ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ : ଶ୍ରୀଲଙ୍କାରୁ ଆସିବେ ସିଂହ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୦ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଡ. ହରିଶଙ୍କର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆ ଜୀବଜନ୍ତୁ ଆଣିବା ସହିତ ସିଂହ ପ୍ରଜନନ କେନ୍ଦ୍ର କରିବା ନେଇ ଘୋଷଣା କରିଥିଲେ।
ଉତ୍ସବ ପୂର୍ବରୁ ଉଦ୍ୟାନ ପରିସରରେ ଧୂସର ଗଧିଆ, ତାମାରିନ ମାଙ୍କଡ଼, ଗୁଣ୍ଡିିମାଙ୍କଡ଼, କାପୁଚିନ ମାଙ୍କଡ଼ ଖୁଆଡ଼ ଅତିଥିମାନେ ଉଦ୍‍ଘାଟନ କରିଥିଲେ। ଏଥିସହ ୨୦୧୮ ଡିସେମ୍ବର ୨୨ରେ ନନ୍ଦନକାନନର ସମ୍ରାଟ ଓ ରେଣୁକା ଔରସରୁ ଜନ୍ମିତ ଦୁଇଅଣ୍ଡିରା କଳା ବାଘ ଛୁଆଙ୍କ ନାମକରଣ କରାଯାଇଥିଲା। େସମାନଙ୍କ ନାମ ଯଥାକ୍ରମେ ସ୍ପନ୍ଦନ ଓ ବସୁ ରଖାଯାଇଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପରେ ଏହି ଛୁଆ ଦୁହିଁଙ୍କ ସହିତ ତା’ର ମାଆ ରେଣୁକାକୁ ୩୩ ନମ୍ବର (କ) ଖୁଆଡ଼ରେ ଛାଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଉପାଧ୍ୟାୟ କହିଥିଲେ ଯେ ଖୁବ୍‍ଶୀଘ୍ର ନନ୍ଦନକାନନକୁ ଶ୍ରୀଲଙ୍କାରୁ ଆସିବେ ସିଂହ ଓ ସିଂହୀ। ବଂଶ ଲୋପ ପାଇଥିବା ପଶୁପକ୍ଷୀ ଆଣିବା ପାଇଁ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟ, ଇନ୍ଦୋର, ରାଜସ୍ଥାନ ଓ ମାଛିଆ ଜୀବବିଜ୍ଞାନ ପାର୍କ ଆଦି ଚିଡ଼ିଆଖାନାରୁ ଚିତାବାଘ, ଜେବ୍ରା, ଗଣ୍ଡା, ୱାଗ୍ରେ ୱାଲାବି ଆଦି ପଶୁପକ୍ଷୀ ଆସିବେ। ବନ୍ଦ ହୋଇ ପଡ଼ିରହିଥିବା ଶିଶୁ ରେଳଗାଡ଼ି ୩ ମାସ ଓ ରୋପ୍‌ୱେ ୨୦୨୦ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ େହବ ବୋଲି ଶ୍ରୀ ଉପାଧ୍ୟାୟ ଘୋଷଣା କରିଥିଲେ। କାଞ୍ଜିଆ ହ୍ରଦର ପୁନରୁଦ୍ଧାର କରାଯାଇ ପାଣି ନିଷ୍କାସନ ପାଇଁ ଡ୍ରେନ୍‍ର ବ୍ୟବସ୍ଥା କରାଯିବ। ନନ୍ଦନକାନନ କର୍ମଚାରୀଙ୍କ ନିଷ୍ଠାପର କାର୍ଯ୍ୟକୁ େସ ପ୍ରଶଂସା କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥିଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନୂଆ ଜୀବଜନ୍ତୁ ଆଣିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ନନ୍ଦନକାନନକୁ ଆହୁରି ଅଧିକ ସରସ ସୁନ୍ଦର କରିବା ସହିତ ନୂତନ ପଶୁପକ୍ଷୀ ଆଣିବାକୁ କହିଥିଲେ।
ଦେଶର ଅନ୍ୟ ଚିଡ଼ିଆଖାନା ତୁଳନାରେ ନନ୍ଦନକାନନରେ ୨୦୧୯ ବର୍ଷରେ ୬୦ଟି ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୮ ଜୀବଜନ୍ତୁ ଜନ୍ମ ହୋଇଛନ୍ତି। ବିରଳ ଜୀବଜନ୍ତୁଙ୍କ ବଂଶବୃଦ୍ଧି ସହିତ ଅସୁସ୍ଥ ଜୀବଜନ୍ତୁଙ୍କୁ ଉଦ୍ଧାର କରି ସେମାନଙ୍କୁ ପ୍ରାଣୀଉଦ୍ୟାନରେ ଅବସ୍ଥାପିତ କରିବାରେ ନନ୍ଦନକାନନ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛନ୍ତି ବୋଲି ଉପନିର୍ଦେଶକ ଜୟନ୍ତ କୁମାର ଦାସ କହିଥିଲେ। ନିର୍ଦେଶକ ଶଶି ପଲ ବାର୍ଷିକ ବିବରଣୀ ପାଠକରି ନନ୍ଦନକାନନରେ ୨୧୩ ଖୁଆଡ଼ରେ ୧୫୮ ପ୍ରଜାତିର ୩୬୦୦ ପଶୁପକ୍ଷୀ ରହୁଛନ୍ତି ବୋଲି କହିଥିଲେ। ନନ୍ଦନକାନନରେ ବର୍ଷସାରା ନିଷ୍ଠାପର ସହ କାର୍ଯ୍ୟ କରୁଥିବା କେଦାର ମଣ୍ଡଳ, ଅନିଲ ମହାରଣା, ସୁରେନ୍ଦ୍ର କୁମାର ବେହେରା, କପିଳ ନାୟକ, ପ୍ରହ୍ଲାଦ ପାତ୍ର, ବିକ୍ରମ ପ୍ରଧାନ, ଫରେଷ୍ଟଗାର୍ଡ ସାଗରିକା ବିଶ୍ୱାଳ, ସୁଶାନ୍ତ ବେହେରା, କାଇତା ହେମ୍ବ୍ରମ, ରାମଚନ୍ଦ୍ର କାପ୍ତି, ଫରେଷ୍ଟର ଅରୁପ କୁମାର ରାଉତ ପ୍ରମୁଖଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥିଙ୍କ ଦ୍ୱାରା ୨୦୧୮-୧୯ର ସ୍ମରଣିକା, ବାର୍ଷିକ ରିପୋର୍ଟ ଓ ପକେଟ୍‍ କ୍ୟାଲେଣ୍ଡର ସହିତ ପ୍ରକୃତି ଏବଂ ପ୍ରାଣୀବିଜ୍ଞାନ ‘ଆପ୍‍’ ମଧ୍ୟ ଉନ୍ମୋଚନ ହୋଇଥିଲା। ନନ୍ଦନକାନନ ଜନ୍ତୁ ଏସିଏଫ୍‍ ତଥା କ୍ୟୁରେଟର ଅଞ୍ଜନ କୁମାର ମହାନ୍ତି, ଏସିଏଫ୍‍ ଅମୂଲ୍ୟ କୁମାର ପରିଡ଼ା, ବଟାନିକାଲ ଗାର୍ଡେନ ଏସିଏଫ ବନମାଳୀ ସାହୁ, ଜନ୍ତୁ ରେଞ୍ଜର ଡ. ସୁଦୀପ୍ତ ପଣ୍ଡା, ଷ୍ଟୋର ରେଞ୍ଜର ରଞ୍ଜନ କୁମାର ମହାନ୍ତି, ସିକ୍ୟୁରିଟି ରେଞ୍ଜର ମନୋରଞ୍ଜନ ପଟ୍ଟନାୟକ, ବଟାନିକାଲ ଗାର୍ଡେନ ରେଞ୍ଜର ଶୁଭଶ୍ରୀ ଦାଶ, ଜୀବବିଜ୍ଞାନୀ ରାଜେଶ କୁମାର ମହାନ୍ତି, ଶିକ୍ଷାବିଭାଗ ଅଧିକାରୀ ମିଲନ ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ଡା. ଆଲୋକ କୁମାର ଦାସ ଧନ୍ୟବାଦ ଦେଇଥିଲେ।

Comments are closed.