କୃଷି ଆଇନ୍ ବିରୁଦ୍ଧରେ କଂଗ୍ରେସର ପଦଯାତ୍ରା

ନର୍ଲା : ନର୍ଲା ବ୍ଲକ କଂଗ୍ରେସର ଆୟୋଜନରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ବାଲିପଡା ଠାରୁ ତୁଳାପଡା ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଅଛି। କୃଷକ ମାନଙ୍କ ସପକ୍ଷରେ ରହି ସରକାର ତିଆରି କରିଥିବା କୃଷି ଆଇନକୁ କଳା କୃଷିଆଇନ୍ ବୋଲି ଦାବୀକରି ଆଜି କଂଗ୍ରେସ ନେତୃବର୍ଗ ଓ ସମର୍ଥକ ଏହି ପଦଯାତ୍ରା କରୁଥିବା ଜଣାପଡିଅଛି। ତେବେ ଏହି ପଦଯାତ୍ରା ଦୀର୍ଘ ୨ କିଲୋମିଟର ରାଜରାସ୍ତାରେ ହୋଇଥିବା ବେଳେ ତୁଳାପଡା ଆମ୍ବ ବଗିଚାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ପୂୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ,ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ, ଆଦିବାସୀ ନେତା ପରମାନନ୍ଦ ମାଝୀ,ରାଜ୍ୟ ଯୁବ କଂଗ୍ରେସ କମିଟିର ସଂପାଦକ ତ୍ରିଲୋଚନ ପାଣିଗ୍ରାହୀ,ସଂପାଦକ ମହମ୍ମଦ ସାହେବ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତନୁମାଝୀ,ଦୀପୁ ପାତ୍ର,ସୁଦାମ ଚରଣ ପଧାନ,ଲୋକନାଥ ପଧାନ,କ୍ଷେତ୍ରମଣି ବିଶ୍ୱାଳ,ମାନ୍ତା ମାଝୀ ସମେତ ବହୁ ସମର୍ଥକ ଯୋଗଦେଇଥିଲେ। ସଭାପତି ସମୀର ଚାନ୍ଦଙ୍କ ନେତୃତ୍ୱରେ ଆୟୋଜିତ ସଭାରେ କଂଗ୍ରେସ ଶାସନ ଅମଳରେ ଚାଷୀର ଏଭଳି ସମସ୍ୟା ନଥିଲା ଆଜି ଦେଶର ଚାଷୀକୁ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ତଳିତଳାନ୍ତ କରିଛନ୍ତି ବୋଲି ନେତୃବର୍ଗ ମତପ୍ରକାଶ କରି ସିନ୍ଧୁ ସୀମାରେ ୧୨୦ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନର ଦୟନୀୟତାର ବର୍ଣ୍ଣନା କରିଥିଲେ। ଏଥିପାଇଁ ଆଗହୁଁ ସଚେତନ ହେବା ପାଇଁ କଂଗ୍ରେସ ସମସ୍ତଙ୍କୁ ନିବେଦନ କରିବା ସହ ବରିଷ୍ଠ କଂଗ୍ରେସ କର୍ମି ମାନଙ୍କୁ ମଂଚରେ ସମ୍ମାନୀତ କରାଯାଇଥିଲା। ବରିଷ୍ଠ ଯୁବ କଂଗ୍ରେସ ନେତା ଲୋକନାଥ ପଧାନ ମଂଚ ପରିଚାଳନା କରିଥିଲେ।

Comments are closed.