ୍ଗେସଙ୍ଗେ ଆନନ୍ଦଦାୟକ ହେବ।

୧୯୬୦ ମସିହାରେ ଆମେରିକୀୟ ମନୋବିଜ୍ଞାନୀ ‌ଜେରମ ବ୍ରୁନର ଏହି ଉଦ୍ଭାବନ ଶିକ୍ଷଣ ତତ୍ତ୍ବ ବିଷୟରେ ଆଲୋକପାତ କରିଥିଲେ। ଆମର ଶିକ୍ଷକ ଶିକ୍ଷା ପାଠ୍ୟକ୍ରମରେ ମଧ୍ୟ ଏହା ଅନ୍ତର୍ଭୁକ୍ତ। ଆମ ଶିକ୍ଷକମାନଙ୍କୁ ରଚନାକାର ଶିକ୍ଷଣ ବିଷୟରେ ତାଲିମ ଦିଆଯାଏ; କିନ୍ତୁ ବାସ୍ତବ କ୍ଷେତ୍ରରେ ସେହି ପ୍ରଣାଳୀରେ ଶିକ୍ଷାଦାନ ହୁଏ ନାହିଁ। ଏହାର କାରଣ ହେଲା ଆମର ପାଠ୍ୟକ୍ରମ ଓ ମୂଲ୍ୟାୟନ ବ୍ୟବସ୍ଥାରେ ଏଭଳି ଶିକ୍ଷଣ ସମ୍ଭବ ନୁହେଁ। ନୂତନ ଶିକ୍ଷାନୀତିର ପ୍ରଣେତାମାନେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଓ ମୂଲ୍ୟାୟନରେ ସଂସ୍କାର କଥା ମଧ୍ୟ ଚିନ୍ତା କରିଛନ୍ତି। ପାଠ୍ୟକ୍ରମର ବୋଝକୁ କମାଯାଇ କେବଳ ମୂଳ ଅବଧାରଣାଗୁଡ଼ିକ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ସେଗୁଡ଼ିକୁ ପିଲାମାନେ କେତେ ବୁଝିଛନ୍ତି ଓ ତାହାର ସଠିକ ପ୍ରୟୋଗ କରିପାରିବାର ଦକ୍ଷତା ମୂଲ୍ୟାୟନ କରାଯିବ। ପ୍ରଶ୍ନପତ୍ରର ଢାଞ୍ଚା ତଦନୁଯାୟୀ ବଦଳିବ। ବହୁ ସମ୍ଭାବ୍ୟ ଉତ୍ତର ସମ୍ବଳିତ ବସ୍ତୁନିଷ୍ଠ ପ୍ରଶ୍ନାବଳୀ ମାଧ୍ୟମରେ ପିଲାର ପ୍ରୟୋଗାତ୍ମକ ଚିନ୍ତନ ଶକ୍ତିର ପରୀକ୍ଷା ହେବ। ସେହିପରି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନାବଳୀ ମାଧ୍ୟମରେ ପିଲାର ଗହନ, ବିଶ୍ଳେଷଣାତ୍ମକ ଓ ସୃଜନଶୀଳ ଶକ୍ତିର ପରୀକ୍ଷା ହେବ। ପିଲାଙ୍କର ଅଗ୍ରଗତି ଜାଣିବା ପାଇଁ ୩ୟ, ୫ମ ଓ ୮ମ ଶ୍ରେଣୀ ଶେଷରେ ବିଦ୍ୟାଳୟରେ ପରୀକ୍ଷା ହେବ। ୧୦ମ ଓ ୧୨ଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ହେବ ଏବଂ କୌଣସି ବିଷୟରେ ଭଲ ନମ୍ବର ରଖି ନପାରିଲେ, ଆଉ ଥରେ ପରୀକ୍ଷା ଦେବାର ବ୍ୟବସ୍ଥା ହେବ। ଦୁଇଟି ପରୀକ୍ଷାରେ ପାଇଥିବା ଅଧିକତମ ନମ୍ବର ବିଚାରକୁ ନିଆଯିବ। ୧୦ମ ପାସ୍‌ କଲା ପରେ ଅନ୍ୟ ପାଠ୍ୟକ୍ରମ ପଢ଼ିବା ପାଇଁ ପିଲାମାନେ ଯାଇପାରିବେ।

ଶିକ୍ଷକ ତାଲିମ ପାଠ୍ୟକ୍ରମକୁ ଅଲଗା ପଢ଼ା ନ ଯାଇ ଅନ୍ୟାନ୍ୟ ସ୍ନାତକ ପାଠ୍ୟକ୍ରମ, ଯଥା- ବି.ଏ. ଓ ବି.ଏସ୍‌ସି ସଙ୍ଗେ ଏକତ୍ର ୪ ବର୍ଷିଆ ବି.ଏ.ବି.ଏଡ୍‌ ଓ ବି. ଏସ୍‌ସି. ବି. ଏଡ୍‌ ଉପାଧି ପାଠ୍ୟକ୍ରମ ପ୍ରଚଳନ ହେବ। ଶିକ୍ଷକମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ପ୍ରତିବର୍ଷ ତାଲିମ ଦିଆଯିବ। ଭବିଷ୍ୟତରେ ବି.ଏଡ୍‌ ଉପାଧି ଶିକ୍ଷକ ଚାକିରି ପାଇଁ ନ୍ୟୂନତମ ଯୋଗ୍ୟତା ହେବ। ଏହାଦ୍ବାରା ନିଶ୍ଚିତଭାବେ ପ୍ରାଥମିକ ସ୍ତର ଶିକ୍ଷାର ଗୁଣବତ୍ତା ବୃଦ୍ଧିପାଇବ। ନୂତନ ଶିକ୍ଷାନୀତି ଉପଯୁକ୍ତ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିଲେ ଆମ ଶିକ୍ଷାର ମାନ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଆମ ପିଲାଙ୍କର ପ୍ରତିଯୋଗିତାମୂଳକ ସାମର୍ଥ୍ୟ ବଢ଼ିବ। ବର୍ତ୍ତମାନ ଦେଖିବାର କଥା ହେଉଛି, ଏହି ନୀତି କାର୍ଯକାରୀ କରିବାକୁ ରାଜ୍ୟ ସରକାରମାନେ କେତେ ତତ୍ପର ହେବେ ଏବଂ ସେଥି ପାଇଁ ବୁଦ୍ଧିଜୀବୀମାନେ ସରକାରଙ୍କ ଉପରେ କେତେ ଚାପ ପ୍ରୟୋଗ କରିପାରିବେ।

ସତ୍ୟକାମ ମିଶ୍ର (କଟକ)
ମୋ- ୯୪୩୭୨୭୭୩୧୩

Comments are closed.