ଜାତୀୟ ଚେତନା ଓ ସାମାଜିକ ମୂଲ୍ୟବୋଧ

ଗତ ଜାନୁଆରୀ ୨୮ ତାରିଖ ପଞ୍ଜାବ କେଶରୀ ଲାଲାଜୀଙ୍କ ଜନ୍ମଦିନ ଥିଲା। ସେହି ଅବସରରେ ‘ସମାଜ’ ଗୋପବନ୍ଧୁ ଭବନଠାରେ ଅନୁଷ୍ଠିତ ସଭାରେ ମୋର ବକ୍ତବ୍ୟର କିଛିକଥା ଏଠି ପ୍ରକାଶ କରିବା ଏକ ସାମାଜିକ ଦାୟିତ୍ୱ ବୋଲି ମନେକରୁଛି। ଲାଲାଜୀଙ୍କ ଜନ୍ମଦିନ ହେଉଛି ମାନବିକ ମୂଲ୍ୟବୋଧ ସମୀକ୍ଷାର ଦିନ। ଲାଲାଜୀ ଥିଲେ ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା। ସେ ଥିଲେ ସ୍ୱଦେଶୀ ଆନ୍ଦୋଳନର କର୍ଣ୍ଣଧାର। ସେ ଥିଲେ ଏକାଧାରରେ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ଲୋକପ୍ରିୟ ଓକିଲ, ସମାଜ ସଂସ୍କାରକ, କ୍ରାନ୍ତିକାରୀ ସାମ୍ବାଦିକ ଓ ଟ୍ରେଡ ୟୁନିଅନ ନେତା। ସେ ୧୯୨୮ରେ ସାଇମନ କମିସନ ବିରୋଧରେ ପ୍ରତିବାଦ କରି ପୁଲିସର ଲାଠି ମାଡରେ ସହିଦ ହୋଇଥିଲେ। ସେ ଥିଲେ ଦେଶପ୍ରେମ, ସେବା, ତ୍ୟାଗ, ସାମାଜିକ ମୂଲ୍ୟବୋଧର ପ୍ରତୀକ। ପଞ୍ଜାବର ଗୋଟେ ଛୋଟ ଗାଁର ସାଧାରଣ ପରିବାରରେ ଜନ୍ମଲାଭ କରିଥିଲେ। ଅନେକ ବାଧାବିଘ୍ନ ଭିତରେ ତାଙ୍କର ବାଲ୍ୟାବସ୍ଥା ବିତିଥିଲା। ତେଣୁ ସେ ସାମାନ୍ୟରୁ ଅସାମାନ୍ୟ ହେବାର ଏକ ବଳିଷ୍ଠ ନମୁନା। ସାଧାରଣରୁ ଅସାଧାରଣ। ରାଷ୍ଟ୍ର ଭକ୍ତି ତାଙ୍କର ଥିଲା ଅନନ୍ୟ। ସେ ତାଙ୍କର ସାରା ଜୀବନ ସମଗ୍ର ଜାତି ପାଇଁ ଉତ୍ସର୍ଗ କରିଥିଲେ। ସେ ସମୟର ଚରମପନ୍ଥୀ ନେତା ବାଲ ଗଙ୍ଗାଧର ତିଲକ ଓ ବିପିନଚନ୍ଦ୍ର ପାଲଙ୍କ ସହିତ ଇଂରେଜ ସରକାର ବିରୋଧରେ ସ୍ୱାଧୀନତା ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେଇଥିଲେ। ସେ ଅନେକଥର ଇଂରେଜ ସରକାରଙ୍କ ଦ୍ୱାରା କାରାଦଣ୍ଡ ଭୋଗିଥିଲେ। ଗାନ୍ଧିଜୀ ମଧ୍ୟ ଅନେକ ପରିମାଣରେ ଲାଲାଜୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ଗାନ୍ଧୀ-ଗୋପବନ୍ଧୁ ଓ ଲାଲାଜୀ ଭିତରେ ଅପୂର୍ବ ସମନ୍ୱୟ ସ୍ଥାପିତ ହୋଇଥିଲା; କାରଣ ପୃଥିବୀର ମହାନ ବ୍ୟକ୍ତିମାନେ ଯେ କୌଣସି ଭାଷାର କିମ୍ବା ଦେଶର ହେଲେ ବି ଏକ ପ୍ରକାର ହିଁ ଚିନ୍ତା କରନ୍ତି। ସେଥିପାଇଁ ସେମାନେ ମହାନ। ସେହି ସମୟରେ ଲାଲାଜୀଙ୍କ ପ୍ରଭାବରେ ଦେଶପାଇଁ ସଂଗ୍ରାମ କରି ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ ଓ ଆହୁରି ଅନେକ ଯୁବକ ସହିଦ ହୋଇଛନ୍ତି।
ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଲାଲାଜୀ ଥିଲେ ଅତି ବିବେକବାନ, ବୁଦ୍ଧିମାନ ଓ ଉଚ୍ଚତର ଚେତନାର ବାହକ। ସମାଜ ସଂସ୍କାରକମାନଙ୍କ ମଧ୍ୟରେ ସେ ଥିଲେ ବିବେକର ଜାଗ୍ରତ ପ୍ରହରୀ। ସେ ଜଣେ ସୁଲେଖକ ଥିଲେ। ତାଙ୍କର ଇଂରାଜୀରେ ଲିଖିତ ପ୍ରମୁଖ ପୁସ୍ତକଗୁଡିକ ହେଲା- ଆର୍ଯ୍ୟ ସମାଜ, ୧୯୧୫; ୟଙ୍ଗ ଇଣ୍ଡିଆ, ୧୯୧୬; ଇଂଲଣ୍ଡ ଡେବ୍‌ଟ ଟୁ ଇଣ୍ଡିଆ ୧୯୧୭; ପଲିଟିକାଲ ଫ୍ୟୁଚର ଅଫ୍‌ ଇଣ୍ଡିଆ ୧୯୧୯; ପ୍ରୋବ୍ଲେମସ୍‌ ଅଫ୍‌ ନ୍ୟାସନାଲ ଏଜୁକେସନ, ୧୯୨୦; ଅନ୍‌ହାପି ଇନ୍‌ ଇଣ୍ଡିଆ, ୧୯୨୮। ତାଙ୍କ ଲେଖା ମାଧ୍ୟମରେ ସେ ଜାତୀୟ ଚେତନା ସୃଷ୍ଟି କରି ସମସ୍ତଙ୍କୁ ବାନ୍ଧି ରଖିପାରୁଥିଲେ। ଜାତୀୟ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ସେ ପଞ୍ଜାବରେ ଓ ପଞ୍ଜାବ ବାହାରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ସେ ଡିଏଭି ଅନୁଷ୍ଠାନମାନଙ୍କର ଥିଲେ ମୁଖ୍ୟ ସ୍ତମ୍ଭ। ଆଜି ତାଙ୍କ ନାମରେ ଓ ତାଙ୍କ ଆଦର୍ଶରେ କେତେ ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ, ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗଢି ଉଠିଛି। ଶିକ୍ଷା ଦିଗରେ ଆମେ କେତେ ଆଗକୁ ଯାଇଛୁ ଆଜି ସମୀକ୍ଷା କରିବାର ଅବକାଶ ଆସିଛି। ପ୍ରାଚୀନ ଶିକ୍ଷା ବ୍ୟବସ୍ଥା ଖୁବ୍‍ ଉତ୍କୃଷ୍ଟ ଥିଲା, କାରଣ ତାହାର ସାମାଜିକ ସମ୍ପୃକ୍ତି ଥିଲା। ପୁରୁଣା କାଳର ମ୍ୟାଟ୍ରିକ ପାସ୍‍ କରିଥିବା ବ୍ୟକ୍ତି ଆଜିର ବିଶ୍ୱବିଦ୍ୟାଳୟରୁ ଏମଏ କିମ୍ବା ପିଏଚଡି ଡିଗ୍ରୀଧାରୀ ଛାତ୍ରଠାରୁ ଅଧିକ ବୁଦ୍ଧିମାନ। ପରୀକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି; କିନ୍ତୁ ଶିକ୍ଷା ବ୍ୟବସ୍ଥାରେ ଅନବରତ ଅବନତି ଦୃଶ୍ୟମାନ ହେଉଛି; ମାତ୍ର ଏ କଥାକୁ ଆମେ ମାନିବାକୁ ପ୍ରସ୍ତୁତ ନାହୁଁ। ଆଦର୍ଶକୁ ପ୍ରଚାର କରୁଛୁ ସତ; କିନ୍ତୁ ବ୍ୟକ୍ତିଗତ ଜୀବନରେ ଆଦୌ ଗ୍ରହଣ କରୁ ନାହୁଁ। ଶିକ୍ଷାଠାରୁ ଶିକ୍ଷକକୁ ଅଲଗା କରି ଦେଇଛୁ। ଶିକ୍ଷାକୁ ଭଲ ପାଉଥିବା ଲୋକେ ଶିକ୍ଷକଙ୍କୁ ଘୃଣା ଚକ୍ଷୁରେ ଦେଖୁଛନ୍ତି। ଯେଉଁମାନେ ଟିଉସନ ମାଷ୍ଟର ଦ୍ୱାରା ମଣିଷ ହୁଅନ୍ତି, ଉଚ୍ଚ ଆସନ ଅଳଂକୃତ କରନ୍ତି, ସେମାନେ ହିଁ ଶିକ୍ଷକ ମାରଣ ନୀତି ପ୍ରଣୟନ କରନ୍ତି। ଶିକ୍ଷକ ଆଜି ବିଚରା, ଶିକ୍ଷାର୍ଥୀ ଆଜି ଦିଗହରା।
ବିଶ୍ୱର ଶିକ୍ଷା ମାନଚିତ୍ରରେ ଭାରତର ସ୍ଥାନ ମୋଟେ ନାହିଁ। ଶ୍ରେଷ୍ଠ ଦୁଇ ଶହ ଶିକ୍ଷାନୁଷ୍ଠାନମାନଙ୍କ ଭିତରେ ଭାରତର ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟର ନାଁ ନାହିଁ। ବିଶ୍ୱବିଦ୍ୟାଳୟ ଏ ପ୍ଳସ ପାଇବା ପାଇଁ ତୀବ୍ର ପ୍ରତିଯୋଗିତାରେ ଭାଗ ନେଉଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ, ତକ୍ଷଶିଳା, ରତ୍ନଗିରି ବିଶ୍ୱବିଦ୍ୟାଳୟ, ଆହ୍ଲାବାଦ, ବନାରସ, ପାଟନା, ବମ୍ବେ, କଲିକତା, ଉତ୍କଳ ବିଶ୍ୱବିଦ୍ୟାଳୟର କର୍ପୂର ଉଡିଯାଇଛି କେବଳ କନା ପଡ଼ିଛି। ଏଥିପାଇଁ ଭାରତରେ ନବ୍ୟ ଉପନିବେଶିକ ମାନସିକତା ଆଧାରରେ ଗଢା ଆମ ଶିକ୍ଷା ନୀତି ହିଁ ଦାୟୀ। ଶିକ୍ଷକତା ଏକ ପେସା ନୁହେଁ କିମ୍ବା ଶିକ୍ଷକ ଜଣେ ଉତ୍ପାଦନକାରୀ କିମ୍ବା ବ୍ୟବସାୟୀ ନୁହେଁ। ଶିକ୍ଷାର ଘରୋଇକରଣ କରିବା ଭୁଲ୍‍। ତେଣୁ ସମଗ୍ର ଶିକ୍ଷା ବ୍ୟବସ୍ଥାରୁ ସମାଜ ପାଇଁ ପ୍ରତ୍ୟକ୍ଷ ଲାଭକ୍ଷତି ହିସାବ କରିବା ଭୁଲ୍‍। ଶିକ୍ଷା ମୌଳିକ ଜ୍ଞାନ ସୃଷ୍ଟି କରିବା ପରିବର୍ତ୍ତେ ଜ୍ଞାନ ଅହଂକାର ସୃଷ୍ଟି କରୁଛି ା ଶିକ୍ଷା ବିଦ୍ୱାନ ସୃଷ୍ଟି କରିବା ପରିବର୍ତ୍ତେ କେବଳ ବୁଦ୍ଧିଜୀବୀ ସୃଷ୍ଟି କରୁଛି ଓ ଚାକିରିଆ ମାନସିକତା ଭରିଦେଉଛି। ବାସ୍ତବରେ ଶିକ୍ଷାଗତ ଡିଗ୍ରୀ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ଦିଗ। ଶିକ୍ଷା ଏକ ପରିଣାମ ନୁହେଁ; ଏହା ଏକ ବୌଦ୍ଧିକ ଓ ସାମାଜିକ ପ୍ରକ୍ରିୟା। ଧନ ଅହଂକାର, ରୂପ ଅହଂକାରଠାରୁ ଜ୍ଞାନ ଅହଂକାର ବେଶି ମାରାତ୍ମକ। ଆମେ ସହରୀ ଆଧୁନିକତା ଦ୍ୱାରା ସମ୍ପୂର୍ଣ୍ଣ କବଳିତ। ଆଧୁନିକତା ହିଁ ସାଜିଛି କୃତ୍ରିମତା। ଦେଶର ଶିକ୍ଷାର ଗୁଣାତ୍ମକ ମାନର ମାନକାଙ୍କ ଭୁଲ୍‌। ସ୍କୁଲ ପ୍ରଧାନଶିକ୍ଷକଙ୍କଠାରୁ ଆରମ୍ଭ କରି କୁଳପତି ପର୍ଯ୍ୟନ୍ତ ସମସ୍ତେ ଅଣଶିକ୍ଷା, ଅଣଅଧ୍ୟାପନା କାର୍ଯ୍ୟରେ ଖୁବ୍‍ ବ୍ୟସ୍ତ; କାରଣ ସମଗ୍ର ଶିକ୍ଷା ବ୍ୟବସ୍ଥା ଅମଲାତନ୍ତ୍ର ଦ୍ୱାରା କବଳିତ। ଭାରତୀୟ ଶିକ୍ଷା ଓ ଗବେଷଣାରେ ମୌଳିକତା ଓ ସାମାଜିକ ସମ୍ପୃକ୍ତିର ଘୋର ଅଭାବ। ସେହିପରି ଯେ କୌଣସି କ୍ଷେତ୍ରରେ ଉତ୍କୃଷ୍ଟତାର ମାପକାଠି ଆଜି ଭ୍ରମ ସୃଷ୍ଟି କରୁଛି। ଯେଉଁଠି ମାପକାଠି ତ୍ରୁଟିଯୁକ୍ତ, ସେଇଠି ସମସ୍ତ ସମୀକ୍ଷା ଅର୍ଥହୀନ।
ଲାଲାଜୀ ନିଜେ ଇଟାଲି କ୍ରାନ୍ତିକାରୀ ନେତା ଗ୍ଳୁସେପ ମାଜିନିଙ୍କ ଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହୋଇଥିଲେ। ଲାଲାଜୀଙ୍କ ଦ୍ୱାରା ଲିଖିତ ଅନେକ ଗ୍ରନ୍ଥ ସାରା ସମାଜକୁ ଦିଗ୍‍ଦର୍ଶନ ଦେଉଛି। ଆଜି ତାଙ୍କର ଜୀବନ ଦର୍ଶନ ସାରା ଦେଶରେ ହଜାରହଜାର ନିଃସ୍ୱାର୍ଥପର ଲୋକସେବକ ସୃଷ୍ଟି କରିପାରିଛି। ଜୀବନଚର୍ଯ୍ୟା ତାଙ୍କର ଥିଲା ସାରା ବଶ୍ୱ ପାଇଁ ମହାନ ମାନବିକତାର ବାଣୀ। ସ୍ୱାଧୀନତା ପରେ ସାରା ଦେଶରେ ତାଙ୍କର ଜାତୀୟତାବୋଧ, ଦେଶପ୍ରେମ ଓ ତ୍ୟାଗ ଆମ ଭାରତୀୟ ସଂସ୍କୃତିର ଖୁବ୍‍ ବଳିଷ୍ଠ ଅଙ୍ଗ; କିନ୍ତୁ ଦୁର୍ଭାଗ୍ୟର କଥା ଆମର ସହରୀ ସଭ୍ୟତା, ଆମ ଶିକ୍ଷା ବ୍ୟବସ୍ଥା ଓ ଆଧୁନିକତା ଦେଶ ପ୍ରେମ ଜାଗ୍ରତ କରୁନାହିଁ। ଲାଲାଜୀଙ୍କ ମୂଲ୍ୟବୋଧ ପରିପ୍ରେକ୍ଷୀରେ ଆମେ କେତେ ଆଗେଇଛୁ ଆଜି ସମୀକ୍ଷା କରିବା ଆବଶ୍ୟକ। ଯୁବପିଢ଼ିଙ୍କ ଭିତରେ ବର୍ତ୍ତମାନ କେବଳ ପ୍ରତିଯୋଗିତାପ୍ରବଣତା ବୃଦ୍ଧି ପାଇଛି। ସେମାନେ ବର୍ତ୍ତମାନ ହତାଶଗ୍ରସ୍ତ। ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ। ସେମାନେ ସମ୍ପୂର୍ଣ୍ଣ ଦିଗଭ୍ରଷ୍ଟ। ଆଧୁନିକତାର ମହାପ୍ରବାହରେ ଭାରତର ସାଂସ୍କୃତିକ ସଙ୍କଟ ଘନୀଭୂତ ହେଉଛି। ସଂସ୍କୃତି ଏକ ବୃହତ୍ତର ପରିଧି। ଏହା ସାମାଜିକ ଚେତନାର ନୈତିକ ଭିତ୍ତି ଓ ବ୍ୟକ୍ତିଗତ ମାନବିକତାର ଆଧାର। ଏହା ସ୍ୱାଧୀନ, ନ୍ୟାୟଅନ୍ୟାୟର ଊର୍ଦ୍ଧ୍ବରେ। ସଭ୍ୟତା ଓ ସଂସ୍କୃତି ପରିପୂରକ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ; କିନ୍ତୁ ସଂସ୍କୃତି ହେଉଛି ମୂଳ, ସଭ୍ୟତା ହେଉଛି ଡାଳ। ରଙ୍ଗବିହୀନ ଇନ୍ଦ୍ରଧନୁ ଯାହା, ନୀଳିମା ବିହୁନେ ଆକାଶ ଯାହା, ସଂସ୍କୃତିବିହୀନ ସଭ୍ୟତା ସେଇୟା। ସଂସ୍କୃତି ଦ୍ୱାରା ସମାଜ ବ୍ୟକ୍ତିର ଦିଗନ୍ତକୁ ପରିବ୍ୟାପ୍ତ କରେ। ଜ୍ଞାନର ପରିପକ୍ୱତା ସଂସ୍କୃତିକୁ ରକ୍ଷାକରେ। ସଂସ୍କୃତି ଜାତୀୟ ପ୍ରେମ ଓ ରାଷ୍ଟ୍ର ଚେତନା ଜାଗ୍ରତ କରାଏ। ସମସ୍ତ ସଂାସ୍କୃତିକ ଉପାଦାନ ଯୁଗଯୁଗ ଧରି, ପିଢ଼ି ପରେ ପିଢ଼ି ମଣିଷ ସଂଗ୍ରହ କରିଥାଏ। ଏ ସବୁ ଉପାଦାନ ମଣିଷର ବିଚାର ଓ ଯୁକ୍ତି ପାଖେ ସେମାନଙ୍କ ସ୍ୱାଧୀନତା ହରାନ୍ତି ନାହିଁ। ଏ ସବୁ ଉପାଦାନ ଜଣେ ବ୍ୟକ୍ତି ସାମାଜିକ ସଦସ୍ୟ ହିସାବରେ ଆହରଣ କରିଥାଏ। ସଂସ୍କୃତି ଅନେକ ବିଷୟୀଭୂତ ଦୃଶ୍ୟ ଓ ଦର୍ଶନକୁ ବୁଝାଏ, ଯାହା ଗୋଟେ ପିଢ଼ିରୁ ପର ପିଢ଼ିକୁ ସାମାଜିକ ଶିକ୍ଷା ମାଧ୍ୟମରେ ହସ୍ତାନ୍ତରିତ ହୋଇଥାଏ। ସାମାଜିକ ଅବକ୍ଷୟ ଓ ସାଂସ୍କୃତିକ ସ୍ଖଳନ ସବୁ କ୍ଷେତ୍ରରେ ଆଜି ପ୍ରକଟିତ। ଲାଲାଜୀଙ୍କ ତ୍ୟାଗ ଓ ନିଷ୍ଠାରେ ଯୁବକମାନେ ଅନୁପ୍ରାଣିତ ହେଉ ନାହାନ୍ତି। ସୁଖଠାରୁ ଶାନ୍ତି ଆଜି ଅଲଗା। ସଭ୍ୟତାଠାରୁ ସଂସ୍କୃତି ଆଜି ଅଲଗା। ଶିକ୍ଷାଠାରୁ ବିଦ୍ୟା ଆଜି ଅଲଗା। ସଫଳତାଠାରୁ ସାର୍ଥକତା ଆଜି ଅଲଗା।
ମହାନ ବ୍ୟକ୍ତିଙ୍କ ପୂଜା ଯେତିକି ବୃଦ୍ଧି ପାଇଛି ସେମାନଙ୍କ ମୂଲ୍ୟବୋଧର ଗ୍ରହଣୀୟତା ସେତିକି ହ୍ରାସ ପାଇଛି। ପୂଜ୍ୟ ଯିଏ, ସେ ପ୍ରିୟ ନୁହେଁ। ପ୍ରେୟ ଆଉ ଶ୍ରେୟ ଆଜି ପୃଥକ। ପୂଜ୍ୟ ପୂଜା କେବଳ ଔପଚାରିକତାରେ ଆବଦ୍ଧ ହୋଇଯାଇଛି। ଘରେଘରେ ନିଜ ପିତାମାତାଙ୍କୁ ବଞ୍ଚିଥିଲାବେଳେ ଯେତିକି ହତାଦର କରୁଛୁ, ଯେତିକି ସେମାନଙ୍କୁ ଅଲୋଡା ମନେ କରୁଛୁ, ମଲାପରେ ସେତିକି ପୂଜା କରୁଛୁ। ବୃଦ୍ଧାଶ୍ରମମାନ ବ୍ୟବସାୟ ହେଇଛି। ଆମର କୃତ୍ରିମତା ସାଂସ୍କୃତିକ ସଂକଟକୁ ବେଶି ପରିମାଣରେ ଘନୀଭୂତ କରୁଛି। ସଂାସ୍କୃତିକ ସ୍ଖଳନ ହିଁ ସଂପର୍କର ସଂକଟ। ଧାର୍ମିକ ଚେତନା କେବଳ ମନ୍ଦିର ପୂଜାପାଠ, ରୀତିନୀତିରେ ବନ୍ଧା ପଡ଼ିଛି। ଧର୍ମ ଦେଶପ୍ରେମକୁ ବ୍ୟାହତ କରେ କାରଣ ଧର୍ମ ଭିତରେ ଧର୍ମାନ୍ଧତା ଭରିଥାଏ। ରାଷ୍ଟ୍ରବୋଧ (ନ୍ୟାସନାଲିିଜମ୍‌) ହିଁ ଧର୍ମନିରପେକ୍ଷତା (ସେକୁଲାରିଜିମ୍‌)କୁ ସୂଚାଏ; କିନ୍ତୁ ଧର୍ମ ଭଲ ମଣିଷପଣିଆର ପରିପନ୍ଥୀ ସାଜିଛି। ଧର୍ମରୁ ଜାତି ସୃଷ୍ଟି। ଆଜି ଧର୍ମକୁ ନେଇ ବ୍ୟବସାୟ କିମ୍ବା ରାଜନୀତି ଦେଶସାରା। ଧର୍ମ ଏକ ବିଶ୍ୱାସର ପୁଞ୍ଜି; କିନ୍ତୁୁ ଆଧ୍ୟାତ୍ମିକତା ଏକ ମାର୍ଗ। ଆଧ୍ୟାତ୍ମିକ ଚେତନାରେ ସମଗ୍ର ଯୁବପିଢି ଆଜି ଦେବାଳିଆ ସାଜିଛି।
ଆମ ଦେଶ ଏକ ସ୍ୱତନ୍ତ୍ର ପୃଥିବୀ। ବସ୍ତୁବାଦୀ ଦୁନିଆର ଉଗ୍ର ଉପଭୋକ୍ତାବାଦ ରାସ୍ତା ଆମ ପାଇଁ ସମ୍ପୂର୍ଣ୍ଣ ଭୁଲ୍‍। ଭାରତ କୌଣସି ଦେଶକୁ ଅନୁକରଣ କରିବା ଅନୁଚିତ କାରଣ ଉଭୟ ଅନୁକରଣ ଓ ହନୁକରଣ ଘୋର ବିପଜ୍ଜନକ। ସଫଳତାର ମାପକାଠି ବସ୍ତୁବାଦ ଆଧାରିତ ଓ ଭ୍ରମାତ୍ମକ, କାରଣ ଏହା ବାସ୍ତବତାକୁ ଲୁଚାଏ; ତେଣୁ ସଫଳତା ଜୀବନର ସାର୍ଥକତାର ବାଧକ। ସାମ୍ପ୍ରତିକ ପରିସ୍ଥିତିରେ ଲାଲାଜୀଙ୍କ ପ୍ରଗାଢ ଦେଶଭକ୍ତି ସହ ଆମ ଭିତରେ ଥିବା ସୁପ୍ତ ମାନବିକ ଚେତନା ଜାଗ୍ରତ କରିବା ନିହାତି ଜରୁରୀ। ସାରା ପୃଥିବୀର ନବ୍ୟ ମାନବିକ ମୂଲ୍ୟବୋଧର ନେତୃତ୍ୱ ଭାରତ ନେବାକୁ ପ୍ରସ୍ତୁତ ହେବା ଉଚିତ।

କୁମାର ବର ଦାସ

ପୂର୍ବତନ କୁଳପତି
ଫକିରମୋହନ ବିଶ୍ୱବିଦ୍ୟାଳୟ
ଫୋନ – ୯୪୩୭୧୪୪୩୭୫

Comments
Loading...