ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ ଜିତିଲେ ନାଓମି ଓସାକା

ନୂଆଦିଲ୍ଲୀ: ନାଓମି ଓସାକା ଶନିବାର ଅଷ୍ଟ୍ରେଲିଆନ୍‌ ଓପନ ମହିଳା ସିଙ୍ଗଲ୍ସ ଟେନିସ ଟୁର୍ନାମେଣ୍ଟ ଟାଇଟଲ ବିଜୟୀ ହୋଇଛନ୍ତି। ୨୩ ବର୍ଷୀୟା ଏହି ଜାପାନୀ ଖେଳାଳି ଫାଇନାଲରେ ନିଜ ପ୍ରତିଦ୍ବନ୍ଦ୍ବୀ ଜେନିଫର ବ୍ରେଡିଙ୍କୁ ୬-୪, ୬-୩ ସେଟ୍‌ରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି। ନାଓମି ୨ୟ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ ଜିତିଥିବାବେଳେ ଏହା ତାଙ୍କ କ୍ୟାରିୟରର ୪ର୍ଥ ଗ୍ରାଣ୍ଡସ୍ଲାମ। ଏହା ପୂର୍ବରୁ ୨୦୧୮ରେ ବି ସେ ଅଷ୍ଟ୍ରେଲିଆନ ଓପନ୍‌ ଟୁର୍ନାମେଣ୍ଟ ଟାଇଟଲ ବିଜୟୀ ହୋଇଥିଲେ।

ନାଓମି ଏହି ଗ୍ରାଣ୍ଡସ୍ଲାମ ଜିତିବା ପରେ ବିଶ୍ଵ ରାଙ୍କିଙ୍ଗ୍‌ରେ ସେ ୩ୟ ସ୍ଥାନରୁ ୨ୟ ସ୍ଥାନକୁ ଉଠିଛନ୍ତି। ଶନିବାର ଟାଇଟଲ ସହିତ ଏହା ତାଙ୍କର ଲଗାତାର ୨୧ ତମ ବିଜୟ। ସେରେନା ୱଲିୟମ୍‌ସଙ୍କ ଭଳି ଅନୁଭବୀ ଖେଳାଳିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ନାଓମି ଏହି ଟୁର୍ନାମେଣ୍ଟରେ ଫେଭରିଟ୍‌ ଥିଲେ। କୌଣସି ଗ୍ରାଣ୍ଡସ୍ଲାମର କ୍ବାର୍ଟରଫାଇନାଲରେ ପ୍ରବେଶ କରିବା ପରେ ସେ କେବେ ପରାଜୟ ବରଣ କରିନାହାନ୍ତି।

ଅନ୍ୟପଟେ ୨୨ ବର୍ଷୀୟା ବ୍ରେଡି ଚେକ୍‌ ରିପବ୍ଲିକ୍‌ର ୨୫ ବର୍ଷୀୟା କାରୋଲିନା ମୁଚୋଭାଙ୍କୁ ୬-୪, ୩-୬ ଓ ୬-୪ ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିବା ବ୍ରେଡିଙ୍କ ପାଇଁ ପ୍ରଥମ ଥିଲା। କିନ୍ତୁ ସେ ନାଓମିଙ୍କଠାରୁ ପରାସ୍ତ ହୋଇଥିଲେ। ଗତବର୍ଷ ୟୁଏସ ଓପନ ଟୁର୍ନାମେଣ୍ଟ ସେମିଫାଇନାଲରେ ବି ନାଓମି ତାଙ୍କୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲେ।

Comments are closed.