ଶ୍ରୀଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ: ନରସିଂହ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଘରୋଇ ‘ୟସ’ ବ୍ୟାଙ୍କରେ ରଖାଯିବା ଘଟଣାକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜଗନ୍ନାଥଙ୍କ ଅର୍ଥ କେଉଁ ପରିସ୍ଥିତିରେ ଓ କଣ ପାଇଁ, କାହା ନିର୍ଦ୍ଦେଶରେ ଘରୋଇ ବ୍ୟାଙ୍କରେ ରଖାଗଲା ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ସରକାରଙ୍କ ବିନା ନିର୍ଦ୍ଦେଶରେ ଘରୋଇ ବ୍ୟାଙ୍କରେ ଅର୍ଥ ରଖି ହେବ ନାହିଁ । ତେବେ କିଭଳି ଭାବରେ କେଉଁ ଅଧିକାରୀ ଅର୍ଥ ରଖିଲେ ଓ ଏହା ଯଦି ସରକାରଙ୍କ ଅଜାଣତରେ ରଖାଯାଇଥିଲା ତେବେ ଏହା ଉପରେ ମୁଖ୍ୟମନ୍ତ୍ରୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ମଧ୍ୟ ଜବାବ ଲୋଡ଼ିଛନ୍ତି ଶ୍ରୀ ମିଶ୍ର । ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କର ଜଗନ୍ନାଥଙ୍କ ଅର୍ଥ ସମ୍ପର୍କରେ ଜାଣିବାର ଅଧିକାର ରହିଛି । ଏଣୁ ମୁଖ୍ୟମନ୍ତ୍ରୀ ଏହାର ଜବାବ ଯଦି ତୁରନ୍ତ ନ ଦିଅନ୍ତି ତେବେ ଏହା ପଛରେ ତାଙ୍କର ପ୍ରଛନ୍ନ ହାତ ରହିଛି ଓ ତାଙ୍କ ଇଙ୍ଗିତରେ କରାଯାଇଥିବା ପ୍ରମାଣିତ ହେବ । ଏହି ଘଟଣାକୁ ନେଇ କଂଗ୍ରେସ ବିଧାନସଭାରେ ପ୍ରଶ୍ନ ଉଠାଇବ ଓ ସରକାରଙ୍କଠାରୁ ଜବାବ ଲୋଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଶ୍ରୀ ମିଶ୍ର ତାଙ୍କ ସରକାରୀ ବାସଭବନରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାର ନିୟମ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିରର କୌଣସି ଘରୋଇ ବ୍ୟାଙ୍କରେ ଅର୍ଥ ରଖାଯିବ ନାହିଁ । ଏହା କେବଳ ସରକାରୀ ବ୍ୟାଙ୍କରେ ରଖାଯିବ । କିନ୍ତୁ ଦୁର୍ଭାଗ୍ୟ ସରକାର ଯେଉଁ ନିୟମ କରିଛନ୍ତି ଓ ନିର୍ଦ୍ଦେଶ ଦେଇଛନ୍ତି ସେ ତାକୁ ପାଳନ ନକରି ସେ ନିର୍ଦ୍ଦେଶକୁ ଉଲ୍ଲଘନ କରି ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ସରକାରୀ ବ୍ୟାଙ୍କରେ ଗଚ୍ଛିତ ଥିଲା । ତାକୁ ଉଠାଇ ନେଇ ଘରୋଇ ୟସ ବ୍ୟାଙ୍କରେ ରଖାଗଲା । ଏଥିନେଇ କିଏ ନିଷ୍ପତ୍ତି ନେଲା, କାହା ନିର୍ଦ୍ଦେଶରେ ହେଲା । ତାହା ଆଜି ପର୍ୟ୍ୟନ୍ତ ଜଣାପଡ଼ିନାହିଁ । ଯେହେତୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ଆଇନ ରହିଛି ସେଥିରେ ଉଲ୍ଲେଖ ରହିଛି ଯଦିଓ ସରକାରଙ୍କର କର୍ତ୍ତୃତ୍ୱ ରହିଛି ଦୈନନ୍ଦିନ କାର୍ୟ୍ୟରେ ସରକାର ହସ୍ତକ୍ଷେପ କରିପାରିବେ ନାହିଁ । କିନ୍ତୁ ଯେତେବେଳେ କୌଣସି ଅବହେଳା ହେବ ବା କିଛି ବ୍ୟତିକ୍ରମ ହେବ ସେ କ୍ଷେତ୍ରରେ ସରକାର ହସ୍ତକ୍ଷେପ କରିପାରିବେ । ସମସ୍ତ ଜଗନ୍ନାଥ ଭକ୍ତ ଯେତେବେଳେ ଶୁଣିଲେ ସେମାନେ ଦେଇଥିବା ଅର୍ଥ ଘରୋଇ ବ୍ୟାଙ୍କରେ ଜମା ରହିଛି ଓ ଯେଉଁ ବ୍ୟାଙ୍କ ଦେବାଳିଆ ଅବସ୍ଥାରେ ପହଞ୍ଚିଛି ଏବଂ ସେ ଟଙ୍କା ଫେରିବା ନେଇ ଆଶଙ୍କା ରହିଛି ସେଥିନେଇ ସେମାନଙ୍କ ମନରେ ଆଘାତ ଲାଗିଛି ।

ସମସ୍ତଙ୍କର ଆଶଙ୍କାର ହିଛି ଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ଅଛି କି ନାହିଁ । ଏ ସନ୍ଦେହ ଦୂର କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେଇନାହାଁନ୍ତି । କିମ୍ବା ସ୍ପଷ୍ଟୀକରଣ ରଖିନାହାଁନ୍ତି । ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କହିନାହାଁନ୍ତି ଯେ, ଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ରହିଛି ଓ କୌଣସି ଆଶଙ୍କା କରିବାର ଆବଶ୍ୟକତା ନାହିଁ । ଆଇନମନ୍ତ୍ରୀ ଯାହା କହିଛନ୍ତି ବୋଲି କୁହାଯାଉଛି ତାହା ଦ୍ୱାରା ସେ ଲୋକଙ୍କୁ ଭୁଲ ତଥ୍ୟ ଦେଉଛନ୍ତି । ଏହା ଦୁର୍ଭାଗ୍ୟଜନକ । ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଥିବାରୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ରଖନ୍ତୁ । ଶ୍ରୀ ମିଶ୍ର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ସାମ୍ବାଦିକମାନେ ଏହା ଉପରେ ପ୍ରଶ୍ନ କରିଥିଲେ ସେ କହିଥିଲେ ଅନୁଧ୍ୟାନ କରିବେ । ଏହାର ଅର୍ଥ ହେଲା ସେ ଏହାକୁ ଗୁରୁତ୍ୱ ଦେଉନାହାଁନ୍ତି । ଖାମ ଖିଆଲି ଭାବେ କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମତ ଲୋକଙ୍କ ମନରେ ଅଧିକ ସନ୍ଦେହ ସୃଷ୍ଟି କରିଛି । ଏଣୁ ତୁରନ୍ତ ଏହା ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ । ଯଦି କିଛି ଉତ୍ତର ନ ମିଳେ ତେବେ ଧରାଯିବ ଏଥିରେ ଓଡ଼ିଶା ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି ଓ ଏହା ପଛରେ ସରକାରଙ୍କ ହାତ ରହିଛି । ଏହା ଉପରେ ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକ ରହିଛି ।

ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କମିଶନ ଇନକ୍ୱାରି କରି ତାର ସ୍ଥିତି ଯାହା ହେଲା ସେ ପରି କରାନଯାଉ । ଚାବି ହଜିବା ଘଟଣାର ତଦନ୍ତ ସମ୍ପର୍କରେ ରିପୋର୍ଟ ବିଧାନସଭାକୁ ଦିଆଗଲା ନାହିଁ କି ଲୋକଙ୍କୁ ଅବଗତ କରାଗଲାନାହିଁ । ଲୋକେ ଏବେ ଅନ୍ଧକାରରେ ଅଛନ୍ତି । ଜଗନ୍ନାଥଙ୍କର ରତ୍ନଭଣ୍ଡାରରେ କେତେ ସମ୍ପତ୍ତି ଥିଲା ଓ ଏବେ କେତେ ସମ୍ପତ୍ତି ଅଛି ତାହା ଜାଣିବା ପାଇଁ ଯାଞ୍ଚ ହେବା ଆବଶ୍ୟକ । ଯଦି ସରକାର ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଜଣାପଡ଼ିବ ସରକାରଙ୍କ ଜାଣତରେ ରତ୍ନଭଣ୍ଡାରକୁ ମଧ୍ୟ ଲୁଟ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯାହା କହିଛନ୍ତି ୟସ ବ୍ୟାଙ୍କରେ ଜମା ଅର୍ଥ ସୁରକ୍ଷିତ ରହିଛି ଏହା ଉପରେ ତାଙ୍କର ବିଶ୍ୱାସ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । କାରଣ ବିଜେପି ସରକାର ଯାହା କୁହଁନ୍ତି ତାହା କାର୍ଯ୍ୟରେ କରନ୍ତି ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶୀବାନନ୍ଦ ରାୟ, ଅଧ୍ୟାପକ କୈଳାସ ଆଚାର୍ଯ୍ୟ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.