ତୈଳ ଓ ଗ୍ୟାସ ଦର ହ୍ରାସ : ନରସିଂହଙ୍କ ନିଶାଣରେ କେନ୍ଦ୍ର ଓ ରାଜ୍ୟ ସରକାର

ବଲାଙ୍ଗିର : ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ତେଲ ଦର ବଢାଇଲେ। କିଛି ମାସ ମଧ୍ୟରେ ପ୍ରାୟ ୨୦ ଟଙ୍କା ଦର ବଢାଇଛନ୍ତି । ଆଉ ଚତୁରତାର ସହ ଏକାଥରକେ ୧୦ ଟଙ୍କା ଦର କମାଇ ପ୍ରଶଂସିତ ହେବା ପାଇଁ ଉଦ୍ୟମ କରୁଛନ୍ତି । ଅନ୍ଧ ଭକ୍ତମାନେ ବାଃ ବାଃ କରୁଛନ୍ତି । କିନ୍ତୁ ବାସ୍ତବ ସତ୍ୟ ଲୋକେ ବୁଝୁଛନ୍ତି ଓ ଜାଣିଛନ୍ତି ବୋଲି ପ୍ରତିକ୍ରିୟାରେ ବଲାଙ୍ଗିର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।
ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମ୍ ଥିବା ବେଳେ ପୂର୍ବରୁ ଯେଉଁ ଆଧାରରେ ତୈଳ ଦର ନିର୍ଣ୍ଣୟ କରାଯାଉଥିଲା ଠିକ୍ ସେହିପରି ଦର ଧାର୍ଯ୍ୟ କରିବାକୁ ଶ୍ରୀ ମିଶ୍ର ମତ ଦେଇଛନ୍ତି । କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଭଣ୍ଡାଇବାକୁ ଦର କମାଇବାର ପ୍ରହସନ ନକରନ୍ତୁ ବୋଲି ମତ ଦେବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନିଶାଣରେ ରଖିଛନ୍ତି। ରାଜ୍ୟ ସରକାର ଯେଉଁ ଟିକସ ନେଉଛନ୍ତି, କେବଳ ଜିଏସଟି ଲାଗୁ କରି ଅନ୍ୟ ଟିକସ ଛାଡ କରନ୍ତୁ । ଏହା ହେଲେ ହିଁ ଦର କମିବ । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଦର ହ୍ରାସ ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି ଉଜ୍ଜଳା ଯୋଜନା ଜରିଆରେ ସାଧାରଣ ଲୋକେ ଉପକୃତ ହେବେ, ଏହି ଆଶା ଦେଖାଇଥିଲେ କେନ୍ଦ୍ର ସରକାର । ଅତ୍ୟଧିକ ଦର ବୃଦ୍ଧି ଯୋଗୁଁ ଉଜ୍ଜଳା ଯୋଜନାର ହିତାଧିକାରୀ ଗ୍ୟାସ ସିଲିଣ୍ଡର ନେବାକୁ କୁଣ୍ଠାବୋଧ କରୁଛନ୍ତି । ୨ଶହ ଟଙ୍କା କମାଇ ଦେଲେ କୌଣସି ପ୍ରଭାବ ପଡିବ ନାହିଁ । ସରକାର ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ଯେଉଁ ଘୋଷଣା କରିଥିଲେ ଓ ପରେ ରିହାତି ଦେବାକୁ କହିଥିଲେ । ଏହାଦ୍ୱାରା ଲକ୍ଷ୍ୟ ସାଧିତ ହୋଇପାରିବ ନାହିଁ । ଗରିବ ହିତାଧିକାରୀଙ୍କୁ ୫ଶହ ଟଙ୍କା ମଧ୍ୟରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Comments are closed.