ନରସିଂହଙ୍କ ନିଶାଣରେ ରାଜ୍ୟ ସରକାର : ମନ୍ଦିର ଉନ୍ନତି କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ଅଣଦେଖା

ବଲାଙ୍ଗିର : ରାଜ୍ୟରେ ମନ୍ଦିର ତଥା ଧାର୍ମିକ ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିକାଶ ଓ ଅନୁଦାନର ବ୍ୟବସ୍ଥା କରୁଛନ୍ତି। ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ମାଧ୍ୟମରେ ସେ ସବୁର ଉନ୍ନତି ପାଇଁ କାର୍ଯ୍ୟକ୍ରମ କରାଯାଇଛି। କିନ୍ତୁ ପଶ୍ଚିମ ଓଡିଶାରେ ଥିବା ସର୍ବପୂରାତନ ହରିଶଙ୍କର ଓ ନୃସିଂହନାଥ ପୀଠକୁ ସରକାର ଅଣଦେଖା କରୁଛନ୍ତି ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ପ୍ରଶ୍ନ କରିଛନ୍ତି।

କିଛି ଦିନ ଆଗରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରଜା, ତାରାତାରିଣୀ, ରାଧାମାଧବ ଓ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରି ଏହାର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଠାରେ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ଯେ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରସ୍ତାବରେ ଏହି ଅଂଚଳର ସର୍ବପୂରାତନ ପୀଠ ହରିଶଙ୍କର ଓ ନୃସିଂହନାଥ ମନ୍ଦିରକୁ ଭୁଲିଗଲେ କେମିତି? ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପାଇଁ ରାଜକୋଶ ଖୋଲିଦେଇଥିବା ବେଳେ ପଶ୍ଚିମ ଓଡିଶାରେ ଥିବା ଏହି ଐତିହାସିକ ଧାର୍ମିକ ପୀଠକୁ ଅଣଦେଖା କରି ପଶ୍ଚିମ ଓଡିଶ ପ୍ରତି ନିଜର ବୈମାତୃକ ମନୋଭାବର ପରିଚୟ ଦେଉଛନ୍ତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ଐତିହାସିକ ଭିତ୍ତିଭୂମି ରହିଛି। ବହୁମୂଲ୍ୟ ଔଷଧୀୟ ବୃକ୍ଷ, ମୁଲ୍ୟବାନ ଖଣିଜ ପଥର ଭରା ଗନ୍ଧମାର୍ଦନ ପର୍ବତ ମାଳାରେ ଏହି ଉଭୟ ମନ୍ଦିର ଅବସ୍ଥିତ। ଅନେକ ପର୍ବତାରୋହୀ ତଥା ପଯ୍ୟଟକ ପାହାଡ ଓ ଜଙ୍ଗଲ ପଥ ଦେଇ ଗୋଟିଏ ମନ୍ଦିରରୁ ଅନ୍ୟ ମନ୍ଦିରକୁ ଚାଲି ଚାଲି ଦୁଃସାହାସିକ ଯାତ୍ରା କରିଥାନ୍ତି। ଏଠାରେ ପ୍ରାକୃତିକ ଝରଣା, ପଶୁପକ୍ଷୀ, ଫଳମୂଳ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ରଖିଥାଏ।

ପ୍ରଖ୍ୟାତ ଐତିହାସିକମାନଙ୍କ ମତରେ ପ୍ରଥମ ଓଡିଆ ଶିଳା ଲିପି ମଧ୍ୟ ଗନ୍ଧମାର୍ଦ୍ଦନ ପର୍ବତରୁ ହିଁ ମିଳିଥିଲା। ବିଶ୍ୱ ପ୍ରସିଦ୍ଧ ପରିବ୍ରାଜକ ହୁଏଂସାଂଙ୍କ ଭାରତ ପରିଭ୍ରମଣ ସମୟରେ ସେ ଏହି ପର୍ବତମାଳକୁ ଆସି ଏଠାରେ ଅବସ୍ଥିତ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ କଥା ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ। ତେଣୁ କେବଳ ଯେ ଏହି ଅଞ୍ଚଳରେ ଧାର୍ମିକ ମାନ୍ୟତା ରହିଛି ତାହା ନୁହେଁ, ଏହାର ବହୁ ଐତିହାସିକ ପୃଷ୍ଟଭୂମୀ ମଧ୍ୟ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ପ୍ରସିଦ୍ଧ ବୈଶାଖୀ ମେଳା ସମୟରେ ଏହି ଉଭୟ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ତେଣୁ ରଜ୍ୟରେ ଯେତେବେଳେ କୌଣସି ମନ୍ଦିରର ଉନ୍ନତିକରଣ ପାଇଁ  ଅଧ୍ୟଦେଶ ମାଧ୍ୟମରେ ଆଇନ ପ୍ରଣୟନ ହେଉଛି, ସେତେବେଳେ ପଶ୍ଚିମ ଓଡିଶାର ଧର୍ମୀୟ ଭାବନା ସହିତ ଜଡିତ ଏହି ଉଭୟ ପୀଠର ଉନ୍ନତି ପାଇଁ ମଧ୍ୟ ସରକର ଅଧ୍ୟାଦେଶ ଆଣନ୍ତୁ। ନହେଲେ ସରକାରଙ୍କ ଏପରି ଅଣଦେଖା ଏ ଅଞ୍ଚଳର ଲୋକଙ୍କ ଅଲଗା ରଜ୍ୟ ଦାବି ଓ ଅନ୍ଦୋଳନକୁ ଭରପୂର ଖୋରାକ ଯୋଗାଇବ। ତେଣୁ ସରକାର ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ବିକାଶ, ପରିଚାଳନା ଓ ରୀତିନୀତିର ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ସହ ଏହି ଉଭୟ ପୀଠର ସାମଗ୍ରିକ ବିକାଶ କରାଯାଉ କହିଛନ୍ତି ଶ୍ରୀ ମିଶ୍ର।

Comments
Loading...