ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବହୁତଳ କାର୍‌ ପାର୍କିଂର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବିଶ୍ବସ୍ତରୀୟ ରୂପ ଦେବାକୁ ସରକାର ସଂକଳ୍ପବଦ୍ଧ

ନନ୍ଦନକାନନ : ନନ୍ଦନକାନନରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲା ବିଶିଷ୍ଟ ବହୁତଳ କାର୍‌ ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଣୀ ଉଦ୍ୟାନକୁ କ୍ରମଶଃ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି।  ପ୍ରତ୍ୟେକ ମହଲା ୫୬୦୦ ବର୍ଗ ମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ। ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି।
ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି। ଏହାଦ୍ୱାରା ନନ୍ଦନକାନନ ମୁଖ୍ୟ ରାସ୍ତାରେ ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍‌ ସମସ୍ୟାର ସମାଧାନ ହୋଇପାରିବ। ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ଏବଂ ଏଥିପାଇଁ ଏକ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି।  ଏହାଦ୍ବାରା ନନ୍ଦନକାନନ ଅଧିକ ଆକର୍ଷଣୀୟ ହେବା ସହ ଅତ୍ୟାଧୁନିକ ପର୍ଯ୍ୟଟନ କ୍ଷେତ୍ର ରୂପେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିପାରିବ।
ଶୁକ୍ରବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ବହୁତଳ କାର୍‌ ପାର୍କିଂ ସୁବିଧା ଉଦ୍‌ଘାଟନ କରିବା ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ର‌େ‌ଥା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ନନ୍ଦନକାନନ ନିର୍ଦେଶକ ମନୋଜ ଭି. ନାୟରଙ୍କ ସଭାପତିତ୍ବରେ  ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପନିର୍ଦେଶକ ଡ. ସଞ୍ଜିତ୍ କୁମାର ଅତିଥି ପରିଚୟ ପ୍ରଦାନ କରିଥିଲେ। ନନ୍ଦନକାନନ ପର୍ଯ୍ୟଟକ ସହକାରୀ ବନସଂରକ୍ଷକ ଶରତ କୁମାର ସାହୁ, ଜନ୍ତୁ କ୍ୟୁରେଟର ରଶ୍ମିରଞନ ସ୍ବାଇଁ, ବଟାନିକାଲ ଗାର୍ଡେନ ବନାଞ୍ଚଳ(ରେଞ୍ଜର)ଅଧିକାରୀ ଶୁଭଶ୍ରୀ ଦାଶ, ନିରାପତ୍ତା ବନାଞ୍ଚଳ ଅଧିକାରୀ ଜି.ଏଫ୍ ଖାଁ ପ୍ରମୁଖ ସହଯୋଗ କରିଥିଲେ।

Comments are closed.