ଆକ୍ସନ ମୋଡରେ ଏନସିବି : ଭାରତୀ ସିଂହଙ୍କ ଘରେ ଚଢଉ, ଡ୍ରଗ୍ସ ଜବତ

ମୁମ୍ବଇ : ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ପକ୍ଷରୁ ଶନିବାର ଚଢଉ କରାଯାଇଛି। ତାଙ୍କ ଘରୁ କିଛି ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି। କିଛି ଦିନ ପରେ ପୁଣି ଆକ୍ସନ ମୋଡକୁ ଆସିଛି ଏନସିବି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା ସହ ଡ୍ରଗ୍ସ ଲିଙ୍କ ମାମଲାରେ ଜଣଙ୍କ ପରେ ଜଣେ ବଳିଉଡ ତାରକାଙ୍କ ଘରେ ଚଢଉ ଜାରି ରଖିଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଜି ଅନ୍ଧେରି, ଲୋଖଣ୍ଡୱାଲା ଏବଂ ଭର୍ସୋଭା ଅଞ୍ଚଳ ସହିତ ତିନୋଟି ଭିନ୍ନ ସ୍ଥାନରେ ଚଢଉ କରୁଛି। ଏଥିସହ ଏନସିବି ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ସମନ କରିଥିଲା।

ଆଜି ଅନ୍ଧେରି ଅଞ୍ଚଳରେ ଥିବା ଭାରତୀ ସିଂହଙ୍କ ଘରେ ଏନସିବି ଚଢ଼ାଉ କରି ସେଠାରୁ ଡ୍ରଗ୍ସ ଜବତ କରିଛି। ସୂଚନା ଅନୁସାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ୍ ଶନିବାର ଯେତେବେଳେ ତାଙ୍କ ଘରେ ଚଢଉ କରିଥିଲା ସେତେବେଳେ ଭାରତୀୟ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ଘରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ତଦନ୍ତ ଆରମ୍ଭ କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଅନୁସନ୍ଧାନ ବର୍ତ୍ତମାନ ଅନ୍ୟ ଦିଗକୁ ଗତି କରୁଛି। ବର୍ତ୍ତମାନ କେବଳ ଏନସିବି ସୁଶାନ୍ତ ମାମଲା ନୁହେଁ, ବରଂ ମୁମ୍ବଇର ବଲିଉଡରେ ଅଭିଯୁକ୍ତ ଡ୍ରଗ୍ ରାକେଟର ମୂଳ ଖୋଜିବାରେ ଲାଗିଛି। ବର୍ତ୍ତମାନ ଏହି ଚେର ଗୁଡିକ କେତେ ଦୂର ବ୍ୟାପିଛି ଏବଂ ଏହା ପଛରେ କେଉଁ ପ୍ରଭାବଶାଳୀ ଲୋକ କାର୍ଯ୍ୟ କରୁଛନ୍ତି, ତାହା ଅନୁସନ୍ଧାନ ପରେ ହିଁ ସ୍ପଷ୍ଟ ହୋଇଯିବ |

Comments are closed.