ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଓ ଉପଯୋଗ ସଂପର୍କିତ ବିମର୍ଶ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ

ଭୁବନେଶ୍ୱର: ଐତିହାସିକ ଜଙ୍ଗଲ ଅଧିକାର ଆଇନ ଜଙ୍ଗଲବାସୀଙ୍କୁ ସେମାନଙ୍କ ଅଧିକାର ଚିହ୍ନିବା ଓ ଅଧିକାରଭୁକ୍ତ କରିବା ପାଇଁ ଏକ ପ୍ରୟାସ। ଜଙ୍ଗଲରେ ପୁରୁଷ ପୁରୁଷ ଧରି ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲବାସୀମାନଙ୍କ ପାଇଁ ଜଙ୍ଗଲ ଜମିକୁ ଚିହ୍ନଟ କରିବା ସହ ଅଧିକାର ସାବ୍ୟସ୍ତ କରିବା ଏହି ଆଇନର ଉଦ୍ଦେଶ୍ୟ।
ଜଙ୍ଗଲ ନୀତିକୁ ସରଳୀକରଣ କରିବା ଏବଂ ବିଶେଷ ଭାବେ ବ୍ୟକ୍ତିଗତ, ଗୋଷ୍ଠୀଗତ, ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ୱୀକୃତି ଦେଇ ଜୀବିକାସୁରକ୍ଷା ଯୋଗାଇ ଦେବା ପାଇଁ ଏହି ଆଇନ ପ୍ରଯୁଜ୍ୟ। ପୁଣି ଏହି ନିୟମ ଜଙ୍ଗଲ ଏବଂ ଜୈବବିବିଧତାର ସଂରକ୍ଷଣ, ସ୍ଥାନୀୟ ବାସିନ୍ଦାଙ୍କ ଜୀବିକାନିର୍ବାହ ତଥା ନିରନ୍ତର ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ହ୍ରାସ ପାଇଁ ଭାରତର ଅନ୍ତର୍ଜାତୀୟ ପ୍ରତିଶ୍ରୁତି ପୂରଣ କରିବାରେ ସହାୟକ ହୋଇପାରିବ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜନଜାତିଙ୍କର ବିକାଶ ଆଧାରରେ ‘ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଓ ଉପଯୋଗ ସଂପର୍କିତ ବିମର୍ଶ: ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ’ ଉପରେ ଦୁଇଦିନିଆ ଜାତୀୟ ପରାମର୍ଶ ବୈଠକ ଆଜି ଆରମ୍ଭ ହୋଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ଓଡ଼ିଶା ସରକାର ଏବଂ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ସହଭାଗିତାରେ ଏସ୍‌ସିଏସ୍‌ଟିଆର୍‌ଟିଆଇଠାରେ ଏହା ଆୟୋଜିତ ହୋଇଯାଇଛି ।
ଜନଜାତି ସଂପ୍ରଦାୟର ବିକାଶ ପାଇଁ ଅନ୍ତରାୟ ସୃଷ୍ଟି କରୁଥିବା ଉପାଦାନ ଏବଂ ଦେଶର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଥିବା ନୀତି ଓ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ମଜବୁତ କରିବାର ଉପାୟ ଖୋଜିବା ଏପରି ପରାମର୍ଶ ବୈଠକର ମୂଳ ଲକ୍ଷ୍ୟ । ଏହି ଜାତୀୟ ବିମର୍ଶ ବୈଠକର ଉଦ୍‌ଯାପନୀ ଅଧିବେଶନରେ ନୀତି ଆୟୋଗର ଉପପରାମର୍ଶଦାତା ଡ. ମୁନି ରାଜୁ ଯୋଗଦେଇ ଗରିବ ଓ ଅସୁରକ୍ଷିତ ସଂପ୍ରଦାୟଙ୍କ ଜୀବିକାନିର୍ବାହର ସୁରକ୍ଷାକୁ ଦୃଷ୍ଟିରେ ରଖି ଜଙ୍ଗଲ ଅଧିକାରର ସ୍ୱୀକୃତି ପ୍ରଦାନର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ।

ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଡ. ଏନ୍‌.ସି. ସାକ୍‌ସେନା ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ମନୋଜ ବାପ୍‌ନା ଭାରତ ସରକାରଙ୍କ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ସୂଚନା ଦେଇଥିଲେ। ଓଡ଼ିଶାରେ ୪ ଲକ୍ଷ ୫୭ ହଜାରରୁ ଅଧିକ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜମିକୁ ମଞ୍ଜୁର କରାଯାଇଥିବାବେଳେ ଜମି ଅଧିକାର ପାଇଥିବା ପ୍ରାୟ ୩ ଲକ୍ଷ ୫୧ ହଜାର ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ଦର୍ଶାଇ ଜଙ୍ଗଲ ଉପରେ ନିର୍ଭରଶୀଳ ସଂପ୍ରଦାୟଗୁଡ଼ିକର ସୁରକ୍ଷା ପାଇଁ ଏହା ଓଡ଼ିଶାର ପ୍ରତିବଦ୍ଧତାକୁ ସୂଚିତ କରୁଛି ବୋଲି ଶ୍ରୀମତୀ ଚୋପ୍ରା ଉଲ୍ଲେଖ କରିଥିଲେ ।
ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ଏବଂ ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର ଅଖିଳ ବିହାରୀ ଓତା ଦେଶର ବିିଭିନ୍ନ ରାଜ୍ୟରୁ ଆସିଥିବା ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସହିତ ଜଙ୍ଗଲ ଅଧିକାର ଆଇନର ବିଭିନ୍ନ ଦିଗ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଏହାର ରୂପାୟନ ପାଇଁ ଥିବା ସମସ୍ୟାର ସମାଧାନ ଓ ଆଇନକୁ ମଜବୁତ କରିବା ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।
ଭାରତରେ ଅବସ୍ଥାପିତ ୟୁଏନ୍‌ଡିପିର ଉପ ଆବାସିକ ପ୍ରତିନିଧି ଶ୍ରୀ ଡେନି କ୍ୟୁରି ଅସୁରକ୍ଷିତ ସଂପ୍ରଦାୟଙ୍କ ସୁରକ୍ଷାଜନିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଗୋଷ୍ଠୀଙ୍କ ଜଙ୍ଗଲ ଅଧିକାର ଆଇନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଦୁଇଦିନିଆ ଜାତୀୟ ପରାମର୍ଶ ବୈଠକରେ ଜନଜାତି ଗବେଷଣା ପ୍ରତିଷ୍ଠାନ, ସେଣ୍ଟର ଫର ଏକ୍ସଲେନ୍ସର ପ୍ରତିନିଧି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଜନଜାତି ସଂସ୍କୃତି ଓ ବିକାଶ ଉପରେ କାର୍ଯ୍ୟରତ ଦଶରୁ ଅଧିକ ରାଜ୍ୟର ପ୍ରତିନିଧିବୃନ୍ଦ ଯୋଗଦାନ କରିଛନ୍ତି। ବୈଠକରେ ପାଞ୍ଚଟି ବୈଷୟିକ ଅଧିବେଶନ ରହିଛି। ସେଥିରେ ଜଙ୍ଗଲ ଅଧିକାର ଆଇନ ବିଭିନ୍ନ ଦିଗ, ଉଦ୍ଦେଶ୍ୟ, ମହତ୍ୱ ଓ କାର୍ଯ୍ୟକାରିତା ଉପରେ ବକ୍ତାମାନେ ସୁଚିନ୍ତିତ ମତ ପ୍ରଦାନ କରିବେ। ଏଥିରେ ଜଙ୍ଗଲ ଅଧିକାର ଆଇନର ପ୍ରଭାବୀ କାର୍ଯ୍ୟକାରିତା ନିମନ୍ତେ ରୋଡ଼୍‌ମ୍ୟାପ୍‌ ପ୍ରସ୍ତୁତି କରାଯିବ।

Comments are closed.