୬୦ ବର୍ଷ ପରେ ମୁଣ୍ଡରୁ କଢ଼ାଗଲା ପ୍ଲେଟ୍‌

ମୁମ୍ବଇ ୧୯୬୨ରେ ଭାରତୀୟ କ୍ରିକେଟ୍‌ ଦଳର ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ବାର୍ବାଡୋସ୍ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ଅଭ୍ୟାସ ମ୍ୟାଚ୍‌ ଖେଳୁଥିଲା। ସେତେବେଳେ ବ୍ୟାଟ୍‌ସମ୍ୟାନ୍ ହେଲ୍‌ମେଟ୍‌ ପିନ୍ଧୁନଥିଲେ। ୧୯୬୨ ମାର୍ଚ୍ଚ ୧୭ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟବୋଲର ଚାର୍ଲି ଗ୍ରିଫିଥ୍‌ଙ୍କ ବାଉନ୍‌ସର ଭାରତୀୟ ବ୍ୟାଟ୍‌ସମ୍ୟାନ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ବାଜିଥିଲା। କଣ୍ଟ୍ରାକ୍ଟରଙ୍କ ଖପୁରୀ ଭାଙ୍ଗି ଯାଇଥିଲା ଏବଂ ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିଲା। ସେଠାରେ କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ହୋଇଥିଲା। ୫ ଜଣ- ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ କିମ୍ବଦନ୍ତୀ ଫ୍ରାଙ୍କ୍‌ ୱରେଲ୍‌ଙ୍କ ସହ ଭାରତୀୟ କ୍ରିକେଟର ଚନ୍ଦୁ ବୋର୍ଡେ, ବାପୁ ନାଦକର୍ଣ୍ଣୀ, ପଲି ଉମ୍ରିଗର ଓ ସାମ୍ବାଦିକ କେ.ଏନ୍‌. ପ୍ରଭୂ ରକ୍ତଦାନ କରି କଣ୍ଟ୍ରାକ୍ଟରଙ୍କ ଜୀବନ ବଞ୍ଚାଇଥିଲେ। ଗ୍ରିଫିଥ୍‌ ଦୁଃଖରେ ଏପରି ଭାଙ୍ଗି ପଡ଼ିଥିଲେ ଯେ କଣ୍ଟ୍ରାକ୍ଟରଙ୍କ ସମ୍ମୁଖକୁ ଆସିନଥିଲେ। ଚେତା ଫେରିବା ପରେ ଗ୍ରିଫିଥ୍‌ଙ୍କ ପତ୍ନୀଙ୍କୁ କଣ୍ଟ୍ରାକ୍ଟର କହିଥିଲେ ଯେ ଏହା ତାଙ୍କର ତ୍ରୁଟି ଥିଲା; ଗ୍ରିଫିଥ୍‌ଙ୍କର ନୁହେଁ।

ସାମାନ୍ୟ ସୁସ୍ଥହେବା ପରେ କଣ୍ଟ୍ରାକ୍ଟର ଭାରତ ଫେରି ଆସିଥିଲେ। କଣ୍ଟ୍ରାକ୍ଟରଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଶେଷ ହୋଇ ଯାଇଥିଲା। କିଛିଦିନ ପରେ ତାମିଲନାଡ଼ୁର ଭେଲୋରସ୍ଥିତ ସିଏମ୍‌ସି ହାସପାତାଳରେ କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ଆଉଥରେ ଅସ୍ତ୍ରୋପଚାର କରିଥିଲେ ଡା. ଚାଣ୍ଡି। ଭାଙ୍ଗିଥିବା ଖପୁରୀ ସ୍ଥାନରେ ଡା. ଚାଣ୍ଡି ଟାଇଟାନିୟମ୍ ଧାତୁର ଏକ ପ୍ଲେଟ୍‌ ଲଗାଇଥିଲେ। କଣ୍ଟ୍ରାକ୍ଟର ସୁସ୍ଥହେବା ପରେ ଡା. ଚାଣ୍ଡିଙ୍କ ପରାମର୍ଶରେ ସେ ଘରୋଇ କ୍ରିକେଟ୍‌ ମଧ୍ୟ ଖେଳିଥିଲେ। ମୁଣ୍ଡରେ ବାଉନ୍‌ସର ବାଜିବାର ୬୦ ବର୍ଷ ପରେ ବୁଧବାର କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ପୁଣି ଅ‌େ​ସ୍ତ୍ରାପଚାର କରାଯାଇ ଧାତବ ପ୍ଲେଟ୍‌ କଢ଼ାଯାଇଛି। ମୁମ୍ବଇର ରିଲାଏନ୍‌ସ ଫାଉଣ୍ଡେସନ୍‌ ହସ୍‌ପିଟାଲରେ ଏହି ଅସ୍ତ୍ରୋପଚାର କରା ଯାଇଥିଲା। ୮୮ ବର୍ଷ ବୟସ୍କ ନରି କଣ୍ଟ୍ରାକ୍ଟର ସମ୍ପୂର୍ଣ୍ଣ ସୁସ୍ଥଅଛନ୍ତି ବୋଲି ଡାକ୍ତର କହିଛନ୍ତି। ୧୯୫୫ରୁ ୧୯୬୨ରେ ଆହତ ହେବା ପର୍ଯ୍ୟନ୍ତ ନରି କଣ୍ଟ୍ରାକ୍ଟର ଭାରତ ପାଇଁ ୩୧ଟି ଟେଷ୍ଟ ଖେଳି ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧଶତକ ସହ ୧୬୧୧ ରନ୍‌ କରିଥିଲେ।

Comments are closed.