ଆସନ୍ତାକାଲି ଜାତୀୟ କୃମିନାଶକ ଦିବସ, କୃମିନାଶକ ବଟିକା ଖାଇବେ ୧ ରୁ ୧୯ ବର୍ଷ ପିଲା

ଭୁବନେଶ୍ୱର: ପିଲାମାନଙ୍କ ମଧ୍ୟରେ କୃମି ସଂକ୍ରମଣର ମୁକାବିଲା କରିବା ପାଇଁଁ ଅଗଷ୍ଟ ୧୨ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧ ରୁ ୧୯ ବର୍ଷ ପିଲାମାନଙ୍କ ପାଇଁ କୃମିନାଶକ ବଟିକା ବାଣ୍ଟିବାର କାର୍ଯ୍ୟକ୍ରମ କରିବେ। ଅଗଷ୍ଟ ୧୨ରେ କୃମିନାଶକ ଔଷଧ ଖାଇ ନଥିବା ପିଲାମାନେ ଅଗଷ୍ଟ ୧୯ରେ ଏକ ମପ୍‍ ଅପ୍‍ ରାଉଣ୍ଡରେ ଏହି ଔଷଧ ଖାଇବେ। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଓ ୟୁନିସେଫ୍‍ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କୃମିନାଶକର ଗୁରୁତ୍ୱ ଓ ପିଲାମାନଙ୍କୁ କୃମିରୁ ଦ୍ୱର ରଖିବା ପାଇଁ ଅଭିଭାବକ ଓ ଯତ୍ନ ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତାର ମହତ୍ୱ ବିଷୟରେ ଅଲୋଚନା କରିଥିଲେ।

ଏନ୍‍ଡିଡିର ମୂଳ ଲକ୍ଷ୍ୟ ହେଉଛି, ପିଲାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ସ୍ଥିତି, ଶିକ୍ଷା ତଥା ଜୀବନଶୈଳୀରେ ଉନ୍ନତି ଆଣିବା। ଏହି କାର୍ଯ୍ୟକ୍ରମରେ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକ ମାଧ୍ୟମରେ ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନଙ୍କୁ କୃମିନାଶକ ବଟିକା ଖୁଆଇବାର ବ୍ୟବସ୍ଥା କରାଯାଇଛି। ଜାତୀୟ କୃମିନାଶକ ଦିବସ ବର୍ଷକୁ ଦୁଇ ଥର-ଫେବୃଆରୀ ଓ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥାଏ।

ଗଣମାଧ୍ୟମଙ୍କ ସହ ଆଲୋଚନା କରି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ଼. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଏହି ବର୍ଷ ଅଗଷ୍ଟ ୧୨ରେ ଜାତୀୟ କୃମିନାଶକ ଦିବସ ପାଳନ କରାଯିବ। ପ୍ରତ୍ୟେକ ପିଲାଙ୍କ କୃମିନାଶ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ୧ ରୁ ୧୯ ବର୍ଷର ପିଲାମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରରେ କୃମିନାଶକ ବଟିକା (ଆଲବେଣ୍ଡାଜୋଲ୍‍) ଦିଆଯିବ। ଏହା ଦ୍ୱାରା ପିଲାମାନଙ୍କୁ ରକ୍ତହୀନତା ଓ ଅପପୁଷ୍ଟିରୁ ସୁରକ୍ଷା ଦିଆଯାଇପାରିବ। ଯାହା ଫଳରେ ପିଲାମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇବା ସହ ବିଦ୍ୟାଳୟରେ ସେମାନଙ୍କ ଉପସ୍ଥାନ ବଢ଼ିବ ଏବଂ ଭବିଷ୍ୟତରେ ସୁସ୍ଥ ସମାଜ ଗଠନ ହୋଇପାରିବ।

ବର୍ତ୍ତମାନ ରାଜ୍ୟରେ ୧,୬୮,୩୧,୬୭୯ ଏନଡିଡି ହିତାଧିକାରୀ ଅଛନ୍ତି। ଯେଉଁମାନଙ୍କୁ ୫୫,୫୦୦ ଟି ବିଦ୍ୟାଳୟ ଓ ୭୨,୦୦୦ ଅଙ୍ଗନୱାଡି କେନ୍ଦ୍ରରେ କୃମିନାଶକ ଔଷଧ ଦିଆଯିବ। ଏହି କାର୍ଯ୍ୟକ୍ରମରେ ୬୯,୦୦୦ ଶିକ୍ଷକ, ୭,୮୦୦ ଏଏନ୍‍ଏମ୍‍, ୭୨,୦୦୦ ଅଙ୍ଗନୱାଡି କର୍ମୀ ଓ ୪୮,୦୦୦ ଆଶାକର୍ମୀ ନିୟୋଜିତ ହେବେ। ଆଲବେଣ୍ଡାଜୋଲ୍‍ ସିରପ୍‍ ଏବଂ ବଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଏବଂ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ନିରାପଦ। ସେ ଆହୁରି ମଧ୍ୟ କହିଛନ୍ତି, ପିଲାମାନେ ଏହି ଔଷଧ ଶିକ୍ଷକ ଓ ଅଙ୍ଗନୱାଡି କର୍ମୀଙ୍କ ତତ୍ୱାବଧାନରେ ଖାଇବେ।

୩୦ ଟି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ କୃମିନାଶକ ଔଷଧ ଦିଆଯିବ। ଭିଟାମିନ୍‍-ଏ(କ) ସପ୍ଲିମେଣ୍ଟସନ୍‍ (ଭିଏଏସ୍‍) କାର୍ଯ୍ୟକ୍ରମ ଅନୁଯାୟୀ, ୯ ମାସରୁ ୬୦ ମାସ ବୟସର ପିଲାମାନଙ୍କୁ ଅଗଷ୍ଟ ୨୦୨୨ରେ ଭିଟାମିନ୍‍-ଏ (କ) ର ଉପଯୁକ୍ତ ମାତ୍ରା ନିୟମିତ ଟୀକାକରଣ କେନ୍ଦ୍ର ଏବଂ ସ୍ୱତନ୍ତ୍ର ଭିଏଚ୍‍ଏସ୍‍ଏନ୍‍ଡି ଗୁଡିକରେ ଦିଆଯିବ। ଭିଟାମିନ୍‍ ଏ (କ) ସପ୍ଲିମେଣ୍ଟସନ୍‍ ପାଇବା ପାଇଁ ରାଜ୍ୟରେ ୩୫,୧୯,୫୫୪ ହିତାଧିକାରୀ ରହିଛନ୍ତି।

ସୂଚନା ଅନୁଯାୟୀ, ସମସ୍ତ ୩୦ଟି ଜିଲ୍ଲାରେ ଉଭୟ ଏନ୍‍ଡିଡି ଏବଂ ଭିଏସ୍‍ କାର୍ଯ୍ୟକ୍ରମ ପାଇଁ ପର୍ଯାପ୍ତ ପରିମାଣର ଔଷଧ ସହିତ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏହି ଔଷଧଗୁଡିକରେ ୧-୫ବର୍ଷର ପିଲାମାନଙ୍କ ପାଇଁ ଆଲବେଣ୍ଡାଜୋଲ୍‍ ସସ୍‍ପେନ୍‍ସନ୍‍, ୬ ରୁ ୧୯ ବର୍ଷର ପିଲାମାନଙ୍କ ପାଇଁ ଆଲବେଣ୍ଡାଜୋଲ୍‍ ବଟିକା ଏବଂ ୯ ରୁ ୬୦ମାସର ପିଲାମାନଙ୍କ ପାଇଁ ଭିଟାମିନ୍‍ ‘କ’ ଅନ୍ତର୍ଭୁକ୍ତ ରହିଛି। ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ୟୁନିସେଫ ଓଡ଼ିଶାର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଜୀ କହିଛନ୍ତି, କୋଭିଡ-୧୯ର ସମସ୍ତ ଗାଇଡଲାଇନ୍‍ ଯଥା ହାତ ସାନିଟାଇଜ୍‍ କରିବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଆଦି ଏନଡିଡି କାର୍ଯ୍ୟକ୍ରମ ସମୟରେ ଅବଲମ୍ବନ କରାଯିବା ଉଚି୍‍ତ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଅଣସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଏବଂ ୟୁନିସେଫ୍‍ ସହଯୋଗରେ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକାରୀ ହେବ।

Comments are closed.