‘ବିଜୟ ଦିବସ’ : ଏକ ପର୍ଯ୍ୟାଲୋଚନା

‘ବିଜୟୀ ଭାରତ’ ପରାଜିତ ପାକିସ୍ତାନ ଆଗରେ କାଶ୍ମୀର ସର୍ତ୍ତ ରଖିଲାନି କାହିଁକି ?

୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ସମ୍ପୂର୍ଣ୍ଣ ସାମରିକ ବିଜୟ ହାସଲ କରିଥିଲା। ଏକ ସ୍ବାଧୀନ ସାର୍ବଭୌମ ‘ବାଂଲାଦେଶ’ ରାଷ୍ଟ୍ର ଗଠନରେ ଭାରତର ଭୂମିକା ସାରା ବିଶ୍ବରେ ସୃଷ୍ଟି କରିଥିଲା ଏକ ନୂତନ ଇତିହାସ। ଏଥିରେ ସେନାଧ୍ୟକ୍ଷ ଜେନେରାଲ ମାନେକ୍‌ସା (ପରବର୍ତ୍ତୀ ସମୟରେ ଫିଲ୍ଡମାର୍ଶାଲ)ଙ୍କ ସାମରିକ ଗୋଟି ଚାଳନା ପ୍ରଶଂସନୀୟ। ଏହି ଯୁଦ୍ଧର ସଫଳ ରୂପାୟନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାହସ, ପ୍ରେରଣା, ମନୋବଳ ଓ ନିଷ୍ଠା ମଧ୍ୟ ଅବିସ୍ମରଣୀୟ। ୧୯୭୧ ଡିସେମ୍ବର ୪ ତାରିଖରୁ ଘୋଷିତ ଏହି ଯୁଦ୍ଧ ଡିସେମ୍ବର ୧୬ ତାରିଖରେ ଶେଷ ହୋଇଥିଲା, ଯେଉଁଦିନ ୯୩ହଜାର ପାକିସ୍ତାନୀ ସୈନ୍ୟ ଭାରତୀୟ ସେନା ସମ୍ମୁଖରେ ଅସ୍ତ୍ର ଥୋଇଦେଇ ଆତ୍ମସମର୍ପଣ କରିଥିଲେ। ଏହି ଦିବସକୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଇଥାଏ।
୧୯୭୧ ଡିସେମ୍ବର ୩ ତାରିଖରେ ପାକିସ୍ତାନର ବାୟୁସେନା ଖଡ଼ଗପୁର, ବାରାକ୍‌ପୁର, ଅମୃତସର, ଆମ୍ବାଲା, ଆଦମପୁର ଏଆରଫିଲ୍ଡଗୁଡ଼ିକ ଉପରେ ବୋମାବର୍ଷଣ କରିବାରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାକ୍‌ ବିପକ୍ଷରେ ଯୁଦ୍ଧଘୋଷଣା କରିବାକୁ ବାଧ୍ୟ ହୋଇଥିଲେ। ଆମ ବାୟୁସେନା ପୂର୍ବପାକିସ୍ତାନର ଥିବା କମ୍ବାଟ୍‌ ଏଆରକ୍ରାଫ୍ଟଗୁଡ଼ିକୁ ଧ୍ବଂସ କରିବାରେ ସକ୍ଷମ ହେବା ପରେ ପୂର୍ବ ପାକିସ୍ତାନର କୋମିଲା, ଅଖୁରା, ଆଶୁଗଞ୍ଜ, ଜେସୋର, ଖୁଲନା, ସିଲହଟ୍‌, କକ୍‌ସବଜାର, ମୈମନ ସିଂ, ଘାଜିପୁର, ମୌଲବୀବଜାର ଅଞ୍ଚଳରେ ଲଢ଼ାଇ ନେଇଥିଲା ଉଗ୍ର ରୂପ। ଆମେରିକା ପାକିସ୍ତାନର ଥିଲା ସପକ୍ଷବାଦୀ। ଆମେରିକାର ଶକ୍ତିଶାଳୀ ନୌଭେଳା- ‘ସେଭେନଥ୍‌ଫ୍ଲିଟ୍‌’ ପାକିସ୍ତାନକୁ ସାହାଯ୍ୟ କରିବାକୁ ବଙ୍ଗୋପସାଗରରେ ପହଞ୍ଚିଥିଲା। ରାଷ୍ଟ୍ରପତି ନିକ୍ସନଙ୍କ ନିର୍ଦେଶରେ ୩ଟି ଶକ୍ତିଶାଳୀ ଆମେରିକାନ ‘ମେରାଇନ କମାଣ୍ଡୋ ବଟାଲିଅନ’ ଆକାଶମାର୍ଗରେ ଯୁଦ୍ଧଭୂମିରେ ଅବତରଣ କରିଥିଲେ, କିନ୍ତୁ ଜେନେରାଲ ମାନେକ୍‌ସାଙ୍କ ଉଚ୍ଚମାନର ରଣନୀତି କାରଣରୁ ଭାରତୀୟ ସେନା ଉପରେ ଆମେରିକାର ଗୁପ୍ତ ଆକ୍ରମଣର ଯୋଜନା ସଫଳ ହୋଇପାରି ନ ଥିଲା।
ଆମ ନୌସେନା ମଧ୍ୟ ଜଳଭାଗରେ ‘ନାଭାଲ୍‌ ବ୍ଲକେଡ୍‌’ କରିଥିଲେ। ପଶ୍ଚିମ ସୀମାନ୍ତରେ ବାରମେର, ଲଙ୍ଗେୱାଲା, ହୁସନିୱାଲା, ସକରଗଡ଼, ଆଦାମପୁର, ଶାମ୍ବା, ଫିରୋଜପୁର ଅଞ୍ଚଳରେ ଘମାଘୋଟ ଲଢ଼ାଇ ହୋଇଥିଲା ଏବଂ ଭାରତର ବାୟୁସେନା ମଧ୍ୟ ପ୍ରଦର୍ଶନ କରିଥିଲା ଅପୂର୍ବ ବୀରତ୍ବ। ପୂର୍ବ-ସୀମାନ୍ତ ଲଢ଼ାଇରେ ମଧ୍ୟ ଭାରତୀୟ ସେନା ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ରାଜଧାନୀ ଢାକାର ଚାରିପଟେ ଘେରିଯାଇଥିଲେ। ଅଧିକ ରକ୍ତପାତ ହେବାର ଆଶଙ୍କା ଥିବାରୁ ପୂର୍ବ ପାକିସ୍ତାନର ପାକିସ୍ତାନୀ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ନିଆଜିଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦିଆଗଲା। ଜେନେରାଲ ମାନେକ୍‌ସାଙ୍କ ନିର୍ଦେଶରେ ପୂର୍ବ-ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଜେ.ଏସ୍‌. ଅରୋରା ଡିସେମ୍ବର ୧୬ ତାରିଖ ଅପରାହ୍ଣ ୪ଟା ୩୦ ମିନିଟରେ ଢାକାର ରେସକୋର୍ସଠାରେ ପହଞ୍ଚି ନିଆଜିଙ୍କଠାରୁ ଆତ୍ମସମର୍ପଣ ଡକ୍ୟୁମେଣ୍ଟ ଗ୍ରହଣ କରିଥିଲେ। ନିଆଜି ତାଙ୍କ ‘ପଏଣ୍ଟ-୩୮ ରିଭଲଭର’ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଅରୋରାଙ୍କୁ ସମର୍ପଣ କରିବା ସମୟରେ ତାଙ୍କ ଚକ୍ଷୁରୁ ବୋହି ଆସିଥିଲା ଲୋତକର ଧାର। ୯୩ହଜାର ପାକ୍‌ ସୈନ୍ୟ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ଏତେସଂଖ୍ୟକ ସୈନ୍ୟଙ୍କ ଆତ୍ମସମର୍ପଣ ଏବଂ ଏକ ସ୍ବାଧୀନ ରାଷ୍ଟ୍ର ‘ବାଂଲାଦେଶ’ ଗଠନରେ ଭାରତର ଭୂମିକା ସୃଷ୍ଟି କରିଥିଲା ଇତିହାସ। ୧୯୭୧ ଯୁଦ୍ଧର ଦୀର୍ଘ ୪୮ବର୍ଷ ପରେ ଏହି ଯୁଦ୍ଧର ପରିସମାପ୍ତି ସମ୍ପର୍କରେ ବିଭିନ୍ନ ଆଲୋଚନା ଏବେ ପ୍ରକାଶ ପାଉଛି।
୧୯୭୧ ମସିହା ଭାରତ-ପାକ୍‌ ଯୁଦ୍ଧ ପରେ ‘ସିମ୍‌ଳା ଏଗ୍ରିମେଣ୍ଟ’ ସ୍ବାକ୍ଷରିତ ହୋଇଥିଲା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପାକ୍‌ ପ୍ରଧାନମନ୍ତ୍ରୀ ଜୁଲ୍‌ଫିକାର ଅଲ୍ଲି ଭୁଟ୍ଟୋଙ୍କ ମଧ୍ୟରେ ୧୯୭୨ ମସିହା ଜୁଲାଇ ୨ ତାରିଖରେ। ଆମେରିକାର ‘ପ୍ରିନ୍ସଟନ୍‌ ୟୁନିଭରସିଟିର ଇଣ୍ଟରନେସନାଲ ରିଲେସନସିପ୍‌’ ବିଭାଗର ପ୍ରଫେସରଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଦି ବ୍ଲଡ୍‌ ଟେଲିଗ୍ରାମ୍‌: ନିକ୍ସନ, କିସିନ୍‌ଜର ଆଣ୍ଡ ଫରଗଟନ୍‌ ଜେନୋସାଇଡ୍‌’ରେ ପୂର୍ବ ପାକିସ୍ତାନରେ ପାକ୍‌ ସୈନ୍ୟଙ୍କ ଦ୍ବାରା ଲୋମହର୍ଷଣକାରୀ ନିର୍ମମ ହତ୍ୟା, ଗଣଧର୍ଷଣର ବର୍ଣ୍ଣନା ସତରେ ହୃଦୟ ବିଦାରକ। ପାକିସ୍ତାନର ସପକ୍ଷବାଦୀ ଆମେରିକା ସାରା ବିଶ୍ବରେ ପାକିସ୍ତାନୀଙ୍କ ବର୍ବରଲୀଳା ଲୁଚାଇବାକୁ ପ୍ରଚେଷ୍ଟା କରିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବ ପାକିସ୍ତାନରେ ଅଗଣିତ ବଙ୍ଗଭାଷୀଙ୍କ ଉପରେ ପାକିସ୍ତାନୀ ସୈନ୍ୟ ହାତ୍ୟା, ଗଣଧର୍ଷଣରେ ଲିପ୍ତ ଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଆନ୍ତର୍ଜାତିକ ଟ୍ରାଇବୁନାଲ ବସାଇବାକୁ ଭାରତ ପ୍ରଚେଷ୍ଟା କରି ନଥିଲା କାହିଁକି ? ପ୍ରଥମତଃ ଏହାଦ୍ବାରା ପାକିସ୍ତାନକୁ ସାରାବିଶ୍ବରେ ନିନ୍ଦିତ କରାଯାଇପାରିଥାନ୍ତା। ଦ୍ବିତୀୟତଃ ପରବର୍ତ୍ତୀ କାଳରେ ଏହା ସମଗ୍ର ଦକ୍ଷିଣ-ଏସିଆରେ ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇପାରିଥାନ୍ତା। ୧୯୭୧ ଯୁଦ୍ଧରେ ପାକିସ୍ତାନର ୧୫ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ଭାରତ ଅଧିକାର କରିନେଇଥିଲା। ୯୩ହଜାର ଯୁଦ୍ଧବନ୍ଦୀ ଭାରତରେ ଥିଲେ। ପାକିସ୍ତାନ ସେତେବେଳେ ଭାରତ ସମ୍ମୁଖରେ ଆଣ୍ଠେଇବା ସ୍ଥିତିରେ ଥିଲେ ମଧ୍ୟ ‘ସିମ୍‌ଳା ଏଗ୍ରିମେଣ୍ଟ’ରେ ଆମ ଦେଶ ପ୍ରତି ସୁହାଇଲା ଭଳି ସର୍ତ୍ତ ଉଲ୍ଲେଖ ଥିବାର ଦୃଶ୍ୟମାନ ହୁଏନାହିଁ। ଏହାହିଁ ବିଡ଼ମ୍ବନା।
ପାକ୍‌ ଯୁଦ୍ଧବନ୍ଦୀଙ୍କୁ ବନ୍ଦୀ ଭଳି ନ ରଖି ଆମେ ଅତିଥି ଭଳି ରଖିଥିଲୁ। ସେମାନଙ୍କୁ ଉତ୍ତମ ଖାଦ୍ୟ, ପାନୀୟ, ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଥିଲୁ। ୧୯୭୩ରେ ‘ଦିଲ୍ଲୀ ଏଗ୍ରିମେଣ୍ଟ’ ପରେ ହିଁ ପାକ୍‌-ଯୁଦ୍ଧବନ୍ଦୀଙ୍କୁ ପାକିସ୍ତାନକୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପାକ୍‌ ଯୁଦ୍ଧବନ୍ଦୀମାନେ ୱାଘା ସୀମାନ୍ତ ଗେଟ୍‌ ଦେଇ ପାକ୍‌ ମାଟିରେ ପାଦ ଥାପିବା ମାତ୍ରେ ସେହିଠାରେ ହିଁ ତତ୍କାଳ ପାକ୍‌-ସେନା ପୋଷାକରେ ସଜ୍ଜିତ ହୋଇ ଭାରତ ବିରୋଧରେ ପ୍ରତିଶୋଧ ନେବାକୁ ଶପଥ ନେଇଥିବାର ଦୃଶ୍ୟ ଆଜି ମଧ୍ୟ ଏହି ଲେଖକ ଭୁଲି ପାରିନାହାନ୍ତି। ଆମେ ପାକିସ୍ତାନକୁ ତା’ର ସୈନ୍ୟଙ୍କୁ ମୁକ୍ତ କରି ସମର୍ପି ଦେଲୁ; ମାତ୍ର ପାକିସ୍ତାନ ଦ୍ବାରା କବଳିତ ଭାରତୀୟ ସୈନ୍ୟଙ୍କ କଥା ଭୁଲିଗଲୁ କିପରି ? ସେମାନେ ପାକିସ୍ତାନରେ କିପରି ଓ କେଉଁଠି ନର୍କ-ଯନ୍ତ୍ରଣା ଭୋଗୁଛନ୍ତି ତା’ର ଖବର କାହାପାଖେ ଅଛି କି ? ଯେତେବେଳେ ୯୩ହଜାର ପାକ୍‌ ଯୁଦ୍ଧବନ୍ଦୀ ଭାରତରେ ବନ୍ଦୀ ଜୀବନ ବିତାଉଥିଲେ ସେତେବେଳେ ଭାରତ ହାତରେ ‘ଟ୍ରମ୍ପ କାର୍ଡ’ ଥିଲା। ୧୯୭୧ ଯୁଦ୍ଧ ପରେ ଭାରତ ଅଧିକାରରେ ଥିବା ପାକ୍‌-ଷ୍ଟ୍ରାଟାଜିକ୍‌ ଅଞ୍ଚଳଗୁଡ଼ିକୁ ବିନା ସର୍ତ୍ତରେ ପାକିସ୍ତାନକୁ ଫେରାଇ ଦିଆଗଲା କାହିଁକି ? ଏହା ବିନିମୟରେ ପାକ୍‌ କବଳିତ ‘ପିଓକେ’ (ପାକ୍‌ ଅଧିକୃତ କାଶ୍ମୀର) ଅଞ୍ଚଳକୁ ଭାରତ ଦାବି କଲା ନାହିଁ କିପରି ? ସବୁଠୁ ଆଶ୍ଚର୍ଯ୍ୟର କଥା ‘ବିଜୟୀ ଭାରତ’, ପରାଜୟ ବରଣ କରିଥିବା ପାକିସ୍ତାନକୁ କୌଣସି ଦୃଢ଼ ସର୍ତ୍ତାବଳୀ ନ ରଖି ଅଧିକ ସରଳ ଭାବରେ ପାକିସ୍ତାନର ସମସ୍ତ ଦାବିଗୁଡ଼ିକୁ ମାନି ନେଇଥିଲା କିପରି ? ଯଦି ‘ସିମ୍‌ଳା ଏଗ୍ରିମେଣ୍ଟ’ରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ଦୃଢ଼ ସର୍ତ୍ତାବଳୀ ରଖିଥାନ୍ତା, ତତ୍କାଳୀନ ପରିସ୍ଥିତିରେ ପାକିସ୍ତାନ ସେଗୁଡ଼ିକୁ ମାନି ନେବାକୁ ଏକପ୍ରକାର ବାଧ୍ୟ ହୋଇଥାନ୍ତା; ମାତ୍ର ସେଭଳି ସର୍ତ୍ତାବଳୀ ଉଲ୍ଲେଖ କରାଯାଇ ନଥିବାରୁ କାଶ୍ମୀର ସମସ୍ୟା ଏବେ ମଧ୍ୟ ଭାରତକୁ ଅହରହ ଦଂଶନ କରି ରକ୍ତକ୍ଷରଣ କରିବାରେ ଲାଗିଛି। ‘ବିଜୟୀ-ଭାରତ’ ପରାଜିତ ପାକିସ୍ତାନର ସମସ୍ତ ସର୍ତ୍ତ ମାନିନେଲା କିପରି- ଏହା ହିଁ ସୃଷ୍ଟି କରେ ବିସ୍ମୟ।
୧୯୭୧ ଭାରତ-ପାକ୍‌ ଯୁଦ୍ଧରେ ଭାରତର ବିଜୟ ଓ ଏକ ସ୍ବାଧୀନ ରାଷ୍ଟ୍ର ବାଂଲାଦେଶ ଗଠନରେ ଭାରତ ଭୂମିକା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଥିଲେ ମଧ୍ୟ ପାକିସ୍ତାନର ଭାରତ ବିରୋଧୀ ଅଭିଯାନ ଏବେ ମଧ୍ୟ ଜାରି ରହିଛି। ଏହାହିଁ ବିଡ଼ମ୍ବନା।

-ଶରତ ମହାପାତ୍ର
(ଲେଖକ ଭାରତର ଅବସରପ୍ରାପ୍ତ କର୍ଣ୍ଣେଲ ଏବଂ ୧୯୭୧ ଭାରତ-ପାକ୍‌ ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ନେଇଥିଲେ)

Comments are closed.