୧୭୨ ଗାଁକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲାପାଳ

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି। ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ଅକାଳରେ ମରଣ ମୁହଁ କୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ। ପରିପକ୍ଵ ବୟସ ପୂର୍ବରୁ ମାତୃତ୍ବ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା। ତେବେ ଜିଲାରେ ଏହି ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି। ସମଗ୍ର ନବରଙ୍ଗପୁର ଜିଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ। ସମଗ୍ର ନବରଙ୍ଗପୁର ଜିଲାକୁ ୨୦୨୪ ମସିହା ସୁଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଏହି ଅନ୍ଵେଷା ଅଭିଯାନ ମାଧ୍ୟମରେ ଜିଲା ସମାଜ କଲ୍ୟାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ୟ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯାଇବା ନିମନ୍ତେ ପ୍ରୟାସ ଜାରି ରହିଛି। ବିଶେଷ କରି ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର,ସ୍ବୟଂସହାୟକ ଦଳମାନଙ୍କ ସହିତ ବାଲ୍ୟ ବିବାହର କୁପରିଣାମ ବୈଠକ , ବାଲ୍ୟବିବାହ ମୁକ୍ତ ଗ୍ରାମ୍ୟ ଗଠନ ଓ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ମାସର ସମସ୍ତ ଶନିବାର ଦିନ କିଶୋରୀ ମାନଙ୍କର ବୈଠକ କରାଯାଇ ନାବାଳିକା ବିବାହର କୁପରିଣାମ, ରକ୍ତ ହୀନତାର ମୁକାବିଲା, ସନ୍ତୁଳିତ ଆହାର ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୋହସାର ବଟିକା କୁ କିଶୋରୀ ମାନେ ସେବନ କରିବାକୁ ଦିଆଯାଉଛି।

 

ଏହାର ପ୍ରଭାବରେ ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ ,ୱାର୍ଡମେମ୍ବର ,ସ୍ବୟଂସହାୟକ ଦଳ ମାନେ ଜିଲାର ବିଭିନ୍ନ ଗ୍ରାମଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିବାପରେ, ଜିଲ୍ଲାପାଳ ଡଃ ମିଶ୍ର ଜିଲାର ମୋଟ ୧୭୨ ଟି ଗ୍ରାମକୁ ଆନୁଷ୍ଟାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରିଛନ୍ତି। ସମଗ୍ର ନବରଙ୍ଗପୁର ଜିଲାରେ ଗତବର୍ଷ ନଭେମ୍ବର ମାସରେ ୫ଟି ଗ୍ରାମ ,ଚଳିତ ବର୍ଷ ଏପ୍ରିଲ ମାସରେ ୪୭ ଗ୍ରାମ, ମେ ମାସରେ ୩୬ ଗ୍ରାମ ଓ ଜୁଲାଇ ମାସରେ ୮୪ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଅଦ୍ୟାବଧି ଘୋଷଣା କରାଯିଛି । ସେଥିମଧ୍ୟରୁ ପାପଡାହାଣ୍ଡି ବ୍ଲକରେ ୮୫ ଟି ,ଝରିଗ୍ରାମ ବ୍ଲକରେ ୧୫ଟି , ନବରଙ୍ଗପୁର ବ୍ଲକରେ ୧୪ଟି, ନନ୍ଦହାଣ୍ଡି ବ୍ଲକରେ ୭ଟି, କୋଷାଗୁମୁଡା ବ୍ଲକରେ ୧୪ଟି ଓ ଡାବୁଗ୍ରାମ ବ୍ଲକରେ ୧୬ଟି ଓ ରାଇଘର ବ୍ଲକରେ ୨୧ଟି ଗ୍ରାମ ଅନ୍ତର୍ଭୁକ୍ତ ଅଟେ।

Comments are closed.