ବଢିଲା ଚନ୍ଦ୍ରପୃଷ୍ଠରେ ମାନବ ସଭ୍ୟତାର ଆଶା, ଜହ୍ନରେ ଜଳର ସନ୍ଧାନ ପାଇଲା ନାସା

ୱାଶିଂଟନ : ଚନ୍ଦ୍ରପୃଷ୍ଠରେ ମାନବ ସଭ୍ୟତା ବସତି ସ୍ଥାପନ କରିବାର ବୈଜ୍ଞାନିକ ଆଶା ଆହୁରି ଅଧିକ ଶକ୍ତିଶାଳୀ ହୋଇଛି। କାରଣ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଚନ୍ଦ୍ରପୃଷ୍ଠରେ ପାଣିର ସନ୍ଧାନ ପାଇଛି। ପର୍ଯ୍ୟବେକ୍ଷଣ ଯାନ ’ସୋଫିଆ’ ଜରିଆରେ ଜଳ ସନ୍ଧାନ କରାଯାଇଥିବା ନାସା କହିଛି। ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ କରାଯାଇଛି। ଚନ୍ଦ୍ରପୃଷ୍ଠରେ ପାଣି ଏପରି ସ୍ଥାନରେ ମିଳିଛି ଯେଉଁଠାରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ। ପାଣିର ଆବିଷ୍କାର ନାସାର ଷ୍ଟ୍ରାଟୋସ୍ଫିୟର ଅବଜରଭେଟରି ଫର୍ ଇନଫ୍ରାରେଡ ଆଷ୍ଟୋନୋମି(ସୋଫିୟା) କରିଛି। ଏହାର ଉପଯୋଗ ପିଇବା ଏବଂ ରକେଟ୍ ଇନ୍ଧନ ଉତ୍ପାଦନ ପାଇଁ କରାଯିବ।


ସୋଫିଆ ଚନ୍ଦ୍ରର ଦକ୍ଷିଣ ମେରୁରେ ବୃହତ୍ତମ ଗର୍ତ୍ତ ମଧ୍ୟରୁ ପୃଥିବୀକୁ ଦୃଶ୍ୟମାନ ହେଉଥିବା ‘କ୍ଲାଭିଅସ୍’ରେ ଜଳ ଅଣୁ (H2O) ଚିହ୍ନଟ କରିଛି । ଏଯାଏଁ ଗବେଷଣାରୁ ଚନ୍ଦ୍ର ପୃଷ୍ଠରେ ହାଇଡ୍ରୋଜେନର କିଛି ଅଂଶ ଚିହ୍ନଟ ହୋଇ ସାରିଛି । କିନ୍ତୁ ପାଣି ଓ ଏହା ସହ ଜଡ଼ିତ ହାଇଡ୍ରୋକ୍ସିଲ୍ (OH) ନେଇ ତଥ୍ୟ ମିଳି ନଥିଲା । ଏବେ ଜଳ ଅଣୁ ସନ୍ଧାନ ମିଳିଥିବାରୁ ନାସା ବୈଜ୍ଞାନିକମାନେ ଅଧିକ ଗବେଷଣା ଚଳାଇଛନ୍ତି ।

ନେଚର ଆଷ୍ଟ୍ରୋନୋମିରେ ସୋମବାର ପ୍ରକାଶିତ ଦୁଇଟି ନୂତନ ଅଧ୍ୟୟନରେ କୁହାଯାଇଛି ଯେ ଆମର ପୁରୁଣା ଆକଳନ ଅପେକ୍ଷା ଚନ୍ଦ୍ରରେ ଅଧିକ ଜଳ ଥାଇପାରେ। ଚନ୍ଦ୍ରପୃଷ୍ଠରେ ୧୪.୬ ମିଲିୟନ ବର୍ଗମାଇଲ ଅଞ୍ଚଳରେ ଜଳ ରହିଛି । ପ୍ରତି ଘନ ମିଟର ପୃଷ୍ଠରେ ୧୨ ଆଉନ୍ସ ବିଶିଷ୍ଟ ବୋତଲର ପାଣି ଥିବା ଆକଳନ କରାଯାଇଛି ।  ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା ବଳୟ ଥିବା ନେଇ ଆଉ ଏକ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠରେ ଆହୁରି ଅଧିକରୁ ଅଧିକ ଜଳ ରହିଥିବ। ତେବେ ଏନେଇ ଅଧିକ ଗବେଷଣା ଜାରି ରହିବ ବୋଲି ନାସା କହିଛି। ନାସାର ଏ ତଥ୍ୟ ଭବିଷ୍ୟତରେ ଚନ୍ଦ୍ର ଅଭିଯାନ ଲାଗି ଖୋରାକ ଯୋଗାଇବ।

 

Comments are closed.