ନନ୍ଦନକାନନ ପ୍ରାଣୀ ଉଦ୍ୟାନ : ବନ୍ୟଜନ୍ତୁଙ୍କ ସ୍ବର୍ଗଦ୍ବାର

ବର୍ଷକରେ ହାତୀ,ସିଂହ, ବାଘ ସମେତ ୭୦ ପ୍ରଜାତିର ବିରଳ ପ୍ରାଣୀ ମୃତ

ପୁରାଣ ବର୍ଣ୍ଣିତ ସ୍ବର୍ଗର ନନ୍ଦନକାନନ, ଯେଉଁଠି ଦୁଃଖ, ଶୋକ ଓ ବିଳାପର ଛାୟା ମଧ୍ୟ ମାଡ଼େନାହିଁ। ଏହି ନାମକୁ ଯଥାର୍ଥ କରିବା ପାଇଁ ରାଜଧାନୀର ଉପକଣ୍ଠରେ ୬୦ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏହାର ପ୍ରାକୃତିକ ପରିବେଶ, ଘଞ୍ଚ ବନାନୀ ଓ ଜୀବଜନ୍ତୁଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ବେଶ୍‌ ମନମୁଗ୍ଧ କରିବ ବୋଲି ଆଭିମୁଖ୍ୟ ଥିଲା, ଯାହାକୁ ନେଇ ଦେଶର ପ୍ରାଣୀ ଉଦ୍ୟାନ ଭିତରେ ନନ୍ଦନକାନନ ଅନ୍ୟତମ ଭାବେ ବିବେଚିତ ହୁଏ। ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ସାରା ବିଶ୍ବରେ ‘ୱାଜା’ରେ ଭାରତର ପ୍ରଥମ ପ୍ରାଣୀ ଉଦ୍ୟାନ ଭାବେ ଓଡ଼ିଶାର ନନ୍ଦନକାନନ ୨୦୦୯ରେ ସ୍ବୀକୃତି ଲାଭ କରିଛି। ହେଲେ ବିଗତ କିଛି ବର୍ଷ ଧରି ରକ୍ଷଣାବେକ୍ଷଣ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ଗୋଟିକ ପରେ ଗୋଟିଏ ବିରଳ ପ୍ରଜାତିର ପ୍ରାଣୀଙ୍କ ଜୀବନ ଚାଲି ଯାଉଛି। ଏହି ଚର୍ଚ୍ଚିତ ନନ୍ଦନକାନନ ଏବେ ବନ୍ୟଜନ୍ତୁଙ୍କ ପାଇଁ ସ୍ବର୍ଗଦ୍ବାର ପାଲଟିଯାଇଛି।
ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ବାନ୍ଧି ରଖିବା ଲାଗି ପ୍ରତିବର୍ଷ ଏଠାକୁ ବିରଳ ପ୍ରଜାତିର ଜୀବଜନ୍ତୁଙ୍କୁ ସରକାର ଆଣିଥାନ୍ତି; ହେଲେ ସେମାନଙ୍କ ରକ୍ଷଣାବେକ୍ଷଣ ଓ ଉପଯୁକ୍ତ ଚିକିତ୍ସା ଅଭାବ ସାଙ୍ଗକୁ ପରିବେଶରେ ଭାରସାମ୍ୟ ନ ଥିବାରୁ ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ନ୍ତି। ପର୍ଯ୍ୟଟକମାନେ ନୂଆ ଜୀବଜନ୍ତୁଙ୍କୁ ଦେଖିବାକୁ ନପାଇ ନିରାଶ ହୋଇ ଫେରିଥାନ୍ତି। ୨୦୧୯ବର୍ଷ ଜାନୁଆରୀ ୧୦ରେ ଜଳହସ୍ତୀର ମୃତ୍ୟୁଠାରୁ ଆରମ୍ଭ କରି ଆଜିର ସିଂହ ପର୍ଯ୍ୟନ୍ତ ଏହାରି ମଧ୍ୟରେ ବହୁ ଅମୂଲ୍ୟ ପ୍ରାଣୀ ସମ୍ପଦଙ୍କୁ ହରାଇଲାଣି ପ୍ରାଣୀ ଉଦ୍ୟାନ। ଗୋଟିଏ ବର୍ଷ ଭିତରେ ପ୍ରାୟ ୭୦ଟି ବିରଳ ଜୀବଜନ୍ତୁ ପ୍ରାଣ ହରାଇଲେଣି। ଗୋଦରା କୋଡିବା ନ୍ୟାୟରେ ନନ୍ଦନକାନନ କର୍ତ୍ତୃପକ୍ଷ ଯେତିକି ରାଜସ୍ବ ଖର୍ଚ୍ଚ କରି ବିରଳ ପ୍ରଜାତିର ବନ୍ୟଜନ୍ତୁ ପଡ଼ୋଶୀ ରାଜ୍ୟ ତଥା ବିଦେଶରୁ ଆଣୁଛନ୍ତି ତାକୁ ବର୍ଷ ଶେଷ ବେଳକୁ ବଞ୍ଚାଇ ରଖିବାରେ ସକ୍ଷମ ହୋଇପାରୁ ନାହାନ୍ତି। ନନ୍ଦନକାନନର ପରିସୀମା ବୃଦ୍ଧି କରିବା ତଥା ଏହାର ସୌନ୍ଦର୍ଯ୍ୟକରଣ ଏବଂ ବିରଳ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନିକଟରେ ବହୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପର୍ଯ୍ୟଟକ ତଥା ପ୍ରକୃତିପ୍ରେମୀଙ୍କ ଲାଗି ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭ୍ରମଣ ଲାଗି ଏକ ଜଙ୍ଗଲ ସଫାରୀର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ଚନ୍ଦକା ଜଙ୍ଗଲ ଭିତରକୁ ପର୍ଯ୍ୟଟକମାନଙ୍କୁ ପରିଭ୍ରମଣ କରାଇବା, ବହୁମୁଖୀ ପାର୍କିଂସ୍ଥଳ ନିର୍ମାଣ, ବସଷ୍ଟାଣ୍ଡ, ଫୁଡକୋର୍ଟ, ଉଦ୍ଭିଦ ଉଦ୍ୟାନକୁ ମୁଖ୍ୟ ରାସ୍ତାରେ ଯୋଡିବା, ଶିଶୁଙ୍କ ଲାଗି ‘ଟୟ ଟ୍ରେନ’ ଏବଂ ‘ରୋପୱେ’ ନିର୍ମାଣ କରାଯିବାକୁ ଯୋଜନା ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ପ୍ରାୟ ୨୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ନନ୍ଦନକାନନର ସୌନ୍ଦର୍ଯ୍ୟକରଣକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ନନ୍ଦନକାନନରେ ଚଳିତ ବର୍ଷ ମଧ୍ୟରେ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ପରିବେଶ ପ୍ରେମୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ସରକାରଙ୍କ ଏହି ପ୍ରୟାସ କେତେଦୂର ସଫଳ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ଷାଠିଏ ଦଶକରେ ୧୦୮୦ ଏକର ପରିମିତ ଜମି ଉପରେ ପ୍ରତିଷ୍ଠା ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ଜୀବଜନ୍ତୁଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରୁ ନାହିଁ। ପରିବେଶଜନିତ ଭାରସାମ୍ୟ ଅଭାବ ଯୋଗୁଁ ହେଉ କିମ୍ବା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପ୍ରତି ମାସରେ ୫ରୁ ୬ଟି ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି। ନନ୍ଦନକାନନର ତଥ୍ୟ ଅନୁଯାୟୀ ୨୦୧୯ ବର୍ଷରେ ୪ହାତୀ, ୪ଜଳ ହସ୍ତୀ, ୨ବାଘ ବାଘୁଣୀ, ସିଂହଙ୍କ ସହିତ ବହୁ ବିରଳ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି। ହରପିସ ଭୂତାଣୁ ଯୋଗୁଁ ସେପ୍ଟେମ୍ବରରେ ୪ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଫେବୃଆରୀ ୨୧ରେ ବାଘ ରୋଷନର ମୃତ୍ୟୁ ନନ୍ଦନକାନନକୁ ଦାରୁଣ ଦୁଃଖ ଦେଇଥିଲା। ଏହାପରେ ଅଗଷ୍ଟରେ ବାଘୁଣୀ ପ୍ରିୟଙ୍କା ଓ ଅକ୍ଟୋବରରେ ଧଳା ବାଘ ଶୁଭ୍ରାଂଶୁର ମୃତ୍ୟୁ ପ୍ରକୃତି ପ୍ରେମୀ ତଥା ପର୍ଯ୍ୟଟଙ୍କୁ ମର୍ମାହତ କରିଛି।
ସେହିପରି ଚଳିତବର୍ଷ ଫେବୃଆରୀ ୨୧ରେ ଗୟଳ, ମାର୍ଚ୍ଚ ପହିଲା ନୀଳଗିରି ବାନର ଏବଂ ୭ରେ ଧୂସର ଗଧିଆର ମୃତ୍ୟୁ ହୋଇଥିଲା। ଏପ୍ରିଲରେ ବିରଳ ପ୍ରଜାତିର ମାଣ୍ଡାରିନ ଇଚ୍ଛଳ, ଆଲବିନ ମରୟରଙ୍କ ମୃତ୍ୟୁ ହୋଇଥିବାବେଳେ ମେ’ରେ ସନକୁନ ଶୁଆ, ନୀଳଗିରି ବାନର, ଜୁନରେ ବିଲୁଆ, ମାର୍ମସେଟ ମାଙ୍କଡ଼ମାଣ୍ଡାରିନ ବତକ, ବାରଶିଙ୍ଘା, ମାଣ୍ଡାରିନ, କଳାହଂସ, ବିଲୁଆଙ୍କ ମୃତ୍ୟୁ ହୋଇଥିଲା। ଜୁଲାଇରେ ଲେଡି ଅମରେଷ୍ଟ ଫିଜାଣ୍ଟ, ନୀଳଗାଈ, ସନକୁନର ପକ୍ଷୀ, ବାରଶିଙ୍ଘା, ନୀଳଗାଈଙ୍କ ମୃତ୍ୟୁ ହୋଇଥିବାବେଳେ ଅଗଷ୍ଟରେ ନୀଳଗାଈ, ଟୋରାକେ ପକ୍ଷୀ, ବାଘୁଣୀ ପ୍ରିୟଙ୍କା, ନୀଳଗିରି ବାନର, ଧୂସର ଗଧିଆ, ହାତୀ ଜୁଲି, ବାରଶିଙ୍ଘା, ସେପ୍ଟେମ୍ବରରେ ହାତୀ ଚନ୍ଦନ, କମଳା, ଗୌରୀଙ୍କ ସହିତ ୨ଟା ବେଲରା ମୂଷା, ନୀଳଗିରି ବାନର, ସିଆମିଜା କୁମ୍ଭୀର, ଅକ୍ଟୋବରରେ ଧଳା ବାଘ ଶୁଭ୍ରାଂଶୁ, ମାର୍ମସେଟ ମାଙ୍କଡ଼, କଟାସ, ନଭେମ୍ବରରେ ଆନ୍ନାକୋଣ୍ଡା ଓ ଡିସେମ୍ବରରେ ମଣିପୁରୀ ହରିଣ, ଦେଶୀ ଭାଲୁ, ସମ୍ବରଙ୍କ ମୃତ୍ୟୁ ହୋଇଥିଲା। ଏହାବାଦ୍ ଏମୁପକ୍ଷୀ, ବଜ୍ରକାପ୍ତା, ଶାଗୁଣା, କୃଷ୍ଣସାର ମୃଗ, କୁଜି ହରିଣ, ଚିତ୍ରା ହରିଣ, କୁଟୁରା, କୋକିଶିଆଳ, ଗୁଣ୍ଡୁଚି ମୂଷା, ଏଲେସାଇଟ କନୁର ପକ୍ଷୀ, ଘଡ଼ିଆଳଙ୍କ ଭଳି ଅନ୍ୟାନ୍ୟ ଜୀବଜନ୍ତୁ ରହିଛନ୍ତି। ଚଳିତବର୍ଷର ଏହି ଜୀବଜନ୍ତୁଙ୍କ ମୃତ୍ୟୁ ହିଁ କହୁଛି ଯେ ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରାଣୀଙ୍କ ସେବାଯତ୍ନ କେତେ ନେଉଛନ୍ତି। ଏସମ୍ପର୍କରେ ଜନ୍ତୁ ଏସିଏଫ୍‍ ତଥା କ୍ୟୁରେଟର ଅଞ୍ଜନ କୁମାର ମହାନ୍ତି କହିଛନ୍ତି, କିଛି ପଶୁପକ୍ଷୀ ବୟସାଧିକ କାରଣ ଓ ଆଉ କିଛି ରୋଗଗ୍ରସ୍ତ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି। ସେମାନଙ୍କୁ ଆବଶ୍ୟକ ମୁତାବକ ଚିକିତ୍ସା କରାଯାଉଥିଲେ ମଧ୍ୟ ଫଳପ୍ରଦ ହେଉନାହିଁ। ଆଗାମୀ ଦିନରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ଦାଉରୁ ଜୀବଜନ୍ତୁଙ୍କୁ ରକ୍ଷା କରିବାପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ପଶୁପକ୍ଷୀଙ୍କ ସୁରକ୍ଷା ସାଙ୍ଗକୁ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ଲାଗି ନନ୍ଦନକାନନରେ ନୂଆବର୍ଷରେ ଆଉ କିଛି ନୂଆ ପ୍ରାଣୀଙ୍କୁ ଅଣାଯିବା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବାର ରହିଛି।

Comments are closed.