ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଗଡ଼ିଲା ଶିଶୁରେଳ
ବ୍ୟାଟେରିଚାଳିତ ଇଞ୍ଜିନ ସହ ଗୋଟିଏ ବଗି ପରୀକ୍ଷାମୂଳକ ଭାବେ ଚାଲିଲା, ସଫଳ ହେଲେ ଦୁଇ ମାସ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଚାଲିବ
ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଟୟଟ୍ରେନ ବା ଶିଶୁ ରେଳଗାଡ଼ି ରବିବାର ଦିନ ପରୀକ୍ଷାମୂଳକ ଭାବରେ ରେଳ ଟ୍ରାକରେ ଚାଲିଛି। ପ୍ରଥମ ଦିନରେ ଗୋଟିଏ ବ୍ୟାଟେରିଚାଳିତ ଇଞ୍ଜିନ ସହ ଗୋଟିଏ ବଗି ଚଳା ଯାଇଛି। ଦୁଇ ଦିନଧରି ପରୀକ୍ଷଣ ଚାଲିବ। କୌଣସି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ନ ହେଲେ ଦୁଇମାସ ମଧ୍ୟରେ ନୂତନ ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହି ଶିଶୁ ରେଳଗାଡି ଚାଲିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।୨୦୦୮ରୁ ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ ସର୍ଭିସ ସଂସ୍ଥା ଶିଶୁ ରେଳଗାଡି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲା। ଏଥିପାଇଁ ୪କୋଟି ୮୦ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ମହାନଦୀ କୋଲ ଫିଲ୍ଡ ଲିମିଟେଡ ପ୍ରଦତ୍ତ ଅର୍ଥରେ ରେଳଧାରଣା, ଇଞ୍ଜିନ, ବଗି ଲାଗିବା ସହ ୧୦୫ ମିଟର ଲମ୍ବ, ଚଉଡା ୮ଇଞ୍ଚ ଓ ୧୬୮୫ ମିଟର ଟ୍ରାକ ଲାଗିଛି। ତା’ସହିତ ପ୍ରଥମ କରି ନ୍ୟାରୋଗଜ୍ ସ୍ଲିପର ବ୍ୟବହାର କରାଯାଇଥିବାବେଳେ ବ୍ୟାଟେରି ଚାଳିତ ଇଞ୍ଜିନ ଚାଲିବ। ଏହା ସହ ନନ୍ଦନକାନନର ଶୋଭା ବୃଦ୍ଧି ପାଇବା ସହ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ। ଏହାକୁ ଏକ ଆଦର୍ଶ ଚିଡିଆଖାନାରେ ପରିଣତ କରିହେବ ବୋଲି ଏହି ଯୋଜନା ହାତକୁ ନିଆ ଯାଇଥିଲା ବୋଲି ନନ୍ଦନକାନନର ଅବସରପ୍ରାପ୍ତ ଜନ୍ତୁ ଏସିଏଫ୍ ଅଞ୍ଜନ କୁମାର ମହାନ୍ତି କହିଛନ୍ତି।
ପ୍ରକାଶ ଥାଉକି,୧୯୭୧ ଅଗଷ୍ଟ ୮ରେ ଶିଶୁ ରେଳଗାଡି ବ୍ୟବସ୍ଥା ନନ୍ଦନକାନନରେ ଆରମ୍ଭ କରାଯାଇଥିଲା। ୨୦୦୮ରେ ଶିଶୁ ରେଳଗାଡିକୁ ଘରୋଇକରଣ କରାଯାଇଥିଲା। ୨୦୧୪ରେ ଠିକା ନେଇଥିବା ସଂସ୍ଥା ଚୁକ୍ତିରୁ ଓହରି ଯିବା ପରେ ଅଚଳାବସ୍ଥା ଦେଖା ଦେଇଥିଲା।
Comments are closed.