ଶିକାରୀର ଟାର୍ଗେଟରେ ବାର୍‍ହା ; ହେଲେ ଶିକାର ହେଲା ମଣିଷ

ନର୍ଲା : ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତର ଅଲାବୁଲା ଶିବ ମନ୍ଦିର ନିକଟସ୍ଥ ପୋଖରି ପାଖରେ ଘଟିଯାଇଛି ଏକ ଅଘଟଣ । ବାରହା ଶିକାରୀ ମାନେ ବିଛେଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତକାଲି ରାତିରେ ଜଣେ ବ୍ୟକ୍ତିର ଜୀବନ ଚାଲି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଥିବା ଖବରରୁ ଜଣାପଡିଛି ।
ଦୁର୍ବୁତ୍ତ ମାନେ ବାରହା ଶିକାର  ପାଇଁ ୧୧ କେଭି ବିଦ୍ୟୁତ ତାର ବ୍ୟବହାର କରି ଦୀର୍ଘ ଦିନରୁ ବାରହା ଶିକାର ଚଲେଇ ଆସୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଗତ କାଲି ମଧ୍ୟ ସେମାନେ ଅଲାବୁଲା ଶିବ ମନ୍ଦିର ନିକଟସ୍ଥ ପାର୍ଶ୍ୱରେ ଥିବା ପୋଖରିକୁ ପାଣି ପିଇବା ପାଇଁ ଆସୁଥିବା ବାରହା ମାନଙ୍କୁ ଶିକାର ନିମନ୍ତେ ୧୧ କେଭି ବିଦ୍ୟୁତ ତାରରେ ହୁକ ପକାଇ ତଳେ ତାର ସବୁ ଛନ୍ଦିଥିଲେ । ହେଲେ ଦୁର୍ଭାଗ୍ୟର କଥା ବାରହା ସ୍ଥାନରେ ଜଣେ ମଣିଷ ସେଥିରେ ଛନ୍ଦି ହୋଇ ଜୀବନ ଚାଲି ଯାଇଥିବା ଜଣାପଡିଛି । ବରଗଡର ଟମାଟୋ ସପ୍ଲାଇ ଭ୍ୟାନ ଡ୍ରାଇଭର ମାନେ ଛତିକୁଡା ଛକରେ ଚା ପିଇ ମ.ରାମପୁର ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ଶୌଚ ପାଇଁ ଯିବା ବେଳେ ଅଲାବୁଲା ନିକଟରେ ଗାଡି ଅଟକାଇ ଉକ୍ତ ପୋଖରୀ ପାଖକୁ ଯାଇଥିଲେ । ତାଙ୍କ ସହ ହେଲପର ମଧ୍ୟ ଯାଇଥିଲେ । ବାରହା ମାରିବା ପାଇଁ ପୂର୍ବରୁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ  ହେଲପର ଗୁରୁତର ହୋଇ ପଡିଥିଲେ । ମୃତ ଯୁବକ ଜଣକ ମ.ରାମପୁରର ସଞ୍ଜିବ ରଣା ବୋଲି ଜଣାପଡିଛି । ଗାଡି ମାଲିକଙ୍କ ଠାରୁ ଖବର ପାଇ ନର୍ଲା ପୁଲିସ ରାତିରେ ହିଁ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ ହେଲପର ଜଣକ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବରରୁ ଜଣାପଡିଛି ।

Comments are closed.