ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଲେ ଡାକ୍ତର, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ଵର: କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନରସିଂହ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ କଥାବାର୍ତ୍ତା କରୁଛନ୍ତି ବୋଲି ଡାକ୍ତର କହିଛନ୍ତି। ଶରୀରରେ ବ୍ଲଡସୁଗାର ସାଧାରଣ ଅବସ୍ଥାରେ ରହିଛି। କିଛି ବିପଦ ନାହିଁ। କ’ଣ ପାଇଁ ସେ ଅଚେତ ହୋଇପଡ଼ିଲେ ତାହା ଜାଣିବା ଲାଗି ଅବଜରଭେଶନରେ ରଖାଯାଇଛି। ସମସ୍ତ ବିଷୟରେ ଅନୁଧ୍ୟାନ କରାଯିବା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସମ୍ପର୍କରେ ଅବଗତ ହେବା ପରେ ନରସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହିତ ନରସିଂହଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତର ସ୍ବାସ୍ଥ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ସୋମବାର ପୂର୍ବାହ୍ନରେ କଂଗ୍ରେସ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ନରସିଂହ ମିଶ୍ର ଯୋଗଦେଇ ଭାଷଣ ଦେଇଥିଲେ। ଭାଷଣ ଦେଇ ସାରିବା ପରେ ସେ ହଠାତ୍ ଅଚେତ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରି ଅଚେତ ହୋଇଯାଇଥିଲେ। ପରେ ତୁରନ୍ତ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।