ୱିମ୍ବଲଡନ୍‌ରୁ ଓହରିଲେ ନାଓମି ଓସାକା

ଟୋକିଓ: ଆସନ୍ତା ୨୮ରୁ ଇଂଲଣ୍ଡରେ ଖେଳାଯିବାକୁ ଥିବା ୱିମ୍ବଲଡନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ତାରକା ମହିଳା ଖେଳାଳି ଜାପାନର ନାଓମି ଓସାକା। ​ତେବେ ଓସାକା ଜୁଲାଇ ୨୩ରୁ ଜାପାନର ଟୋକିଓ ସହରରେ ଖେଳାଯିବାକୁ ଥିବା ଅଲିମ୍ପିକ୍‌ସରେ ନିଜ ଦେଶକୁ ପ୍ରତିନିଧିତ୍ବ କରିବେ ବୋଲି ଜଣାପଡ଼ିଛି। କିଛିଦିନ ତଳେ ଫ୍ରେଞ୍ଚ୍‌ ଓପନ ମଝିରୁ ଓସାକା ଓହରି ଯାଇଥିଲେ। ମ୍ୟାଚ୍‌ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ସେ ମନା କରିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆୟୋଜକମାନେ ତାଙ୍କ ଉପରେ ୧୫ ହଜାର ଡଲାର ଅର୍ଥଦଣ୍ଡ ଲାଗୁ କରିଥିଲେ।

ୱିମ୍ବଲଡନ୍‌ରୁ ଓସାକା ଓହରିବା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ତାଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡୁଗୁଇଡ୍‌ କହିଛନ୍ତି ଓସାକା ବର୍ତ୍ତମାନ ନିଜ ପରିବାର ଓ ବନ୍ଧୁଙ୍କ ସହ ସମୟ ଅତିବାହିତ କରୁଥିବାରୁ ସେ ୱିମ୍ବଲଡନ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଟୋକିଓ ଅଲିମ୍ପିକ୍‌ସରେ ଭାଗ ନେବାକୁ ସେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ସୂଚନାଥାଉକି ସ୍ପେନର ତାରକା ପୁରୁଷ ଟେନିସ ଖେଳାଳି ରାଫେଲ୍‌ ନାଦାଲ ଉଭୟ ୱିମ୍ବଲଡନ୍‌ ଓ ଟୋକିଓ ଅଲିମ୍ପିକ୍‌ସରୁ ଓହରି ଯିବାକୁ ପୂର୍ବରୁ ଘୋଷଣା କରି ସାରିଛନ୍ତି।

Comments are closed.