ନନ୍ଦୀଗ୍ରାମ ସ୍ଥିର କରିବ ଆଗାମୀ ମୁଖ୍ୟମନ୍ତ୍ରୀ ! ଟିଏମସି ଓ ବିଜେପି ମଧ୍ୟରେ ହେବ କଡ଼ା ଟକ୍କର

ମହେଶ ଶର୍ମା

ପଶ୍ଚିମବଙ୍ଗରେ ଆସନ୍ତା ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ମମତା ବାନାର୍ଜୀ ୩ୟ ଥର କ୍ଷମତା ହାସଲ ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ନନ୍ଦୀଗ୍ରାମରେ ଆହତ ହେବାର ୩ ଦିନ ପରେ ହ୍ବିଲ୍‌ ଚେୟାରରେ ବସି ୫ କିଲୋମିଟର ଦୂର ପର୍ଯ୍ୟନ୍ତ ରୋଡ୍‌ ଶୋ କରିଛନ୍ତି। ରୋଡ୍‌ ଶୋ ଅବସରରେ ମମତା ବିରୋଧୀଙ୍କୁ ଟାର୍ଗେଟ କରି ‘ଆହତ ହୋଇଥିବା ବାଘ ଅଧିକ ବିପଜ୍ଜନକ’ ବୋଲି କହିଛନ୍ତି। ସୋମବାର ଦୁର୍ଗାପୁରରେ ମମତା ୨ଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ମାର୍ଚ୍ଚ ୧୮ରେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପଶ୍ଚିମବଙ୍ଗ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ୨୦୧୬ ନିର୍ବାଚନରେ ବିଜେପି ଏଠାରେ ମାତ୍ର ୩ଟି ଆସନରେ ବିଜୟୀ ହୋଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଦଳ ୧୯ ଆସନ ହାତେଇ ସ୍ଥିତିକୁ ଅଧିକ ମଜଭୁତ କରିବାରେ ସଫଳ ହେବା ସହିତ ଶାସକ ଟିଏମସିକୁ କଡ଼ା ଟକ୍କର ଦେଇଥିଲା। ବିଧାନସଭା ନିର୍ବାଚନରେ ବି ଟିଏମସି-ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ଅନୁମାନ କରୁଛନ୍ତି।

ହିନ୍ଦୁତ୍ଵ କାର୍ଡ: ବିଜେପି ହିନ୍ଦୁତ୍ଵ କାର୍ଡ ଖେଳି ଜନସମର୍ଥନ ବୃଦ୍ଧି କରିବାରେ ଲାଗିଥିବାବେଳେ ମମତା ମୁସଲମାନ ଏବଂ ମହିଳାଙ୍କ ଭୋଟ ହାତେଇବାକୁ ଉଦ୍ୟମ ଚଳାଇଛନ୍ତି। ଯଦିଓ ରାଜ୍ୟରେ ଟିଏମସି ଏବଂ ବିଜେପି ମଧ୍ୟରେ ଟକ୍କର ହେବ ବୋଲି ଆକଳନ କରାଯାଉଛି, କିନ୍ତୁ କଂଗ୍ରେସ ଏବଂ ବାମ ଦଳଗୁଡ଼ିକର ମେଣ୍ଟ ଯୋଗୁ ଅନେକ ଆସନରେ ତ୍ରିକୋଣୀୟ ଲଢ଼େଇ ହେବା ସମ୍ଭାବନା ସୃଷ୍ଟି ହୋଇଛି। ମମତା ନନ୍ଦୀଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ବିପକ୍ଷରେ ଛିଡ଼ା କରିଛି। ନନ୍ଦୀଗ୍ରାମରେ ୭୦ ପ୍ରତିଶତ ହିନ୍ଦୁ ଏବଂ ୩୦ ପ୍ରତିଶତ ମୁସଲମାନ ଭୋଟ ରହିଛି। ଏପରି ସ୍ଥିତିରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ନନ୍ଦୀଗ୍ରାମର ହିଁ ପ୍ରତିନିଧି ହେବେ ବୋଲି କୁହାଯାଉଛି। ଯଦି ଶୁଭେନ୍ଦୁ ମମତାଙ୍କୁ ପରାଜିତ କରିଦିଅନ୍ତି ଏବଂ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରେ, ତେବେ ସେ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ଏପ୍ରିଲ ୧ରେ ଏହି ଆସନରେ ଭୋଟଗ୍ରହଣ ହେବ।

୨୦୧୬ରେ କାହାକୁ ମିଳିଥିଲା କେତେ ଆସନ

୨୦୧୬ ବିଧାନସଭା ନିର୍ବାଚନରେ ଟିଏମସିକୁ ୨୧୧, କଂଗ୍ରେସକୁ ୪୪, ମାକପା ୨୬ ଏବଂ ଅନ୍ୟାନ୍ୟ ଦଳ ୧୩ ଆସନରେ ବିଜୟୀ ହୋଇଥିଲେ। ବିଜେପି ୧୦ ପ୍ରତିଶତ ଭୋଟ ପାଇ ୩ ଆସନରେ ବିଜୟୀ ହୋଇଥିଲା। ଟିଏମସି ମୋଟ ୪୫ ପ୍ରତିଶତ ଭୋଟ ପାଇଥିବାବେଳେ ମାକପା ୨୦, କଂଗ୍ରେସ ୧୨, ଅନ୍ୟାନ୍ୟ ଦଳ ୧୩ ପ୍ରତିଶତ ଭୋଟ ପାଇଥିଲେ।

ନିର୍ବାଚନୀ ପ୍ରତିଶ୍ରୁତି

ଟିଏମସି ନିର୍ବାଚନୀ ପ୍ରତିଶ୍ରୁତି ଦେଇ କହିଛି, ବଙ୍ଗଳା ସରକାର ବଙ୍ଗାଳୀ ଚଳାଇବେ, ବାହାର ଲୋକ ନୁହେଁ। ଅର୍ଥାତ ବଙ୍ଗାଳୀ ବନାମ ବାହାର ଲୋକ। ହିନ୍ଦୀ ଅଞ୍ଚଳର ସଂସ୍କୃତି ଏବଂ ହିନ୍ଦୁତ୍ଵଠାରୁ ପଶ୍ଚିମବଙ୍ଗକୁ ରକ୍ଷା କରିବାର ଅଛି ବୋଲି ଟିଏମସି କହିଛି।

ବିଜେପି କହିଛି, ଟିଏମସିକୁ ଏଠାରୁ ଉପାଡ଼ି ସୁନାର ବଙ୍ଗଳା ସ୍ଥାପନ କରିବୁ। ଅପରାଧମୁକ୍ତ ରାଜନୀତି, ରାଜନୀତି ମୁକ୍ତ ପ୍ରଶାସନ, ଭ୍ରଷ୍ଟାଚାରମୁକ୍ତ ବଙ୍ଗଳା, ଗୁଜରାଟର ବିକାଶ ମଡେଲ, ଡବଲ ଇଞ୍ଜିନ ସରକାର ଯାହାକୁ କେନ୍ଦ୍ରର ଆଶୀର୍ବାଦ ମିଳିବ।

ବାମଦଳ, କଂଗ୍ରେସ ଏବଂ ଆଇଏସଏଫର ମେଣ୍ଟ ଦୁଇ ଦଳୀୟ ରାଜନୀତିକୁ ଭାଙ୍ଗିବା, ଧର୍ମନିରପେକ୍ଷ ବଙ୍ଗଳା, ଦିଦିମୁକ୍ତ ବଙ୍ଗଳା ଏବଂ ମୋଦୀମୁକ୍ତ ଭାରତର ପ୍ରତିଶ୍ରୁତି ଦେଇ ନିର୍ବାଚନକୁ ଓହ୍ଲାଇଛି।

ନିର୍ବାଚନରେ ବିଭିନ୍ନ ଦଳ ବଡ଼ ବଡ଼ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ଯେପରି କି ହିନ୍ଦୁ ପରମ୍ପରା ବନାମ ମୁସଲମାନ ତୁଷ୍ଟୀକରଣ, ସ୍ବଚ୍ଛ ପ୍ରଶାସନ, ସୁନାର ବଙ୍ଗଳା, କଟ୍‌ମନୀ ମୁକ୍ତ ବଙ୍ଗଳା, ଉଦ୍ୟୋଗକୁ ରାଜ୍ୟକୁ ଆଣିବା ଏବଂ ବିକାଶ କରିବା ଆଦି ପ୍ରମୁଖ ରହିଛି।

୮ ପର୍ଯ୍ୟାୟରେ ହେବ ନିର୍ବାଚନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ମୋଟ ୩୦ ଆସନରେ ଭୋଟଗ୍ରହଣ ହେବ। ଏପ୍ରିଲ ୧ରେ ୨ୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ବି ୩୦ ଆସନରେ ଭୋଟଗ୍ରହଣ ହେବ। ସେହିପରି ଏପ୍ରିଲ ୬ରେ ୩ୟ ପର୍ଯ୍ୟାୟ (୩୧ ଆସନ), ଏପ୍ରିଲ ୧୦ରେ ୪ର୍ଥ ପର୍ଯ୍ୟାୟ (୪୪ ଆସନ), ୧୭ ଏପ୍ରିଲରେ ୫ମ ପର୍ଯ୍ୟାୟ (୪୫ ଆସନ), ୨୨ ଏପ୍ରିଲରେ ୬ଷ୍ଠ ପର୍ଯ୍ୟାୟ (୪୫ ଆସନ), ୨୬ ଏପ୍ରିଲରେ ୭ମ ପର୍ଯ୍ୟାୟ (୩୬ ଆସନ) ଏବଂ ଏପ୍ରିଲ ୨୯ରେ ଚୂଡ଼ାନ୍ତ ତଥା ୮ମ ପର୍ଯ୍ୟାୟ (୩୫ ଆସନ) ମତଦାନ ଅନୁଷ୍ଠିତ ହେବ।

Comments are closed.