ଭୁବନେଶ୍ୱରରେ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‍ଘାଟିତ

0
ଗ୍ୟାସ ପାଇପ ଲାଇନ୍‍ ବିଛାଇବା ଲାଗି ବିନିଯୋଗ ହେବ ୭୦ ହଜାର କୋଟି ଟଙ୍କା
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ କିମି ପାଇପ ଲାଇନ୍‍ ନେଟୱର୍କ ପାଇଁ ଖର୍ଚ୍ଚ ହେବ ୪୫୦୦କୋଟି ଟଙ୍କା
ଓଡ଼ିଶା ସମେତ ପୂର୍ବ ଭାରତ ରାଜ୍ୟମାନଙ୍କୁ ଦୁଇଅଙ୍କର ଅଭିବୃଦ୍ଧି ଦର ହାସଲ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ
ପାରାଦୀପ, ଧାମରା, ଗୋପାଳପୁରରେ ବନ୍ଦରଭିତିକ ଶିଳ୍ପର ବିକାଶ ପାଇଁ କେନ୍ଦ୍ରର ଯୋଜନା
ପାରାଦୀପ-ବାଂଲାଦେଶ ଗ୍ୟାସ ନେଟୱର୍କ ସହ ମିଆଁମାରକୁ ଯୋଡିବା ପାଇଁ ପରିକଳ୍ପନା
ଭବିଷ୍ୟତ ଯୋଜନାରେ ରହିଛି ପାରାଦୀପ-ହାଇଦ୍ରାବାଦ ୧୨୧୨ କି.ମିର ପାଇପ ଲାଇନ୍‍

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବେ ଗ୍ୟାସ ଭିତିକ ଅର୍ଥବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଏଥିଲାଗି ଗ୍ୟାସ ପାଇପ ଲାଇନ ନେଟୱାର୍କର ବିସ୍ତାର ପାଇଁ ବ୍ୟାପକ ଯୋଜନା ହୋଇଛି ଏବଂ ଦେଶର ବିଭିନ୍ନ ସ୍ଥାନକୁ ଗ୍ୟାସ୍‍ ଯୋଗାଣ ନିମନ୍ତେ ପାଇପଲାଇନ ବିଛାଇବା ଲାଗି ପ୍ରଥମ ପର୍ଯ୍ୟାୟରେ ୭୦,୦୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବୁଧବାର ଭୁବନେଶ୍ୱରଠାରେ ଉନବିଂଶ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀକୁ ଉଦ୍‍ଘାଟନ କରିବା ଅବସରରେ ସେ କହିଛନ୍ତି ଯେ କେବଳ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୭୦୦ କିଲୋମିଟର ଗ୍ୟାସ୍‍ ଲାଇନ ବିଛାଯିବ ଏବଂ ଏଥିପାଇଁ ୪୫୦୦ କୋଟି ଟଙ୍କା ବିନିଯୋଗ ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପୂର୍ବ ଭାରତକୁ ବିକାଶ କ୍ଷେତ୍ରରେ ପଶ୍ଚିମ ଭାରତ ସହ ସମକକ୍ଷ କରାଇବାକୁ ପଡ଼ିବ।

ଭାରତୀୟ ଜାତୀୟ ଅବକ୍ଷୟ ନିୟନ୍ତ୍ରଣ ପରିଷଦ କରାଇକୁଡି, ସିଏସଆଇଆର, ଭାରତୀୟ ତୈଳ ନିଗମର ପାଇପ ଲାଇନ ଡିଭିଜନ ଏବଂ ଦକ୍ଷିଣ-ପୂର୍ବ କ୍ଷେତ୍ରୀୟ ପାଇପ ଲାଇନ୍‍ ସଂସ୍ଥା ଭୁବନେଶ୍ୱରର ମିଳିତ ସହଯୋଗରେ ଏହି ତିନିଦିନିଆ ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀର ଉଦ୍ଦେଶ୍ୟ ହେଲା ବିଭିନ୍ନ ଉଦ୍ୟୋଗିକ କ୍ଷେତ୍ରରେ ବ୍ୟବହୃତ ଧାତବ ସାମଗ୍ରୀର ଅବକ୍ଷୟ ସମସ୍ୟା ବିଶ୍ଳେଷଣ ଓ ସମାଧାନ ତଥା ଉଦ୍ୟୋଗପତି, ବୈଜ୍ଞାନିକ ଏବଂ ପେଶାଦାର ମାନଙ୍କ ମଧ୍ୟରେ ବିସ୍ତୃତ ମତବିନିମୟର ଉପଯୁକ୍ତ ମଞ୍ଚ ପ୍ରଦାନ। ଏଥିସହ ଅବକ୍ଷୟ ବିଜ୍ଞାନ ଓ ଇଞ୍ଜିନିୟରିଂ ବିଷୟରେ ସର୍ବୋତମ ଜ୍ଞାନ କୌଶଳର ବିକାଶ ଦିଗରେ ପ୍ରୟାସ କରିବା ହେଲା ଏଭଳି ସମ୍ମିଳନୀ ଆୟୋଜନର ଅନତ୍ୟମ ଆଭିମୁଖ୍ୟ।

ଏଥିଲାଗି ଓଡ଼ିଶା ସମେତ ପୂର୍ବଭାରତ ରାଜ୍ୟମାନଙ୍କ ଅଭିବୃଦ୍ଧି ହାର ଦୁଇଅଙ୍କ ବିଶିଷ୍ଟ କରିବାକୁ ହେବ। ପାରାଦୀପ, ଧାମରା ଓ ଗୋପାଳପୁରରେ ବନ୍ଦରଭିତିକ ଶିଳ୍ପ ଓ କଳକାରଖାନା ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇ ଆବଶ୍ୟକ ଭିତିଭୂମି ନିମନ୍ତେ ଅଗ୍ରାଧିକାର ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ ଧାମରାରୁ ବାଂଲାଦେଶ ଏବଂ ସିଲିଗୁଡ଼ିରୁ ବାଂଲାଦେଶକୁ ଗ୍ୟାସ୍‍ ପାଇପଲାଇନ ନେଟୱାର୍କ ଯୋଗେ ଯୋଡ଼ିବାର ଯୋଜନା ହୋଇଛି। ସେହିପରି ବାଂଲାଦେଶ ଦେଇ ମିଆଁମାରକୁ ମଧ୍ୟ ଗ୍ୟାସ ପାଇପଲାଇନ୍‍ ନେଟୱାର୍କର ବିସ୍ତାର ପାଇଁ ଯୋଜନା ରହିଛି। ଏସବୁ ପରିପ୍ରେକ୍ଷୀରେ ପାରାଦୀପ ବନ୍ଦରର ଗ୍ୟାସ ପରିବହନ ପରିଚାଳନା କ୍ଷମତା କ୍ରମେ ବୃଦ୍ଧି କରାଯିବ। ବର୍ତମାନ ତିନୋଟି ସିଂଙ୍ଗଲ ପଏଣ୍ଟ ମୁରିଂ ବ୍ୟବସ୍ଥା ଯୋଗେ ୩୭ ଏମ୍‍ଏମ୍‍ଟିପିଏ କ୍ଷମତାର ଅଶୋଧିତ ତୈଳ ପାରାଦୀପ, ହଳଦିଆ, ବରାଉଣି ଓ ବଂଗାଇ ଗାଓଁ ବିଶୋଧନାଗାରକୁ ପଠାଯାଉଛି। ସେହିଭଳି ଭବିଷ୍ୟତ ଯୋଜନା ମଧ୍ୟରେ ରହିଛି ୧୨୧୨ କିଲୋମିଟର ଦ୍ରୈର୍ଘ୍ୟ ଓ ୪.୫ ଏମଏମଟିପିଏ କ୍ଷମତାର ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍‍ କାର୍ଯ୍ୟ। ଅଧିକନ୍ତୁ ୩୬୦ କିଲୋମିଟର ଲମ୍ବର ପାରାଦୀପ-ଧାମରା-ହଳଦିଆ ଏଲଏନ୍‍ଜି ପାଇପଲାଇନ୍‍ ଏବଂ ୩୪୫ କିଲୋମିଟର ପାରାଦୀପ-ସୋମନାଥପୁର–ହଳଦିଆ ପାଇପାଇନର ପ୍ରାକ୍‍ ନିର୍ମାଣ ଭିତିଭୂମି କାର୍ଯ୍ୟ ଚାଲୁ ରହିଛି। ଅପରପକ୍ଷେ ପାରାଦୀପ ତୈଳ ବିଶୋଧନାଗାର କ୍ଷମତା ମଧ୍ୟ ବୃଦ୍ଧି କରାଯିବ। ଚଳିତ ଡିସେମ୍ବରରୁ ପାରାଦୀପ ରିଫାଇନାରୀରୁ ପଲିପ୍ରୋପିଲିନ ଉତ୍ପାଦନ ଆରମ୍ଭ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ସେ କହିଥିଲେ ଯେ କେବଳ ଗ୍ୟାସ ପାଇପଲାଇନ୍‍ ନୁହେଁ, ବନ୍ଦର, ବିମାନ ବନ୍ଦର, ଜଳପଥ, ଶକ୍ତି, ଗୃହ ଓ ସଡ଼କ ନିର୍ମାଣ କ୍ଷେତ୍ରରେ ମଧ୍ୟ ଧାତବ ସାମଗ୍ରୀର ଉପଯୋଗ ହେବ। ତେବେ ଏସବୁର ଅବକ୍ଷୟକୁ ରୋକିବା ପାଇଁ ନୂଆ ନୂଆ ଉଦ୍ଭାବନ ଓ ଜ୍ଞାନ କୌଶଳର ଆବଶ୍ୟକତା ରହିଛି। ଦେଶରେ ଆଗାମୀ ୧୦ ବର୍ଷ ମଧ୍ୟରେ ଇସ୍ପାତ ଚାହିଦା ୩୦୦ ନିୟୁତ ଟନକୁ ବୃଦ୍ଧି ପାଇବ। କେବଳ ଓଡ଼ିଶାରେ ଏହି ସମୟ ମଧ୍ୟରେ ୧୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନର ବିଶାଳ କ୍ଷମତା ରହିଛି ବୋଲି ସେ କହିଥିଲେ। ତିନିଦିନ ଧରି ଚାଲୁଥିବା ଏହି ଜାତୀୟ ସମ୍ମିଳନୀରେ ଅବକ୍ଷୟରୋଧୀ ଜ୍ଞାନକୌଶଳର ଉଦ୍ଭାବନ ଓ ଉପଯୋଗ ସଂପର୍କିତ ପ୍ରୟାସ ତଥା ପଦକ୍ଷେପ ସଂପର୍କରେ ଏକ ମାର୍ଗଚିତ୍ର/ରୋଡମ୍ୟାପ ପ୍ରସ୍ତୁତ କରାଯିବାକୁ ସେ ସମବେତ ପ୍ରତିନିଧି ଗବେଷକମାନଙ୍କୁ ଆହ୍ୱାନ ଦେଇଥିଲେ।

Leave A Reply