ପଳାତକ ଅର୍ଥନୈତିକ ଅପରାଧୀମାନଙ୍କୁ ଚିହ୍ନଟ କରି ପ୍ରତ୍ୟର୍ପଣ ପାଇଁ ଜି-୨୦ ରାଷ୍ଟ୍ରମାନଙ୍କୁ ମୋଦୀଙ୍କ ଆହ୍ୱାନ

0

ବୁଏନସ ଆଇରିସ: ପଳାତକ ଅର୍ଥନୈତିକ ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରତ୍ୟର୍ପଣ କରିବା ଓ ସେମାନଙ୍କୁ ଦେଶ ମଧ୍ୟକୁ ପ୍ରବେଶ କରିବା କିମ୍ବା ବସବାସ କରିବାକୁ ଅନୁମତି ନଦେବା ଲାଗି ଏକ ସାଧାରଣ ମଞ୍ଚ ଗଠନ କରିବା ସକାଶେ ଜି-୨୦ ସଦସ୍ୟ ରାଷ୍ଟ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି।  ବୁଏନସ ଆଇରିସରେ ଶୁକ୍ରବାର ରାତିରେ ଜି-୨୦ ଶିଖର ବୈଠକର ପ୍ରଥମ ଅଧିବେଶନରେ ଏକ ୯ ଦଫା କାର୍ଯ୍ୟସୂଚୀକୁ ଉପସ୍ଥାପନ କରି ଶ୍ରୀ ମୋଦୀ କହିଛନ୍ତି ପଳାତକ ଅର୍ଥନୈତିକ ଅପରାଧୀମାନଙ୍କ ଯୋଗୁଁ ଉପୁଜିଥିବା ସମସ୍ୟାର ମୁକାବିଲା ପାଇଁ ସୁଦୃଢ଼ ତଥା ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ଆନ୍ତର୍ଜାତିକ ସଂଗଠିତ ଅପରାଧ ବିରୁଦ୍ଧରେ ଜାତିସଂଘ ରାଜିନାମାକୁ କାର୍ଯ୍ୟକାରୀ କରିବା ସକାଶେ ଏକ ବ୍ୟବସ୍ଥା ସ୍ଥାପନ ପାଇଁ ସମ୍ମିଳିତ ଉଦ୍ୟମ କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ପଳାତକ ଅର୍ଥନୈତିକ ଅପରାଧୀମାନଙ୍କର ସମ୍ପତ୍ତିକୁ ଠାବ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଜି-୨୦ ମଞ୍ଚ ଚିନ୍ତା କରିବା ଉଚିତ। ଏହା ଫଳରେ ପଳାତକ ଅର୍ଥନୈତିକ ଅପରାଧୀ ମାନଙ୍କଠାରୁ ଅର୍ଥ ଆଦାୟ କରାଯାଇପାରିବ। ଅର୍ଥନୈତିକ ନୀତି ପ୍ରଣୟନ ସମୟରେ ଜନସାଧାରଣଙ୍କୁ ଅଗ୍ରାଧିକାର ଦେବାପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଜନଧନ ଯୋଜନା, ମୁଦ୍ରାଋଣ ଯୋଜନା ଓ ଷ୍ଟାଟ୍‍ଅଫ୍‍ ଇଣ୍ଡିଆ ଯୋଜନା ଭଳି ତାଙ୍କ ସରକାରଙ୍କ ବହୁ ମୁଖ୍ୟ ଯୋଜନାଗୁଡ଼ିକ ବିଷୟରେ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ସାମୁହିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ ପାଇଁ ତାଙ୍କ ସରକାର ଦ୍ୱାରା ଏହିସବୁ ଯୋଜନା ଆରମ୍ଭ କରାଯାଇଥିଲା। ମହିଳାମାନଙ୍କୁ କ୍ଷମତାପନ୍ନ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସଂକ୍ରାନ୍ତରେ ସେ ମତବ୍ୟକ୍ତ କରିଛନ୍ତି। ପୂର୍ବରୁ ଶିଖର ବୈଠକରେ ଯୋଗଦେବା ଅବସରରେ ସେ ବ୍ରିକ୍ସ ନେତାମାନଙ୍କ ସହ ଅନୌପଚାରିକ କଥାବାର୍ତ୍ତାରେ ଯୋଗ ଦେଇଥିଲେ। ନୀତିଭିତ୍ତିକ ବହୁରାଷ୍ଟ୍ରୀୟ ବାଣିଜ୍ୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ ବ୍ରିକ୍ସ ସଦସ୍ୟ ଦେଶମାନେ ସେମାନଙ୍କର ପ୍ରତିଶ୍ରୁତିକୁ ଦୋହରାଇଥିଲେ। ସ୍ୱଚ୍ଛ, ପକ୍ଷପାତ ବିହୀନ ତଥା ମୁକ୍ତ ବାଣିଜ୍ୟ ଲକ୍ଷ୍ୟରେ ବିଶ୍ୱ ବାଣିଜ୍ୟ ସଂଗଠନ ଦ୍ୱାରା ଏହି ନୀତି ପ୍ରଣୟନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ସର୍ବପ୍ରଥମ ତ୍ରିପକ୍ଷୀୟ ବୈଠକରେ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳର ସମୃଦ୍ଧି ଓ ସେଠାରେ ଶାନ୍ତି ସ୍ଥାପନ ପାଇଁ ଉନ୍ମୁକ୍ତ, ସାମୁହିକ ତଥା ନୀତିଭିତ୍ତିକ ବ୍ୟବସ୍ଥାର ଆବଶ୍ୟକତା ପ୍ରତି ସେମାନେ ଏକମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଆର୍ଜେଣ୍ଟିନା ଗସ୍ତ ଶେଷ କରିବା ପୂର୍ବରୁ ବିଶ୍ୱ ନେତୃବୃନ୍ଦଙ୍କ ସହ ଅନେକ ଦ୍ୱିପକ୍ଷୀୟ କଥାବାର୍ତ୍ତାରେ ଯୋଗଦେବେ। ସେ ଜର୍ମାନୀ ଚାନ୍‍ସେଲର, ଆର୍ଜେଣ୍ଟିନା ରାଷ୍ଟ୍ରପତି ଓ ଫ୍ରାନ୍‍ସ, ଦକ୍ଷିଣ ଆଫ୍ରିକା ଏବଂ ସ୍ପେନ୍‍ ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବେ। ସେ ମଧ୍ୟ ଜାମାଇକା ଓ ନେଦରଲ୍ୟାଣ୍ଡ୍‍ସ ପ୍ରଧାନମନ୍ତ୍ରୀ ଓ ୟୁରୋପୀୟ ପରିଷଦ ଏବଂ ୟୁରୋପୀୟ କମିଶନ ସଭାପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି।

Leave A Reply